ବିଏମ୍‌ସିର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: କାମ ଖରାପ ହେଲେ ଫସିବେ ଠିକାଦାର

 ଯାଞ୍ଚ କରିବ ଏକ୍ସପର୍ଟ ଟିମ୍‌,  ୧୪.୯୯% କମ୍‌ରେ ମିଳିବ ବର୍ଷରେ ୨ କାମ

ଭୁବନେଶ୍ବର : କୌଣସି ରାସ୍ତାର ନବୀକରଣ କାର୍ଯ୍ୟ ବର୍ଷଟିଏ ଯାଉନି। ମରାମତି ହେବାର ମାସକ ଭିତରେ ପିଚୁ ଉଠିଯାଉଛି। ପେଭର୍‌ ବ୍ଲକ୍‌ ୬ ମାସରେ ଫାଟିଯାଉଛି। କଂକ୍ରିଟ୍‌ ରାସ୍ତାରୁ ଗୋଡ଼ି ଉଠିବା ସହ ଛଡ଼ ବାହାରିଆସୁଛି। ଫଳରେ ବିଏମ୍‌ସିର କୋଟି କୋଟି ଟଙ୍କା ବରବାଦ ହେଉଛି ସିନା ଲକ୍ଷ୍ୟ ପୂରଣ ହେଉନି, ବରଂ ଏହି ଖାଲଖମା‌ ଭର୍ତ୍ତି ରାସ୍ତା ଦୁର୍ଘଟଣାର କାରଣ ସାଜୁଛି। କେବଳ ରାସ୍ତା ନୁହେଁ, ଡ୍ରେନ୍‌ଠାରୁ ଆରମ୍ଭ କରି ଲାଇଟ୍‌ ପର୍ଯ୍ୟନ୍ତ ସବୁଠି ଦୁର୍ନୀତି ଭର୍ତ୍ତି ହୋଇରହିଛି। ଏହାକୁ ଗୁରୁତ୍ବର ସହ ନେଇଛି ବିଏମ୍‌ସି। ଏଥର ଖରାପ କାମ କଲେ ଫସିବେ ଠିକାଦାର। ଏକ୍ସପର୍ଟ ଟିମ୍‌ କାମ ଯାଞ୍ଚ କରିବ। ଖର୍ଚ୍ଚ ଅନୁପାତରେ କାମ ହୋଇଛି କି ନାହିଁ ଦେଖିବା ପରେ ଏବଂ ଟିମ୍‌ର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ବ‌ା ବିଲ୍‌ ପାସ୍‌ ହେବ। ଆବଶ୍ୟକ ପଡ଼ିଲେ ଠିକାଦାର କଳା ତାଲିକାଭୁକ୍ତ ହୋଇପାରନ୍ତି, କିମ୍ବା ବିଲ୍‌ ଅଟକି ଯାଇପାରେ। ସମସ୍ତ ଠିକାଦାରୀ କାମରେ ଶୂନ୍ୟ ସହନଶୀଳତା ଘୋଷଣା କରିଛି ବିଏମ୍‌ସି।

ଏହା ସହିତ ବିଏମ୍‌ସି ପକ୍ଷରୁ ଆଉ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଯେଉଁ ଠିକାଦାର ଧାର୍ଯ୍ୟ ଦରର ୧୪.୯୯ ପ୍ରତିଶତ କମ୍‌ରେ ଟେଣ୍ଡର ପାଇବେ, ତାଙ୍କୁ ବର୍ଷକୁ ଅତିବେଶିରେ ଦୁଇଟି ଟେଣ୍ଡରରେ ଭାଗନେବାକୁ ସୁଯୋଗ ଦିଆଯିବ। ସେମାନେ ଦୁଇରୁ ଅଧିକ ଟେଣ୍ଡରରେ ଭାଗ ନେଇପାରିବେନାହିଁ। ଏହା ଦ୍ବାରା କାର୍ଯ୍ୟର ଗୁଣବତ୍ତା ବୃଦ୍ଧି ପାଇବା ସହ ଏକାଧିକ ଠିକାଦାର କାମ କରିବାର ସୁଯୋଗ ପାଇବେ। ଏଣୁ ବର୍ଷକ ମଧ୍ୟରେ ଜଣେ ଠିକାଦାରକୁ ଅଟକଳ ମୂଲ୍ୟର ୧୪.୯୯ ପ୍ରତିଶତ କମ୍‌ ଦରରେ ‌ଦୁଇଟି କାର୍ଯ୍ୟାଦେଶ ପ୍ରଦାନ କରିବା ଲାଗି ନିର୍ଦ୍ଦେଶନାମା ଜାରି କରିବାକୁ ବିଏମ୍‌ସି ସରକାରଙ୍କ ଠାରୁ ସ୍ବୀକୃତି ମାଗିଛି। ସୂଚନାଯୋଗ୍ୟ ଯେ ଯଦି କେହି ଠିକାଦାର ଅଟକଳ ବା ଧାର୍ଯ୍ୟ ଦରର ୧୫ ପ୍ରତିଶତ କିମ୍ବା ତା’ଠାରୁ ବେଶି ହ୍ରାସ କରି ଟେଣ୍ଡର ଆବେଦନ କରନ୍ତି, ତେବେ ସେହି ଆବେଦନ ପତ୍ର ବାତିଲ ହୋଇଯାଏ। ଏଣୁ ଠିକାଦାରମାନେ କାମ ପାଇବା ପାଇଁ ଚାଲାକି କରି ୧୪.୯୯ ପ୍ରତିଶତ କମରେ ଟେଣ୍ଡର ପକାଉଛନ୍ତି। ମାତ୍ର ଟେଣ୍ଡର ପାଇବା ପରେ ଠିକ୍‌ ସମୟରେ ଚୁକ୍ତି କରୁନାହାନ୍ତି। ଯାହା ଫଳରେ କାମ ହେଉନାହିଁ ଏବଂ ସାଧାରଣ ଲୋକ ପ୍ରଭାବିତ ହେଉଛନ୍ତି। ଯେଉଁମାନେ କାମ କରୁଛନ୍ତି, ସେମାନଙ୍କ କାମରେ ଗୁଣାତ୍ମକ ମାନର ଅଭାବ ରହୁଛି। କେବଳ କାମ ନେବା ପାଇଁ ଟେଣ୍ଡର ମୂଲ୍ୟରୁ କମାଇ ଠିକାଦାର ନେଇଯାଉଛି, କିନ୍ତୁ କାମ କରିପାରୁନାହିଁ। ଏଣେ ନିୟମ ଅନୁସାରେ ଏମାନଙ୍କୁ କାମରୁ ବାଦ୍‌ ଦିଆଯାଇପାରୁନାହିଁ। ଏଣୁ ବିଏମ୍‌ସି ଏଦିଗରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି।

ବିଏମ୍‌ସି ଅଧୀନରେ ରହିଥିବା ବିଭିନ୍ନ ରାସ୍ତାଘାଟ ମରାମତିରେ ସମୁଦାୟ ବଜେଟ୍‌ର ୨୯ ପ୍ରତିଶତ ଖର୍ଚ୍ଚ ହେଉଛି। ଆନୁମାନିକ ୧୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ଏହାବାଦ୍‌ ଡ୍ରେନ୍‌, ହାଟ, ଭେଣ୍ଡିଂ ଜୋନ୍‌ ପ୍ରଭୃତି ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏବେ ବିଏମ୍‌ସି ରାସ୍ତା ଉପରେ ପେଭର ବ୍ଲକ ପକାଇବା ଉପରେ ଗୁରୁତ୍ବ ଦେଇଛି। କେତେକ ନୂଆ ରାସ୍ତାକୁ ଖୋଳି ଦେଇ ପେଭର ବ୍ଲକ୍‌ ପକାଉଛି। ଏହି ପେଭର ବ୍ଲକ୍‌ ସବୁ ସ୍ବୀକୃତିପ୍ରାପ୍ତ ସଂସ୍ଥାଙ୍କ ଠାରୁ କିଣିବାକୁ ସ୍ଥିର କରାଯାଇଛି। ଏ ସବୁକୁ କିଛି ନିର୍ଦ୍ଦିଷ୍ଟ ସଂସ୍ଥାରୁ କିଣାଯାଉଛି। ଯାହା ଫଳରେ କମ୍‌ ଦିନରେ ଏ ସବୁ ନଷ୍ଟ ହୋଇଯାଉଛି। ଠିକ୍‌ ସେହିଭଳି ଯେତିକି ଓସାରର ରାସ୍ତା‌ ହେବା କଥା ତାହା ହେଉନାହିଁ। ଏଥିରେ କୋଟି କୋଟି ଟଙ୍କାର କେଳେଙ୍କାରୀ ହେଉଛି। ଇଞ୍ଜିନିୟରମାନଙ୍କ ସହ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ଏହି କେଳେଙ୍କାରୀ କର୍ତ୍ତୃପକ୍ଷଙ୍କ ନିକଟକୁ ଯାଇପାରୁନାହିଁ। ତେବେ ଏକ୍ସପର୍ଟ ଟିମ୍‌ କେତେଦୂର ଏହି କେଳେଙ୍କାରୀକୁ ପଦାକୁ ଆଣିପାରୁଛି, ତାହା ଦେଖିବାକୁ ବାକିରହିଛି।

ସମ୍ବନ୍ଧିତ ଖବର