କୃଷ୍ଣମୟ ରାଜଧାନୀ, ସଂକୀର୍ତନରେ ଉଛୁଳିଲା ରାମ ମନ୍ଦିର

ଇସ୍କନ୍‌ରେ ଆଜି ମହାଭିଷେକ

ଶ୍ରୀକୃଷ୍ଣ ଭଜନରେ ଗୁଞ୍ଜରିତ ହେଉଥିଲା ଗଗନପବନ। ସ୍ନେହ, ଭକ୍ତି ଓ ଆଧ୍ୟାତ୍ମିକତାର ଏକ ଭାବବିହ୍ବଳ ପରିବେଶ ଜମିଥିଲା ସହରର ମଠ ଓ ମନ୍ଦିରରେ। ମୁଖରେ ଥିଲା କୃଷ୍ଣନାମ। ମନରେ ଥିଲା ଜନ୍ମଦିନରେ ପ୍ରଭୁଙ୍କୁ ଆଖି ପୂରେଇ ଦର୍ଶନ କରିବାର ଅଭିଳାଷ। ଖାସ୍‌ ଏଇଥିପାଇଁ ବିଳମ୍ବିତ ରାତିର ସେହି ଶୁଭ ମୁହୂର୍ତକୁ ଚାହିଁ ରହିଥିଲେ ଭକ୍ତ। ଜନ୍ମାଷ୍ଟମୀ ଅବସରରେ ସାରା ସହର ଆଜି କୃଷ୍ଣପ୍ରେମରେ ବିଭୋର୍‌ ହୋଇଉଠିଥିଲା। ପ୍ରଭୁଙ୍କ ଜନ୍ମ ଦିବସ ପାଳିବା ପାଇଁ ସହରର ପ୍ରାୟ ସବୁ ମଠ ଓ ମନ୍ଦିର ସଜେଇ ହୋଇଥିଲା। ସନ୍ଧ୍ୟାରୁ ଭଜନକୀର୍ତନରେ ବିଭୋର ଭକ୍ତ ବିଳମ୍ବିତ ରାତିର ଅମୃତ ମୁହୂର୍ତରେ ପ୍ରଭୁଙ୍କ ଜନ୍ମ ବୃତ୍ତାନ୍ତକୁ ପ୍ରତ୍ୟକ୍ଷ କରିଥିଲେ। ଲିଙ୍ଗରାଜ, ଇସ୍କନ, ରାମମନ୍ଦିର, ବାୟାବାବା ମଠ, ଏକାମ୍ର ସତ୍ୟ ସେବାଶ୍ରମ, ବରମୁଣ୍ଡାଗ୍ରାମସ୍ଥିତ ଗୋପାଳଜୀଉ ମନ୍ଦିର ଆଦିରେ ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା।

ରାମ ମନ୍ଦିରରେ ଆଜି ଯଥାରୀତି ପ୍ରଭୁଙ୍କ ମଙ୍ଗଳ ଆଳତି ପରେ ସକାଳ ସାଢ଼େ ୬ଟାରୁ ୭ଟା ପର୍ଯ୍ୟନ୍ତ ଶୃଙ୍ଗାର ବେଶ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭକ୍ତମାନେ ରାଧାକୃଷ୍ଣଙ୍କ ମନୋହର ବେଶ ଦର୍ଶନର ସୁଯୋଗ ଲାଭ କରିଥିଲେ। ସନ୍ଧ୍ୟା ୫ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ରାମମନ୍ଦିର ସତ୍‌ସଙ୍ଗ ମଣ୍ଡଳୀ ପକ୍ଷରୁ ଭଜନ ସଂକୀର୍ତନ ଚାଲିଥିଲା। ରାତି ୧୧ଟାରେ ପହଡ଼ ପଡ଼ି ଠାକୁରଙ୍କ ବେଶ ଓ ଅଭିଷେକ ହୋଇଥିଲା। ରାତି ୧୨ଟାରେ ପ୍ରଭୁଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥିଲା। ବହୁ ଭକ୍ତ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପସ୍ଥିତ ରହି ପ୍ରଭୁଙ୍କୁ ନୂଆ ବସ୍ତ୍ର ଓ ସୁସଜ୍ଜିତ ବେଶରେ ଦର୍ଶନ କରି ଉପବାସ ଭାଙ୍ଗିଥିଲେ।
ସେହିଭଳି ବାୟାବାବା ମଠ, ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏକାମ୍ର ସତ୍ୟସେବା ଆଶ୍ରମ ଏବଂ ବରମୁଣ୍ଡା ଗ୍ରାମ ଗୋପାଳଜୀଉ ମନ୍ଦିର ପକ୍ଷରୁ ମଧ୍ୟରୁ ଜନ୍ମାଷ୍ଟମୀ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଭୁଙ୍କ ଜନ୍ମ ଉତ୍ସବ ଦେଖିବା ପାଇଁ ଭିଡ଼ ଲଗାଇଥିଲେ। ଏଥିସହ କିଛି ସ୍ଥାନରେ ବସୁଦେବ କୃଷ୍ଣଙ୍କୁ ମୁଣ୍ଡାଇ ଗୋପପୁରକୁ ଯିବାର ପ୍ରତୀକାତ୍ମକ ବୃତ୍ତାନ୍ତ ଦେଖିବାକୁ ମିଳିଥିଲା। ଆଜି ଏହି ଉତ୍ସବ ପରେ ଆସନ୍ତାକାଲି ସାମାଜିକ ମତେ ଏବଂ ପଅରଦିନ ବୈଷ୍ଣବ ମତେ ନନ୍ଦ ଉତ୍ସବ ପାଳନ କରାଯିବ।

ଇସ୍କନ୍‌ରେ ଆଜି ମହାଭିଷେକ
ବୈଷ୍ଣବ ମତରେ ଜନ୍ମାଷ୍ଟମୀ ଶନିବାର ପଡ଼ୁଥିବାରୁ ସେହି ଦିନ ହିଁ ମହାପ୍ରଭୁଙ୍କର ଜନ୍ମୋତ୍ସବ ପାଳିତ ହେବ। କିନ୍ତୁ ଜନ୍ମାଷ୍ଟମୀ ଅବସରରେ ଇସ୍କନ ମନ୍ଦିର ପରିଚାଳନା କମିଟି ପକ୍ଷରୁ ୩ ଦିନିଆ ଉତ୍ସବର ଆୟୋଜନ କରାଯାଇଛି। ଇସ୍କନକୁ ସହରର ସର୍ବାଧିକ ଭକ୍ତଙ୍କ ଆଗମନ ହୋଇଥିଲା। ସକାଳ ସାଢ଼େ ୭ଟାରେ ଗୁରୁପୂଜା ଓ ମଙ୍ଗଳ ଆଳତି ପରେ ସକାଳ ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏବଂ ଅପରାହ୍‌ଣ ୩ଟାରୁ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଭଜନ କୀର୍ତନ ଲାଗି ରହିଥିଲା। ଭିଡ଼କୁ ଦୃଷ୍ଟିରେ ରଖି ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯାଇଥିଲା। ଶାନ୍ତିଶୃଙ୍ଖଳା ପାଇଁ ବହୁ ସଂଖ୍ୟାରେ ପୁଲିସ୍‌ ମୁତୟନ ହୋଇଥିଲେ। ତେବେ ବୈଷ୍ଣବ ମତେ ଶନିବାର ଜନ୍ମାଷ୍ଟମୀ ପଡ଼ୁଥିବାରୁ ଇସ୍କନରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ପ୍ରଭୁଙ୍କ ଦର୍ଶନ ସାଙ୍ଗକୁ ରାତି ୧୨ଟାରେ ମହାଭିଷେକ କରାଯାଇ ରାତି ୧ଟାରେ ମହା ଆରତି କରାଯିବ। ଏଥିସହ ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହାସହ ଇସ୍କନର ପ୍ରତିଷ୍ଠାତା ଶ୍ରୀଲ ପ୍ରଭୁପାଦଙ୍କ ଶୁଭ ଆବିର୍ଭାବ ଉତ୍ସବ ଅନୁଷ୍ଠିତ ହେବ। ଆଜି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣ ବେଶ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର