ମୋ ସାଇକେଲ୍‌ ଅଧଘଣ୍ଟାକୁ ୫ଟଙ୍କା

ସଦସ୍ୟ ହେଲେ ଅଧଘଣ୍ଟା ମାଗଣା, ସଦସ୍ୟତା ଫି’ ୧୦୦ ଓ ୧୪୯ଟଙ୍କା

ଭୁବନେଶ୍ବର: ସୋମବାରରୁ ରାଜଧାନୀରେ ମୋ ସାଇକେଲ୍‌ ବ୍ୟବସ୍ଥା ଆରମ୍ଭ ହେବାକୁ ଥିବାବେଳେ ଏହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଲାଣି। ‘ମୋ ସାଇକେଲ୍’ ଆପ୍‌ରେ ବୁକିଂ କଲେ ସାଇକେଲ୍ ଚଳାଇବାର ସୁବିଧା ମିଳିବାକୁ ଥିବାବେଳେ ତିନିଟି ଯାକ ସଂସ୍ଥା ପ୍ରଥମ ପର୍ଯ୍ୟାୟରେ ୨୦୦୦ ସାଇକେଲ୍ ଚଳାଇବାକୁ ପ୍ରସ୍ତୁତ ହୋଇଗଲେଣି। ଅଧିକରୁ ଅଧିକ ଲୋକ ଯେପରି ସାଇକେଲ୍ ଚଳାଇବେ ସେଥିପାଇଁ ପ୍ରତି ଅଧ ଘଣ୍ଟାକୁ ଭଡ଼ା ୫ ଟଙ୍କା ରଖାଯାଇଛି। କିନ୍ତୁ ପ୍ରଥମ ୫ଦିନ ସମସ୍ତଙ୍କ ପାଇଁ ମାଗଣାରେ ସାଇକେଲ୍ ଉପଲବ୍ଧ ହେବ। ଏହାପରେ ଭଡ଼ା ଦେବାକୁ ପଡ଼ିବ। ଯଦି କେହି ଏହି ସଂସ୍ଥାରେ ସଦସ୍ୟ ଭାବେ ପଞ୍ଜୀକୃତ ହେବେ ତେବେ ତାଙ୍କୁ ପ୍ରତିଦିନ ମାଗଣାରେ ଅଧଘଣ୍ଟା ସାଇକେଲ୍ ଚଳାଇବାର ସୁବିଧା ମିଳିବାକୁଥିବାବେଳେ ଅଣସଦସ୍ୟଙ୍କ ପାଇଁ ଫି’ ଦେଇ ସାଇକେଲ୍ ଚଳାଇବାକୁ ପଡ଼ିବ ବୋଲି ଜଣାପଡ଼ିଛି। ରାଜଧାନୀରେ ପ୍ରଥମ ପର୍ଯ୍ୟାୟରେ ୧୨୦ଟି ସ୍ଥାନରେ ପ୍ରାୟ ୧୪୦୦ ସାଇକେଲ୍‌ ଉପଲବ୍ଧ ହେବ। ଡିସେମ୍ବର ୧ରୁ ୨୦୦୦ ସାଇକେଲ୍ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗଡ଼ିବାକୁ ଥିବା ୨୦୦୦ ସାଇକେଲ୍‌ରୁ ହେକ୍ସି ବାଇକ୍ ୧୦୦୦ଟି ହିରୋ ସାଇକେଲ୍ ଯୋଗାଇବାକୁ ଥିବାବେଳେ ୟାନା ଓ ୟୁଲୁ ସଂସ୍ଥା ୫୦୦ଟି ଲେଖାଏଁ ସାଇକେଲ୍‌ ଯୋଗାଇଛନ୍ତି। ସାଇକେଲ୍ ଚାଳକଙ୍କ ଯାତାୟାତରେ ଯେପରି କିଛି ସମସ୍ୟା ନଉପୁଜିବ ସେଥିପାଇଁ ସ୍ବତନ୍ତ୍ର ସାଇକେଲ୍‌ ଟ୍ରାକ୍ ବି ନିର୍ମାଣ ହୋଇଛି। ତିନିଟି ସଂସ୍ଥା ସାଇକେଲ୍ ଯୋଗାଇବାକୁ ଥିବାବେଳେ ତିନିଟି ସଂସ୍ଥା ପକ୍ଷରୁ ପୃଥକ ପୃଥକ ମେମ୍ବରସିପ୍ କାର୍ଡ ମିଳିବ। ଏଥିରେ ୟାନା ଓ ହେକ୍ସି ସଂସ୍ଥାର ମେମ୍ବରସିପ୍ ଫି’ ମାସକୁ ୧୦୦ଟଙ୍କା ରଖାଯାଇଛି। ଏଥିରେ ସାଇକେଲ୍ ଚଳାଇଲେ ପ୍ରଥମ ଅଧ ଘଣ୍ଟା ମାଗଣା ହେବ। ଏହାପରେ ପ୍ରତି ଅଧଘଣ୍ଟା ପାଇଁ ୫ଟଙ୍କା ଫି’ ଦେବାକୁ ପଡ଼ିବ। ଏହା ମୋ ସାଇକେଲ୍‌ ଆପ୍‌ରେ ଥିବା ୱାଲେଟ୍‌ରୁ କଟିବ। ଏଥିରେ ସର୍ବନିମ୍ନ ଦେୟ ୫ଟଙ୍କା ରଖାଯାଇଛି। ସେହିପରି ୟୁଲୁର ମେମ୍ବରସିପ୍ ନେଲେ ଦିନକ ମଧ୍ୟରେ ଯେତେ ସମୟ ସାଇକେଲ୍‌ ଚଳାଇଲେ ବି ଅଧଘଣ୍ଟା ମାଗଣା ‌ହିସାବ କରାଯିବ। ତା’ପରେ ଅଧଘଣ୍ଟାକୁ ୫ଟଙ୍କା ଫି’ ଆଦାୟ ହେବ। ଏଥିରେ ସର୍ବନିମ୍ନ ଦେୟ ୫ଟଙ୍କା ରଖାଯାଇଛି। ଏହାର ‌େମମ୍ବରସିପ୍ ଫି’ ମାସକୁ ୧୪୯ଟଙ୍କା ରଖାଯାଇଛି। କେବଳ ଏତିକି ନୁହେଁ ଯଦି ଆପଣ ସାଇକେଲ୍ ଚଳାଇବା ସମୟରେ କୌଣସି ତ୍ରୁଟି ଦେଖାଦେଲା କି ସାଇକେଲ୍ ଚକା ଲିକ୍ ହୋଇଗଲା ତେବେ ସେହିଠାରେ ହିଁ ସାଇକେଲ୍ ଛାଡ଼ି ପଳାଇବେ। ଏଥିପାଇଁ କେବଳ ସଂସ୍ଥାକୁ ଗୋଟିଏ କଲ୍‌ କରିବାକୁ ପଡ଼ିବ। ଏହାପରେ ସଂସ୍ଥାର ମେକାନିକ୍ ସାଇକେଲ୍ ସଜାଡ଼ି ନେଇଯିବେ। ଅନ୍ୟ ସମୟରେ ବି ସାଇକେଲ୍ ଯେ କୌଣସି ସ୍ଥାନରେ ଛାଡ଼ି ଯାଇପାରିବେ। ଏବେ ରାଜଧାନୀର ସମସ୍ତ ପ୍ରମୁଖ ସ୍ଥାନରେ ସାଇକେଲ୍ ଡକିଂ ସେଣ୍ଟର କରାଯାଇଛି। ଇନଫୋସିଟିରୁ ଆରମ୍ଭ କରି ପୁରୁଣା ଭୁବନେଶ୍ବର ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଉପଲବ୍ଧ ହେବ।

ଯିଏ ନିୟମ କରୁଛି, ସିଏ ଭାଙ୍ଗୁଛି

ସ୍ମାର୍ଟ ସିଟିରେ ‘ମୋ ସାଇକେଲ୍‌’ ବ୍ୟବସ୍ଥାରେ ୨ହଜାର ସାଇକେଲ୍ ଗଡ଼ିବ। ଏଥିପାଇଁ ରାସ୍ତାରେ ଏବଂ ପୂର୍ବରୁ ଫୁଟପାଥ୍‌ ଥିବା ଅଞ୍ଚଳରେ ଲାଲ୍ ରଙ୍ଗରେ ସ୍ବତନ୍ତ୍ର ଟ୍ରାକ୍ କରାଯାଇଛି। କିନ୍ତୁ ଏହି ଟ୍ରାକ୍‌ ପ୍ରଥମରୁ ଦିଗହରା ହୋଇଗଲାଣି। ଏହି ଟ୍ରାକ୍ ଉପରେ ଗାଡ଼ି ପାର୍କିଂ କରାଯାଉଥିବାରୁ ଏବଂ ଗାଡ଼ି ଚଳାଚଳ କରୁଥିବାରୁ ସାଇକେଲ୍ ଚଳାଚଳ ପାଇଁ ସ୍ବତନ୍ତ୍ର ରାସ୍ତା ରହୁନି। ଗାଡ଼ି ଚାଳକ ଏବଂ ପାର୍କିଂ ନେଇଥିବା ସଂସ୍ଥା ବି ସଚେତନ ନଥିବାରୁ ଏହି ବ୍ୟବସ୍ଥା ପ୍ରଥମରୁ ଅବ୍ୟବସ୍ଥିତ ହୋଇଗଲାଣି। ବିଏମ୍‌ସି ପକ୍ଷରୁ ୟୁନିଟ-୧ ହାଟ ଏବଂ ୟୁନିଟ-୨ ମାର୍କେଟ ବିଲ୍‌ଡିଂ ପାଇଁ ପାର୍କିଂ ଟେଣ୍ଡର୍‌ ଦିଆଯାଇଥିବାବେଳେ ଏଠାରେ ହିଁ ଖୁଲମଖୁଲା ନିୟମ ଉଲ୍ଲଂଘନ ହେଉଛି। କେତେକ ରାସ୍ତାରେ ପୂର୍ତ୍ତ ବିଭାଗ ଓ କମିସନରେଟ୍ ପୁଲିସ ବ୍ୟାରିକେଡ୍ କରିଥିବାରୁ ସାଇକେଲ୍ ଟ୍ରାକ୍‌ ଅଧାରୁ ବନ୍ଦ ହୋଇଯାଇଛି। ଯାହ ସଚିବାଳୟ ସମ୍ମୁଖ‌େର ଦେଖିବାକୁ ମିଳୁଛି। ବିଏମ୍‌ସି ପକ୍ଷରୁ ପୂର୍ତ୍ତ ବିଭାଗ ସହାୟତାରେ ଏହି ସାଇକେଲ୍‌ ଟ୍ରାକ୍ ନିର୍ମାଣ କରାଯାଇଥିଲେ ହେଁ ଦୁଇଟି ଯାକ ସଂସ୍ଥା ଏଥିପ୍ରତି ସଚେତନ ନାହାନ୍ତି। ଫଳରେ ଯିଏ ନିୟମ କରୁଛି ସିଏ ହିଁ ପ୍ରଥମରୁ ଏହାକୁ ଭାଙ୍ଗୁଥିବାରୁ ଯୋଜନାର ସଫଳତା ନେଇ ଅନିଶ୍ଚିତା ଦେଖାଦେଇଛି।

ସମ୍ବନ୍ଧିତ ଖବର