ଏବେ ବି ରହସ୍ୟ ଘେରରେ ଝରାଫୁଲ ମୃତ୍ୟୁ ଘଟଣା : ଘନୀଭୂତ ହେଉଛି ହତ୍ୟା ସନ୍ଦେହ

ତଦନ୍ତକୁ ନେଇ ଉଠୁଛି ପୁଳାପୁଳା ପ୍ରଶ୍ନ

ଏକାଧିକ ଦିଗକୁ ପୁଲିସର ଅଣଦେଖା
ଅଭିଯୁକ୍ତ କଥାରେ ଅଟକି ଯାଇଛି କି ପୁଲିସ?
ଅନେକ ପ୍ରମାଣ ନଷ୍ଚ କରି ସାରିଛି ରାକେଶ!

ଭୁବନେଶ୍ବର : ବହୁଚର୍ଚ୍ଚିତ ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁକୁ ୯ ଦିନ ବିତିଗଲାଣି। କିନ୍ତୁ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇ ପାରିନାହିଁ ତଦନ୍ତକାରୀ ପୁଲିସ। ଦିନ ଯେତେ ଗଡ଼ୁଛି, ଝରାଫୁଲକୁ ହତ୍ୟା ସନ୍ଦେହ ସେତେ ଘନୀଭୂତ ହେବାରେ ଲାଗିଛି। କାରଣ ମୁଖ୍ୟ ଅଭିଯୁକ୍ତ ରାକେଶ ପୁଲିସକୁ ମୃତ୍ୟୁର ଯେଉଁ ସାଦାସିଧା କାହାଣୀ ଶୁଣାଇ ଚାଲିଛି, ତାହା ପଛରେ ଆହୁରି ଅନେକ କାହାଣୀ ଲୁଚିଥିବା କୁହାଯାଉଛି। ଭିସେରା ପରୀକ୍ଷା ରିପୋର୍ଟ ଆସିଗଲେ ଏବଂ ରାକେଶର ସହଯୋଗୀ ଶେଖର ଧରାପଡ଼ିଗଲେ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିଯିବ ବୋଲି ଅପରାଧ ବିଶେଷଜ୍ଞମାନେ ମତ ଦେଉଛନ୍ତି।

ରାକେଶ ଗତ ୨୬ ତାରିଖ ଦିନ ଝରାଫୁଲଙ୍କୁ ସାଙ୍ଗରେ ଧରି ବୁଲିବାଠାରୁ ଗେଷ୍ଟହାଉସ୍ ପର୍ଯ୍ୟନ୍ତ ନେବା, ସେଠାରେ ରହିବା ଓ ମୃତଦେହକୁ ସ୍କୁଟିରେ ଧରି ଯିବାର ଚିତ୍ର ସିସିଟିଭିରେ କଏଦ ହୋଇ ରହିଛି। ଏହାର ଯଥେଷ୍ଟ ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ରହିଛନ୍ତି। ରାକେଶକୁ ତିନି ଦିନିଆ ରିମାଣ୍ଡରେ ଆଣି ପୁଲିସ ମାରାଥନ୍ ଜେରା କରିବା ସହ କ୍ରାଇମ ସିନ୍ ରିକ୍ରିଏଟ୍(ଡେମୋ) ମଧ୍ୟ କରିଛି। କିନ୍ତୁ ଖଣ୍ଡଗିରି ଧର୍ମବିହାରର ଓୟୋ ଗେଷ୍ଟହାଉସ୍‌ରେ ସେଦିନ ଏମିତି କଣ ଘଟିଲା ଯେ ଝରାଫୁଲଙ୍କର ମୃତ୍ୟୁ ହୋଇଗଲା? ଏଯାଏ ଏ ପ୍ରଶ୍ନର ଉତ୍ତର ଖୋଜିପାଉନି ପୁଲିସ। ଫଳରେ କୁଆଖିଆ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି।

ଏହି ସମ୍ବେଦନଶୀଳ ମାମଲାର ତଦନ୍ତକୁ ନିରୀକ୍ଷଣ କରୁଥିବା କିଛି ଅପରାଧ ବିଶେଷଜ୍ଞଙ୍କ କହିବା କଥା ହେଲା; ଝରାଫୁଲଙ୍କ ମୃତ୍ୟୁ ଘଟଣାରେ ଏକାଧିକ ଦିଗକୁ ପୁଲିସ ଅଣଦେଖା କରି ଚାଲିଛି। ଫଳରେ ଏହା ହତ୍ୟାକାଣ୍ଡ ନା ଅପମୃତ୍ୟୁ ସେ ରହସ୍ୟ ଉନ୍ମୋଚନ କରିବା ପୁଲିସ ପାଇଁ ଧୀରେଧୀରେ କଷ୍ଟକର ହୋଇ ପଡ଼ିଲାଣି। ଖାଲି ଏତିକି ନୁହେଁ; ଝରାଫୁଲଙ୍କ ମୃତ୍ୟୁ ହୋଇଥିବା ଜାଣିବା ପରେ ଗେଷ୍ଟହାଉସ୍‌ରୁ ଯାଇ ରାକେଶ ଏକାଧିକ ପ୍ରମାଣ ମଧ୍ୟ ନଷ୍ଟ କରି ଦେଇଥିବା ସନ୍ଦେହ କରାଯାଉଛି। ମୃତ୍ୟୁ ପଛରେ ଝରାଫୁଲ ଓ ରାକେଶଙ୍କ ପ୍ରେମ କାହାଣୀ ଥିବା କଥା ସ୍ପଷ୍ଟ ହୋଇ ସାରିଛି। କିନ୍ତୁ ଏହି ପ୍ରେମ କେଉଁଠୁ ଆରମ୍ଭ ହେଲା ସେ ଦିଗକୁ ପୁଲିସ ଛୁଇଁ ପାରିନାହିଁ। ଝରାଫୁଲଙ୍କ ବାପା ରମାକାନ୍ତ ନାୟକ ପୁଲିସ ନିକଟରେ ଦେଇଥିବା ବୟାନ ଅନୁସାରେ, ଲକ୍‌ଡାଉନ୍‌ରେ କଲେଜ ବନ୍ଦ ହୋଇଯିବା ପରେ ଝରାଫୁଲ ଗାଁକୁ ଚାଲି ଯାଇଥିଲେ। ସେହି ସମୟରେ ଅର୍ଥାତ୍ ମାର୍ଚ୍ଚ ମାସରେ ଯଶିପୁର ବୃନ୍ଦେଇପୋଷିରେ ପାଇପ୍‌ ବିଛା କାମର ସୁପରଭାଇଜର ରାକେଶଙ୍କ ସହ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। କିନ୍ତୁ ପୁଲିସ ରାକେଶର ଅତୀତ ରେକର୍ଡ଼ ସଂପର୍କରେ ତଦନ୍ତ କରିପାରିନି। ରଙ୍ଗିନ ମିଜାଜର ରାକେଶ ସହ ପୂର୍ବରୁ ଏମିତି ଆଉ କେତେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରହିଛି? ସେ କାହାକୁ ପ୍ରତାରଣା କରିଛି କି? ଝରାଫୁଲଙ୍କୁ ପ୍ରେମ ପଛରେ ରାକେଶର ଉଦ୍ଦେଶ୍ୟ କଣ ଥିଲା? ଯଦି ସେ ଝରାଫୁଲଙ୍କୁ ଏତେ ପ୍ରେମ କରୁଥିଲା ତାହେଲେ ଅସୁସ୍ଥ ଥିବା ଝରାଫୁଲକୁ ଖଣ୍ଡଗିରି ଅଞ୍ଚଳରେ ଥିବା ଏକାଧିକ ହସ୍ପିଟାଲ କିମ୍ବା କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଲାନି କାହିଁକି? ଏ ସବୁ ପୁରୁଣା ରେକର୍ଡ ଯାଞ୍ଚ କରିଛି କି ପୁଲିସ? ଝରାଫୁଲଙ୍କ ସମ୍ପର୍କରେ ତାଙ୍କ ସାଙ୍ଗ କିମ୍ବା ଗାଁର କୌଣସି ଲୋକଙ୍କଠାରୁ କାହିଁକି ଏଯାଏ ତଥ୍ୟ ହାସଲ କରିନାହିଁ ପୁଲିସ? ତଦନ୍ତକାରୀ ପୁଲିସ ଗାଁକୁ ଆସି ଆରମ୍ଭରୁ ତଦନ୍ତ କରିବା ଲାଗି ଝରାଫୁଲର ବାପା ରମାକାନ୍ତ ଦାବି କରିଛନ୍ତି। କିନ୍ତୁ ପୁଲିସ କେବଳ ଫୋନ କଲ୍‌ରେ ତଦନ୍ତ ଜାରି ରଖିଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ୨୬ ତାରିଖ ବିଳମ୍ବିତ ରାତିରେ ଝରାଫୁଲଙ୍କ ମୃତ୍ୟୁ ପରେ ପରଦିନ ଅର୍ଥାତ୍ ୨୭ ତାରିଖ ସକାଳେ ରାକେଶ ଗେଷ୍ଟହାଉସରୁ ବାହାରି ସହଯୋଗୀ ଶେଖରକୁ ଆଣିବା ସମୟରେ ଅନେକ ପ୍ରମାଣ ନଷ୍ଟ କରି ଦେଇଥିବା ସନ୍ଦେହ କରାଯାଉଛି। ଏପରିକି ଝରାଫୁଲଙ୍କ ମୋବାଇଲ ଫୋନ୍, କିଛି ଆପତ୍ତିଜନକ ସାମଗ୍ରୀ, ଔଷଧ, ନିଶାଦ୍ରବ୍ୟ, ଡ୍ରେସ୍ ଆଦି ବାଟରେ ଫିଙ୍ଗି ଦେଇଥିବା କୁହାଯାଉଛି। ଯଦି ଝରାଫୁଲଙ୍କ ମୃତ୍ୟୁ ଅସୁସ୍ଥତା କାରଣରୁ ହୋଇଛି, ତେବେ ରାକେଶ ପ୍ରମାଣ ନଷ୍ଟ ପାଇଁ ଏମିତି କଲା କାହିଁକି? ତେଣୁ କୌଣସି କାରଣରୁ ଝରାଫୁଲକୁ ହତ୍ୟା କଲା ପରେ ହିଁ ସେ ଏମିତି କରିଥିବା ବିଚାର କରାଯାଉଛି। ଏହା ବ୍ୟତୀତ ୯ ଦିନ ହେଲା ସହଯୋଗୀ ଶେଖରର ଆତ୍ମଗୋପନ କରିବା ଘଟଣାରୁ ମଧ୍ୟ ହତ୍ୟା ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି।

ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରାକେଶର ମନ୍ଦ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇ ସାରିଥିଲେ ମଧ୍ୟ ସତେ ଯେପରି ତଦନ୍ତାକରୀ ଅଧିକାରୀ ଅଭିଯୁକ୍ତର ବୟାନରେ ସନ୍ତୁଷ୍ଟ ହୋଇ ଯାଇଛନ୍ତି। ହତ୍ୟା ରହସ୍ୟ ଘନୀଭୂତ ହେଉଥିବାବେଳେ ପୁଲିସ ଏ ଦିଗକୁ ଅଣଦେଖା କରୁଛି କି? କେବଳ ସାଧାରଣରେ ନୁହେଁ; ପୁଲିସ ମହଲରେ ମଧ୍ୟ ଏ ପ୍ରଶ୍ନ ଉଠିବାରେ ଲାଗିଛି। ଆଉ ଏଭଳି ଦିଗହରା ତଦନ୍ତ ପାଇଁ ଅଭିଯୁକ୍ତ ସହଜରେ ଖସିଯିବା ସନ୍ଦେହ ମଧ୍ୟ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର