ପାହାଳର ଗରମ ରସଗୋଲା ଖାଇବାକୁ ଅଟକିଯାଏ

ତଡପ୍‌ ତଡପ୍‌.. ହେଉ କି ‘ତୁନେ ମାରି ଏଣ୍ଟ୍ରିୟା..। ଖୁଦା ଜାନେ.. ହେଉ ଅବା ‘ଇଣ୍ଡିଆ ୱାଲେ..ଭଳି ଚର୍ଚିତ ଗୀତ ଗାଇ କୋଟିକୋଟି ଶ୍ରୋତାଙ୍କ ହୃଦୟ ଜିଣିଥିବା କେକେ ଙ୍କ ଜୀବନ ଆରମ୍ଭ ହୋଇଥିଲା ସେଲ୍‌ସମ୍ୟାନ୍‌ରୁ। ତେବେ ସଂଗୀତ ପ୍ରତି ତାଙ୍କର ନିଷ୍ଠା ଏବଂ ସାଧନା ପାଇଁ ବଲିଉଡ୍‌ରେ ୨୩ ବର୍ଷ ଧରି ସେ ରାଜ କରି ଚାଲିଛନ୍ତି। ୫ଶହରୁ ଅଧିକ ହିନ୍ଦୀ ସଂଗୀତ ସମେତ ୧୦୦ରୁ ଅଧିକ ତେଲୁଗୁ, ତାମିଲ ଓ କନ୍ନଡ଼ ଗୀତ ଗାଇଥିବା କେକେ ‘ମ୍ୟାକ୍‌ ଡୁ‌େୱଲ୍‌ ନଂ ୧ ସୋଡା’ ପକ୍ଷରୁ ଆୟୋଜିତ ନଂ ୧ ୟାରି ଜାମ୍‌‌’ରେ ସଂଗୀତ ପରିବେଷଣ କରିବାକୁ ଆସିଥିବା ସମୟରେ ତାଙ୍କ ସହ ଆଳାପରୁ କିଛି…

 ସେଲ୍‌ସମ୍ୟାନ୍‌ରୁ ବଲିଉଡ୍‌ ଯାତ୍ରା ସମ୍ପର୍କରେ ପଦେ?
 ମୁଁ ସେଲ୍‌ସମ୍ୟାନ୍‌ ତ ଥିଲି, କିନ୍ତୁ ବିଲ୍କୁଲ୍‌ ଭଲ ସେଲ୍‌ସମ୍ୟାନ୍‌ ନଥିଲି। ତେଣୁ ସିଧାସଳଖ କଥାବାର୍ତା କରୁଥିଲି। ଶେଷରେ ହୃଦବୋଧ ହେଲା, ମୁଁ ଏଥିରେ କିଛି କରିପାରିବି ନାହିଁ। ପିଲାବେଳୁ ଘରେ ମା’ଙ୍କଠାରୁ ସଂଗୀତର ପ୍ରଭାବ ପଡ଼ିଥିଲା। ତେଣୁ ମୁମ୍ବାଇ ଆସିବା ପରେ ସଂଗୀତକୁ ଆପଣେଇବା ଶ୍ରେୟ ମଣିଲି।
 ଓଡ଼ିଶା ଓ ଓଡ଼ିଶାର ସଂଗୀତ ବାବଦରେ କ’ଣ କହିବେ ?
 ପୂର୍ବରୁ ଓଡ଼ିଶା ଆସିଛି। ଜଗନ୍ନାଥ ମନ୍ଦିର ବି ଯାଇଛି। ଏଠିକାର ପରିବେଶ ବହୁତ ସୁନ୍ଦର। ସଂଗୀତ ବିଭିନ୍ନ ଭାଷାରେ ପରସାଯାଇପାରେ। କିନ୍ତୁ ପ୍ରତ୍ୟେକ ଅଞ୍ଚଳର ସଂଗୀତ ଅନ୍ୟ ଅଞ୍ଚଳର ସଂଗୀତ ସହ ସମ୍ବନ୍ଧ ରହିଛି। ଏଠିକାର ଖାଦ୍ୟ ମତେ ବହୁତ ଭଲ ଲାଗେ। ବିଶେଷକରି ପାହାଳର ଗରମ ରସଗୋଲା ଦେଖିଲେ ଅଟକିଯାଇ ଖାଏ।
 ‘ମି ଠୁ’ ଅଭିଯାନ ସମ୍ପର୍କରେ କ’ଣ ମତ ରଖିବେ ?
 ପ୍ରତ୍ୟେକ କଳାକାର ନିଜ କାମରେ ଧ୍ୟାନ ରଖିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହା ଆସିବା ଦରକାର ଥିଲା। ଅନ୍ୟମାନଙ୍କୁ ସାବଧାନ କରିବା ପାଇଁ ଏହା ସତର୍କ ଘଣ୍ଟି ସଦୃଶ।
 ଆପଣଙ୍କ ନଜରରେ ଏକ ଭଲ ଗୀତର ସଂଜ୍ଞା କ’ଣ ?
 ଯଦି ଗୀତ ଭଲ ଥାଏ, ତେବେ ଜମିଯାଏ। ବାସ୍ତବରେ ଗୀତ ମାର୍ଗଦର୍ଶନ କରାଏ। ମତେ ଆଜି ପର୍ଯ୍ୟନ୍ତ ଭଗବାନଙ୍କ କୃପାରୁ କେବଳ ଭଲ ଗୀତ ହିଁ ମିଳିଛି।
 ଯୁବ କଣ୍ଠଶିଳ୍ପୀଙ୍କୁ କି ବାର୍ତା ଦେବେ ?
 ଜୀବନରେ ସବୁବେଳେ ଖୁସି ରୁହ। ଯାହା କରୁଛ, ମନ ଦେଇ କର। ତାହା ତୁମକୁ ଶକ୍ତି ଯୋଗାଇବ। ଏବେ ବିକଳ୍ପ ବହୁତ ଅଛି। ତେଣୁ ଯୁବବର୍ଗ ଏଥିରୁ ଫାଇଦା ନେବା ଆବଶ୍ୟକ।

ସମ୍ବନ୍ଧିତ ଖବର