ଜଙ୍ଗଲ ଜମିରେ ବେଆଇନ ଅଟ୍ଟାଳିକା, ରାଜ୍ୟ ସରକାରଙ୍କୁ ଏନ୍‌ଜିଟି ଛାଟ

ଫେବ୍ରୁଆରି ୧୯ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନିର୍ଦେଶ

ଚନ୍ଦ୍ରଶେଖରପୁର: ଜଙ୍ଗଲ ଜମିରେ ଗଢ଼ି ଉଠିଛି ବିଶାଳ ଅଟ୍ଟାଳିକା। ଗୋଟିଏ କି ଦୁଇଟି ନୁହେଁ, ଜୟଦେବ ବିହାର ଅଞ୍ଚଳରେ ୪୪ଟି ସଂସ୍ଥା ବେଆଇନ ଭାବେ ଜଙ୍ଗଲ ଜମିରେ ଛିଡ଼ା ହୋଇଛି। ଆଉ ଏଥିପାଇଁ ହାତ କାଟି ଲେଖି ଦେଇଛନ୍ତି ରାଜ୍ୟ ସରକାର। ଖୋଦ୍‌ ରାଜଧାନୀରେ ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦କୁ ଉଲ୍ଲଂଘନ କରାଯାଇ ଅଣ ଜଙ୍ଗଲ କାର୍ଯ୍ୟ ଲାଗି ଜଙ୍ଗଲ ଜମିକୁ ହସ୍ତାନ୍ତର ହୋଇଛି। ଯେଉଁ ସଂସ୍ଥାଗୁଡ଼ିକୁ ଏହି ଜମି ଦିଆଯାଇଛି, ସେଥିରେ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅଣ୍ଡରଟେକିଂ ପାଇଥିବା ଘରୋଇ ସଂସ୍ଥା ରହିଛି।

ଜୟଦେବ ବିହାର ଅଞ୍ଚଳରେ ଜଙ୍ଗଲ-୨ କିସମର ୬୦୮ ଏକର ଜମି ରହିଥିଲା। ସେଥିମଧ୍ୟରୁ ୧୯୪ ଏକର ଜଙ୍ଗଲ ଜମିକୁ ୪୪ଟି ସଂସ୍ଥାକୁ ମିଳିଛି। ୪୪ଟି ସଂସ୍ଥା ମଧ୍ୟରୁ ୩ଟି ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଅନୁମୋଦନ ପ୍ରଦାନ କରିଛି। ୨୦୧୪ ନଭେମ୍ବର ୧୪ରେ ୦.୪୮୬ ଏକର, ୨୦୧୬ ଜୁଲାଇ ୩୧ରେ ୦.୭୪୨ ଏକର ଓ ୨୦୧୯ ମେ’ ୨ରେ ୨୦ ଏକର ଜଙ୍ଗଲ ଜମିକୁ ୩ଟି ସଂସ୍ଥାକୁ ଦିଆଯାଇଛି। ଏହାବ୍ୟତୀତ ୨୪୨ ଏକର ପରିମିତ ଜମିରେ ସାଲିଆସାହି ବସ୍ତି ଗଢ଼ିଉଠିଛି। ବେଆଇନ ତଥା ଜବରଦଖଲ ଭାବେ ଏହି ବସ୍ତି ରହିଥିବା ନ୍ୟାସନାଲ ଗ୍ରିନ୍‌ ଟ୍ୟୁବୁନାଲ(ଏନ୍‌ଜିଟି) ନିଜ ‌ରିପୋର୍ଟରେ ସ୍ପଷ୍ଟ କରିଛନ୍ତି।

ଆଡଭୋକେଟ୍‌ ଶଙ୍କର ପ୍ରସାଦ ପାଣି କହିଛନ୍ତି ଯେ ଭୁବନେଶ୍ବର ପରି ଏକ ପ୍ରମୁଖ ସ୍ଥାନରେ ଥିବା ଏକର ଏକର ଜଙ୍ଗଲ ଜମିକୁ ବେଆଇନ ଭାବେ ରାଜ୍ୟ ସରକାର ବିଭିନ୍ନ ସଂସ୍ଥା ହାତକୁ ଟେକି ଦେଇଛନ୍ତି। ଏନେଇ ଆମେ କୋର୍ଟ‌ଙ୍କ ଦ୍ବାରସ୍ଥ ହୋଇଥିଲୁ। କେନ୍ଦ୍ର ସରକାରଙ୍କ ପୂର୍ବାନୁମତି ବିନା ଏବଂ ବିନା ଜଙ୍ଗଲ ମଞ୍ଜୁରିରେ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ୪୪ଟି ସଂସ୍ଥାକୁ ଜଙ୍ଗଲ ଜମି ହସ୍ତାନ୍ତର କରିଛନ୍ତି। ଯାହାକି ବେଆଇନ। ୧୯୮୦ ମସିହାରେ ସାରା ଦେଶରେ ଜଙ୍ଗଲ ସଂରକ୍ଷଣ ଆଇନ ଲାଗୁ ହୋଇଛି ଏବଂ ୧୯୯୨ ମସିହା ପରଠାରୁ ସମସ୍ତ ଜାଗାଗୁଡ଼ିକୁ ବିଭିନ୍ନ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। ତେଣୁ ଏହା କେନ୍ଦ୍ର ସରକାର ଆଇନର ବିରୋଧାଚରଣ କରୁଛି। ୨୦୧୨ରେ ସିଏଜି ଏହି ବେଆଇନ ସମ୍ପର୍କିତ ତଥ୍ୟ ରାଜ୍ୟ ସରକାରଙ୍କୁ ଜଣାଇଥିଲେ। ତା’ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପରାମର୍ଶ ଦେଇଥିଲେ। କିନ୍ତୁ ତା’ ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଯେଉଁଥିପାଇଁ ୨୦୧୯ରେ ନ୍ୟାସନାଲ ଗ୍ରିନ୍‌ ଟ୍ୟୁବୁନାଲ୍‌ର କଲିକତା ବେଞ୍ଚରେ ଏକ ପିଟିସନ୍‌ ଦାଖଲ ହୋଇଥିଲା। ୨୦୧୯ ମେ’ ମାସରେ ରାଜ୍ୟ ସରକାରଙ୍କୁ ନୋଟିସ୍‌ ହୋଇଥିଲା। କିନ୍ତୁ ରାଜ୍ୟ ସରକାର ଜବାବ ଦଖଲ କଲେ ନାହିଁ। ଶେଷରେ ଗତ ସେପ୍ଟେମ୍ବର ମାସରେ ଏନ୍‌ଜିଟି ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ଜେଲ୍‌ ଓ ଜରିମାନା କରିବାକୁ ନିର୍ଦେଶ ଦେଇଥିଲେ। ତା’ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ରିପୋର୍ଟ ଦାଖଲ ହୋଇଥିଲା। ରାଜ୍ୟ ସରକାର ତାଙ୍କ ସତ୍ୟପାଠରେ ମାନିନେଇଛନ୍ତି ଯେ ଏହି ଜଙ୍ଗଲ ଜମିରେ ବିଭିନ୍ନ ସଂସ୍ଥାକୁ ଦିଆଯାଇଛି। କୌଣସି ଅନୁମତି ନାହିଁ। ଏହାକୁ ଆଧାର କରି ଏନ୍‌ଜିଟିର ମୁଖ୍ୟ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ଏହି ଜଙ୍ଗଲ ଜମି ଉପରେ ନିର୍ମାଣ ଓ ଅନ୍ୟାନ୍ୟ କାର୍ଯ୍ୟ ନ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଏହାବ୍ୟତୀତ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ଏ‌ନ୍‌ଜିଟି ନିର୍ଦେଶ ଦେଇଛନ୍ତି ଯେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ରିପୋର୍ଟ ଆସନ୍ତା ଫେବ୍ରୁଆରି ୧୯ ପୂର୍ବରୁ ଦାଖଲ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର