ଏକାମ୍ର କ୍ଷେତ୍ର: ପରସ୍ପରକୁ ବିଦାୟ ଦେଲେ ହବିଷ୍ୟାଳି : ‘ବଞ୍ଚିଥିଲେ ଆରବରଷକୁ ଦେଖା’

ପୁରୁଣା ଭୁବନେଶ୍ୱର : ସରିଲା କାର୍ତ୍ତିକ ମାସ। ପୁଣ୍ୟ ଅର୍ଜନ ପାଇଁ ମାସ ସାରା ହବିଷ୍ୟାନ୍ନ ଓ ମହାପ୍ରସାଦ ଖାଇ ପରିବାର ପରିଜନଙ୍କଠୁ ଦୂରେଇ ରହିଥିବା ହବିଷ୍ୟାଳିମାନେ ଆଜି ନିଜ ନିଜ ଘରକୁ ବାହୁଡ଼ି ଯାଇଛନ୍ତି। କାର୍ତ୍ତିକ ଆରମ୍ଭରୁ ଏକାମ୍ର କ୍ଷେତ୍ରରେ ସ୍ଥାନୀୟ ଦୁଧୱାଲା ଧର୍ମଶାଳାରେ ଏକାଠି ରହିଥିବା ଏହି ହବିଷ୍ୟାଳିମାନେ ଆଜି ପରସ୍ପରକୁ ବିଦାୟ ଦେବା ବେଳେ ଭାବବିହ୍ୱଳ ହୋଇପଡ଼ିଥିଲେ। ସମସ୍ତଙ୍କ ଆଖିରେ ଲୁହ ଝଟକି ଆସିଥିଲା। ମହାପ୍ରଭୁଙ୍କୁ ସେମାନେ ପ୍ରାର୍ଥନା କରିବା ସହ ‘ବଞ୍ଚିଥିଲେ ଆରବରଷକୁ ଦେଖା’ କହି ସାଥୀମାନଙ୍କଠାରୁ ବିଦାୟ ନେଇଥିଲେ।

ତେବେ ଆଜି ଶେଷ ଦିନରେ ସେମାନେ ବିଦାୟ ନେବା ପୂର୍ବରୁ ଭୂମିରେ ଭୀମଚିତ୍ର ଆଙ୍କି ଭୀମ ପାଟିରେ ଖାଦ୍ୟ ଦେଇଥିଲେ। ଚନ୍ଦ୍ରଶେଖରପୁର ଅଞ୍ଚଳର ପ୍ରତିମା ଦାଶ କହନ୍ତି ଆଜି, ଭୀମ ଚିତ୍ର ଭୂମିରେ ଅଙ୍କା ଯାଇଥିଲା। ତାଙ୍କ ପାଟିରେ ମୂଳା, ମୁଢ଼ି, କଦଳୀ, ସେଓ ଆଦି ଦେଇଥିଲୁ। ଏହାସହ କାଞ୍ଜି, ସନ୍ତୁଳା ମଧ୍ୟ ରାନ୍ଧି ଭୀମର ପାଟିରେ ଦେଇଥିଲୁ। ମାସ ତମାମ ହବିଷ ପରେ ଆଜି ଉଷୁନା ଭାତ ରାନ୍ଧି ଖାଇଥିଲୁ। ଉଲ୍ଲେଖଯୋଗ୍ୟ, ଏଠାରେ ପ୍ରାୟ ୧୧୦ରୁ ଊର୍ଧ୍ବ ବୃଦ୍ଧା ଏକାଠି ରହି ବିଭିନ୍ନ ତିକ୍ତ ଓ ମଧୁର ସ୍ମୃତି ସାଉଣ୍ଟିଥି‌ଲେ। ଏକାମ୍ର କ୍ଷେତ୍ରରେ ରହଣୀ କାଳରେ କାର୍ତ୍ତିକ ମାସରେ ପଡ଼ିଥିବା ବିଭିନ୍ନ ପର୍ବ ପର୍ବାଣୀକୁ ମିଳିମିଶି ଉପଭୋଗ କରିଥିଲେ।

ସମ୍ବନ୍ଧିତ ଖବର