ପାଶ୍ଚାତ୍ୟ ସଂସ୍କୃତିର କୁପରିଣତି

ଜନତା ଜନାର୍ଦ୍ଦନ

ରମାଦେବୀ ବିଶ୍ବବିଦ୍ୟାଳୟର ଛାତ୍ରୀ ଝରାଫୁଲଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ପ୍ରତାରକ ପ୍ରେମିକ ତଥା ହତ୍ୟା‌କାରୀକୁ ଫାଶୀ ଭଳି କଠୋର ଦଣ୍ଡ ମିଳୁ ବୋଲି ସବୁ ମହଲରୁ ଦାବି ହେଉଛି। ତଥାପି ଏଭଳି ଅଭାବନୀୟ ଘଟଣାକୁ ନେଇ କିଛି ଭିନ୍ନ ମତ ବି ପ୍ରକାଶ ପାଇଛି। ଜଣେ କଲେଜ ପଢ଼ୁଆ ବୁଦ୍ଧିମତି ଛାତ୍ରୀ ଏଭଳି ଭୁଲ୍‌ ବାଟରେ ପାଦ ଥାପିବା ଘଟଣାକୁ ଅନେକ ନାପସନ୍ଦ କରିଛନ୍ତି। ମଣିଷ ଚିହ୍ନିବାରେ ଭୁଲ କରିବାରୁ ‌ତାଙ୍କୁ ଏଭଳି କୁପରିଣତି ଭୋଗିବାକୁ ପଡ଼ିଲା ବୋଲି କୁହାଯାଉଛି। ଛାତ୍ରୀ ହିସାବରେ ପାଠପଢ଼ାକୁ ଗୁରୁତ୍ବ ନ ଦେବା ଓ ନିଜ ସଂସ୍କୃତିକୁ ଭୁଲି ପାଶ୍ଚାତ୍ୟ ସଂସ୍କୃତି ପ୍ରତି ଆକୃଷ୍ଟ ହେବା ତାଙ୍କର ବଡ଼ ଭୁଲ୍ ବୋଲି କିଛି ମତ ପ୍ରକାଶ ପାଇଛି।

‘ପ୍ରେମ’କୁ ଖେଳ ଭାବୁଛନ୍ତି ଯୁବପିଢ଼ି
ଯୁବପିଢ଼ି ‘ପ୍ରେମ’କୁ ଖେଳ ବୋଲି ଭାବୁଛନ୍ତି। ଆଗପଛ ବିଚାର ନ କରି ଯିଏ ଟିକିଏ ଚିକ୍କଣ କଥା କହିଲା, ତା’ ଜାଲରେ ଫସି ଯାଉଛନ୍ତି। ସେଥିପାଇଁ ସେମାନଙ୍କ କ୍ୟାରିୟର୍‌ ଓ ଜୀବନ ନଷ୍ଟ ହେଉଛି। ଝରାଫୁଲ କ୍ଷେତ୍ରରେ ବି ଏଇୟା ଘଟିଛି। ଏଥିପାଇଁ ପରିବାର ଓ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ସଚେତନତା କରାଯିବାର ଆବଶ୍ୟକତା ରହିଛି।
ସୌମ୍ୟରଞ୍ଜନ ନାୟକ, ଛାତ୍ର

ବାପା ମା’ଙ୍କ ଆକଟରେ କମ ରହିଲା
ଝରାଫୁଲର ମୃତ୍ୟୁ ପାଇଁ ତା’ ବାପା ମା’ ଓ କଲେଜ କର୍ତ୍ତୃପକ୍ଷ ଦାୟୀ। ମୋ ମତରେ ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନେ ସୁରକ୍ଷିତ ନୁହନ୍ତି। ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାର ଆବଶ୍ୟକତା ରହିଛି।
ସୁବ୍ରତ ବିଶ୍ବାଳ, ଛାତ୍ର ନେତା

ପୁଲିସ୍‌ ଗୁରୁତ୍ବର ସହ ନେଉ
ଝରାଫୁଲକୁ ଗଣଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି ବୋଲି ମୋର ସନ୍ଦେହ ହେଉଛି। ତେଣୁ ରାକେଶ ସହ ଏକାଧିକ ଅଭିଯୁକ୍ତ ଏଥି‌ରେ ସାମିଲ ଅଛନ୍ତି। ପୁଲିସ୍‌ ଏହାକୁ ଗୁରୁତ୍ବର ସହ ନେଇ ନିରପେକ୍ଷ ତଦନ୍ତ କରୁ।
ରତନ କୁମାର ଦିଗଲ, ଛାତ୍ର ନେତା

ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର
ମହିଳାମାନେ ସଦାସର୍ବଦା ସତର୍କ ରହିବା ଜରୁରୀ। ନଚେତ୍‌ ଏମିତି କେତେ ଝରାଫୁଲ ଆଗକୁ ଅକାଳରେ ଝରିଯିବେ। ଝରାଫୁଲ ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ରହିଛି। ରାକେଶ ସହ ତା’ର ଆଉ କିଛି ସାଙ୍ଗ ମଧ୍ୟ ସାମିଲ ଥିବା ଭଳି ମନେ ହେଉଛି।
ସୁଶ୍ରୀ ସ୍ମିତା ମହାପାତ୍ର କଳିଙ୍ଗ ବିହାର

ନିଜେ ସତର୍କ ରହିବା ଜରୁରୀ
କାହାକୁ ଏତେ ଶୀଘ୍ର ବିଶ୍ବାସ କରିବା ଠିକ୍ ନୁହେଁ। ଗାଁରୁ ସହରକୁ ଆସି ଯଦି ମିଛ କହିବ, ପରିବାରଲୋକଙ୍କୁ ଅନ୍ଧାରରେ ରଖିବ, ତେବେ ଏପରି ପରିଣତି ଭୋଗିବାକୁ ହେବ। ନିଜେ ସତର୍କ ନ ରହିଲେ କେହି ବି ଆମ ସହ ଏମିତି କରିପାରିବ।
ଅନୀଷା ପଟ୍ଟନାୟକ, ଛାତ୍ରୀ

ଅଭିଭାବକମାନେ ଦାୟୀ
ଝରାଫୁଲର ମୃତ୍ୟୁ ପାଇଁ ତା’ର ଅଭିଭାବକମାନେ ବେଶି ଦାୟୀ। ଝିଅ କ’ଣ କରୁଛି, କାହା ସହ ମିଶୁଛି, ସେମାନେ ଖବର ରଖିଥିଲେ, ହୁଏତ ତାଙ୍କୁ ଏପରି ଦୁର୍ଦ୍ଦିନ ଦେଖିବାକୁ ପଡ଼ି ନଥା’ନ୍ତା। ସବୁ ଅଭିଭାବକ ଏହି ଘଟଣାକୁ ଏକ ଚେତାବନୀ ଭାବେ ବିବେଚନା କରିବା ଉଚିତ।
ପ୍ରଭାତ କୁମାର ପାଣିଗ୍ରାହୀ

ନାରୀମାନେ ଅସୁରକ୍ଷିତ
ଏହି ଘଟଣାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଆମ ରାଜ୍ୟରେ ନାରୀମାନେ କେତେ ସୁରକ୍ଷିତ। ମୋ ମତରେ ମନ୍ଦ ପ୍ରକୃତିର ବନ୍ଧୁମାନଙ୍କ ସହ ମିଶିବା ଝରାଫୁଲ ପାଇଁ କାଳ ହେଲା।
ସୁଶ୍ରୀ ମଧୁସ୍ମିତା

ସମ୍ବନ୍ଧିତ ଖବର