ପିକକ୍‌ ଓ ବ୍ରିଟିସ୍‌ ଡେପୁଟି ହାଇକମିସନ ପକ୍ଷରୁ ଅନ୍ତର୍ଜାତୀୟ କନ୍ୟା ଦିବସ: ବିକାଶ ପାଇଁ ଲିଙ୍ଗଗତ ସମାନତା ଜରୁରୀ

ଭୁବନେଶ୍ବର: ପୁରୁଷଙ୍କ ତୁଳନାରେ ମହିଳାମାନେ କୌଣସି ଗୁଣରେ କମ୍‌ ନୁହନ୍ତି। କିନ୍ତୁ ଆମର ମାନସିକତା ଓ ଚିନ୍ତାଧାରା ମହିଳାଙ୍କୁ ପଛକୁ ଠେଲି ଦେଉଛି। ଦକ୍ଷତା ଥିଲେ ମଧ୍ୟ ଆମେ ସେମାନଙ୍କୁ ଗୁରୁଦାୟିତ୍ବ ଦେବା ପାଇଁ ଭରସା କରିପାରୁନାହେଁ। ଏଭଳି ମାନସିକତାରେ ପରିବର୍ତ୍ତନ ନିହାତି ଆବଶ୍ୟକ। ପୁଅ ଭଳି ଝିଅ ମଧ୍ୟ ସବୁ କାମକୁ ସହଜରେ କରିପା‌ରିବ। ତେଣୁ ମହିଳାଙ୍କୁ ସବୁ କ୍ଷେତ୍ରରେ ସମାନ ଅଧିକାର ମିଳିବା ଦରକାର ବୋଲି କଟକ ମହାନଗର ନିଗମ କମିସନର୍‌ ଅନନ୍ୟା ଦାସ କହିଛନ୍ତି। ‘ପିକକ୍‌’ ଓ ବ୍ରିଟିସ୍‌ ଡେପୁଟି ହାଇକମିସନ୍‌, କୋଲକାତା ପକ୍ଷରୁ ହୋଟେଲ୍‌ ଏକ୍ସେଲେନ୍ସିଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ କନ୍ୟା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ କହିଲେ ଯେ ଯେଉଁ ମହିଳାମାନେ ସମାଜରେ ଗୁରୁଦାୟିତ୍ବରେ ଅଛନ୍ତି ବା ପ୍ରତିଷ୍ଠା ଲାଭ କରିଛନ୍ତି, ସେମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବା ଆବଶ୍ୟକ। ମହିଳାଙ୍କ ବିକାଶ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ହେଲେ ସଚେତନତା ଅଭାବରୁ ତାହା ତୃଣମୂଳସ୍ତରରେ ପହଞ୍ଚି ପାରୁନାହିଁ। ଏଥିପାଇଁ ଆମକୁ ସ‌େଚତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରିବାକୁ ପଡ଼ିବ ବୋଲି ସେ କହିଥିଲେ।

‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଆଜି ବି ଯଦି ଝିଅ ଜନ୍ମ ହେବା କଥା ଉଠେ, ଅନେକେ ନାକ ଟେକନ୍ତି। ଏମିତିକି ଅନେକ ଶିଶୁ କନ୍ୟା‌ଙ୍କୁ ଗର୍ଭରେ ହତ୍ୟା କରିବାକୁ ଉଦ୍ୟମ କରାଯାଏ। ଏଭଳି ମାନସିକତା ତ୍ୟାଗ କରିବାକୁ ପଡ଼ିବ। କାରଣ ମହିଳାମାନେ ଉଚ୍ଚଶିକ୍ଷାଠାରୁ ଆରମ୍ଭ କରି ଖେଳକୁଦ, କଳା, ପ୍ରାଶାସନିକ ସେବା ଆଦି କ୍ଷେତ୍ରରେ ଆଗରେ ରହିଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅନେକ ସଫଳତା ହାସଲ କରିଛନ୍ତି। ପୁରୁଷଙ୍କ ଭଳି ମହିଳାଙ୍କୁ ମଧ୍ୟ ସମାନ ଅଧିକାର ଓ ସୁଯୋଗ ଦେଲେ ସେମାନେ ବି ପୁରୁଷଙ୍କଠାରୁ ଭଲ କାମ କରିପାରିବେ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ଅଭିନେତ୍ରୀ ଭୂମିକା ଦାସ, ପ୍ରିୟଦର୍ଶିନୀ ତ୍ରିପାଠୀ ଓ ‘ଚଲୋ ଚଲେ ହମ୍‌’ର ରୂପାଲି ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖି‌ଥିଲେ। ଏହି ଅବସରରେ ‘ଭାରତର ବିକାଶରେ ଲିଙ୍ଗଗତ ସମାନତା ଜରୁରୀ’ ଶୀର୍ଷକ ବିଷୟକୁ ନେଇ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ବରିଷ୍ଠ ସାମ୍ବାଦିକ ସନ୍ଦୀପ ପାହୁ ଓ ସଙ୍ଗୀତା ଅଗ୍ରୱାଲ ବିଚାରକ ଭାବେ ଯୋଗ ଦେଇ ଶ୍ରେଷ୍ଠ ପ୍ରତିଯୋଗୀ ଚୟନ କରିଥିଲେ। ‘ପିକକ୍‌’ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ବ୍ରିଟିସ୍‌ ଡେପୁଟି ହାଇକମିସନ୍‌, କୋଲକାତା ସ୍ବର୍ଣ୍ଣମୟୀ ଶତପଥୀ ଓ ‘ପିକକ୍‌’ର ସମ୍ପାଦକ ରଞ୍ଜନ ମହାନ୍ତି ମତ ରଖିଥିଲେ। ଅଜିଥା ମେନନ୍‌ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର