ଫାଷ୍ଟଫୁଡ୍‌ ଦୋକାନରେ ଝରାଫୁଲଙ୍କ ସିସିଟିଭି ଫୁଟେଜ୍‌ : ରାକେଶ ସହ ଯାଇଥିଲେ, ବିରିୟାନି ଖାଇ ନ ଥିଲେ

କାନ୍ଦ କାନ୍ଦ ଦେଖାଯାଉଥିଲେ, ବାନ୍ତି ବି କରିଥିଲେ
ଗେଷ୍ଟ ହାଉସରେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସର ତଦନ୍ତ
ବେଡସିଟ୍ ରେଜିଷ୍ଟର, ସିସିଟିଭି ଫୁଟେଜ ଜବତ, ରୁମ୍ ସିଲ୍‌
ଗେଷ୍ଟହାଉସ୍‌ର ଦୁଇ କର୍ମଚାରୀଙ୍କୁ ମାରାଥନ୍ ଜେରା

ଭୁବନେଶ୍ବର/ଯାଜପୁର/ନଠୁଆବର : ରମାଦେବୀ ବିଶ୍ବବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କ ରହସ୍ୟମୟ ମୃତ୍ୟୁ ପରେ ପ୍ରତିଦିନ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଘଟଣାକୁ ୪ ଦିନ ବିତି ଯାଇଥିଲେ ହେଁ, ଏ ଯାଏ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ସେହି ରହସ୍ୟ ଉପରୁ ପରଦା ଉଠାଇବା ପୁଲିସ ପକ୍ଷରେ ସମ୍ଭବ ହୋଇନାହିଁ। ଝରାଫୁଲଙ୍କ ପ୍ରେମିକ ତଥା ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁ ଗିରଫ ହେବା ପରେ ଯେଉଁ ବୟାନ ଦେଇଛି; ପୁଲିସର ତଦନ୍ତ ସେହି ଅନୁସାରେ ଆଗକୁ ବଢ଼ୁଛି। ଆଜି ଯାଜପୁରରୋଡ଼ ଏସଡିପିଓ ଚିନ୍ମୟ ନାୟକ, କୁଆଖିଆ ଥାନାଧିକାରୀ ମନୋଜ ସ୍ବାଇଁ ଓ ସାଇଣ୍ଟିଫିକ୍ ଟିମ୍ ଭୁବନେଶ୍ବର ଆସି ୨୬ ତାରିଖ ରାତିରେ ଝରାଫୁଲ ଓ ର‌ାକେଶ ରହିଥିବା ଖଣ୍ଡଗିରି ଧର୍ମବିହାର ସ୍ଥିତ ଓୟୋ ଶିବସାଇ ଗେଷ୍ଟ ହାଉସ୍‌ର ୨୦୧ ନମ୍ବର ରୁମ୍‌ରେ ଛାନ୍‌ଭିନ୍ କରିଛନ୍ତି। ଏହା ବ୍ୟତୀତ ଦୁହେଁ ପୋଖରୀପୁଟର ଯେଉଁ ଫାଷ୍ଟଫୁଡ୍ ସେଣ୍ଟରରେ ବିରିୟାନି ଖାଇଥିଲେ, ସେଠାରେ ମଧ୍ୟ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି ତଦନ୍ତକାରୀ ଟିମ୍।

ବର୍ତ୍ତମାନ ସୁଦ୍ଧା ତଦନ୍ତରୁ ଏ କଥା ସ୍ପଷ୍ଟ ହୋଇଛି ଯେ ୨୬ ତାରିଖ ପୂର୍ବାହ୍ନ ୧୧ଟା ୧୦ରେ ଝରାଫୁଲ ମୟୂରଭଞ୍ଜ ଯଶୀପୁର ଯିବା ଲାଗି ଝାଡ଼େଶ୍ବର ବସ୍‌ରେ ଚଢ଼ିଥିବା ବେଳେ ବାଣୀବିହାର-ସତସଙ୍ଗବିହାର ମଝିରେ ଓହ୍ଲାଇ ପଡ଼ିଥିଲେ। ସେଠାରୁ ଚାଲିଚାଲି ରୂପାଲି ଛକ ପର୍ଯ୍ୟନ୍ତ ଆସିବା ପରେ ପ୍ରେମିକ ରାକେଶ ସ୍ବାଇଁ ସହ ସ୍କୁଟିରେ ଯାଇଥିଲେ। ସେଠାରୁ ସେମାନେ ମଧ୍ୟାହ୍ନ ୧୨ଟା ୨୦ରେ ସିଧା ଲିଙ୍ଗରାଜ ରେଳଷ୍ଟେସନ ନିକଟରେ ଥିବା ଏକ ଫାଷ୍ଟଫୁଡ୍ ଦୋକାନକୁ ଯାଇଥିଲେ। ଝରାଫୁଲଙ୍କ ପେଟ ଖରାପ ଥିଲା। ଫାଷ୍ଟଫୁଡ୍ ଦୋକାନ ମାଲିକ କହିବା‌ ଅନୁଯାୟୀ, ରାକେଶ ଗୋଟିଏ ପ୍ଲେଟ୍ ଚିକେନ୍ ବିରିୟାନି ମଗାଇଥିଲେ। ସେହି ପ୍ଲେଟରୁ ରାକେଶ ଗୋଟିଏ ଚାମଚ ଝରାଫୁଲଙ୍କୁ ଖୁଆଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଖାଇ ନ ଥିଲେ। ତାଙ୍କ ମୁହଁ କାନ୍ଦ କାନ୍ଦ ଦିଶୁଥିଲା। ପେଟ ଖରାପ ଥିବା ଓ ମୁଣ୍ଡ ବୁଲାଉଥିବା କହି ସେ ଦୋକାନ କଡ଼ରେ ବାନ୍ତି ମଧ୍ୟ କରିଥିଲେ। ଯାହା ସିସିଟିଭି ଫୁଟେଜରେ କଏଦ ରହିଛି। ଝରାଫୁଲ ଗୋଟିଏ ଟେବୁଲରେ ମୁଣ୍ଡ ରଖି ଶୋଇବା ସହ ରାକେଶ ଆଉ ଗୋଟିଏ ଟେବୁଲରେ ବସି ଖାଇଥିଲା। ଅପରାହ୍ନ ପ୍ରାୟ ୧ଟା ୫ରେ ଦେହ ସୁସ୍ଥ ଲାଗୁଥିବା କହିଥିଲେ ଝରାଫୁଲ। ରାକେଶ ତାଙ୍କ ମୁଣ୍ଡରେ ହେଲମେଟ ପିନ୍ଧାଇବା ପରେ ଫାଷ୍ଟଫୁଡ ଦୋକାନରୁ ସ୍କୁଟିରେ ବାହାରି ଯାଇଥିଲେ। ଏହି ପୂରା ଘଟଣାର ସିସିଟିଭି ଫୁଟେଜକୁ ପୁଲିସ ଯାଞ୍ଚ କରିବା ସହ ଜବତ ମଧ୍ୟ କରିଛି।

ଅପରାହ୍ନ ପ୍ରାୟ ୨ଟାରେ ରାକେଶ ଓ ଝରାଫୁଲ ଶିବସାଇ ଓୟୋ ଗେଷ୍ଟ ହାଉସରେ ପହଞ୍ଚିଥିଲେ। ଆଧାର କାର୍ଡ ଦେଇ ଉପର ମହଲାର ରୁମ୍ ନଂ-୨୦୧ ବୁକ୍ କରିଥିଲେ। ଦୁହେଁ ସେହିଠାରେ ହିଁ ରାତି ବିତାଇଥିଲେ। ସେହି ଗେଷ୍ଟ ହାଉସରେ ବିଳମ୍ବିତ ରାତି କିମ୍ବା ଭୋର ସମୟରେ ଝରାଫୁଲର ମୃତ୍ୟୁ ହୋଇଥିବା ରାକେଶ ଜାଣିବା ପରେ ସହଯୋଗୀ ଶେଖରକୁ ଡାକି ଆଣିଥିଲା। ସେଠାରୁ ଉଭୟ ମୃତଦେହକୁ ନେଇ ସ୍କୁଟିରେ ପଳାଇଥିଲେ। ପୂରା ରହସ୍ୟ ସେଠାରେ ଲୁଚି ରହିଥିବାରୁ ତଦନ୍ତକାରୀ ଅଧିକାରୀଏସଡିପିଓ ଶ୍ରୀ ନାୟକ, କୁଆଖିଆ ଥାନାଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ଏହି ରୁମ୍‌କୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥଲେ। ଗେଷ୍ଟହାଉସ୍‌ର କେଆରଟେକରକୁ ପଚରାଉଚରା କରିଥିଲେ। ରାକେଶ ଓ ଝରାଫୁଲ ରହିଥିବା ରୁମ୍‌ର ବେଡସିଟ୍ ଜବତ କରିବା ସହ କିଛି ନମୁନା ସଂଗ୍ରହ କରିଥିଲେ। ଗେଷ୍ଟ ହାଉସ୍ ରେଜିଷ୍ଟର, ସିସିଟିଭି ଫୁଟେଜ୍ ମଧ୍ୟ ଜବତ କରିଥିଲେ। ବେଡସିଟ୍ ଓ ନମୁନାକୁ ପରୀକ୍ଷା ଲାଗି ଫୋରେନସିକ୍ ଲାବରେଟାରିକୁ ପଠାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ସେହିପରି ଉକ୍ତ ରୁମକୁ ପୁଲିସ ସିଲ୍ କରି ଦେଇଛି।

ତେବେ ପ୍ରଶ୍ନ ଉଠୁଛି, ଏତେ ସନ୍ଦେହଜନକ ଘଟଣା ଘଟିଥିଲେ ମଧ୍ୟ ଗେଷ୍ଟ ହାଉସ୍ କର୍ମଚାରୀ କାହିଁକି ଏ ସମ୍ପର୍କରେ ସ୍ଥାନୀୟ ପୁଲିସକୁ ଜଣାଇଲେ ନାହିଁ? ଝରାଫୁଲ ଅସୁସ୍ଥ ଥିବା କଥା କହି ଯଦି ରାକେଶ ଓ ସହଯୋଗୀ ଶେଖର ସେଠାରୁ ଯାଇଥିଲେ ତାହେଲେ ଘଟଣା ସମ୍ପର୍କରେ ସେମାନଙ୍କୁ ପରେ କାହିଁକି ପଚାରି ବୁଝିବାକୁ ଚେଷ୍ଟା କରି ନ ଥିଲେ? ୨୭ ତାରିଖରେ ଝରାଫୁଲଙ୍କ ମୃତଦେହ ମିଳିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମଧ୍ୟ ସେ ହୋଟେଲରେ ଥିବା ନେଇ କାହିଁକି ପୁଲିସକୁ ସୂଚନା ଦେଇ ନ ଥିଲେ? ସେହି ଦୁଇ ଜଣ ଗେଷ୍ଟ ହାଉସରେ ରହିଥିବା ନେଇ ପୁଲିସକୁ କାହିଁକି ସୂଚନା ଦେଇ ନ ଥିଲେ? ଏଭଳି ଏକାଧିକ ସନ୍ଦେହଜନକ ଦିଗ ସାମ୍ନାକୁ ଆସିବା ପରେ ପୁଲିସ ଗେଷ୍ଟ ହାଉସର ଦୁଇ ଜଣ କର୍ମଚାରୀଙ୍କୁ ଆଜି ମାରାଥନ୍ ଜେରା କରିଛି। ୨୬ ତାରିଖ ରାତିରେ ଆଉ କଣ ଘଟିଥିଲା? ସେମାନଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା କି? ରାକେଶ ରାତିରେ କିଛି ଖାଦ୍ୟ ମଗାଇଥିଲେ କି? ଏ ସବୁ ଦିଗକୁ ନେଇ ଦୁଇ କର୍ମଚାରୀଙ୍କୁ ତଦନ୍ତକାରୀ ଟିମ୍ ପଚରାଉଚରା କରିବା ପରେ ରାତିରେ ସେମାନଙ୍କୁ ଛାଡ଼ି ଦେଇଛନ୍ତି। ଏହା ବ୍ୟତୀତ ତଦନ୍ତକାରୀ ଟିମ୍ ରମାଦେବୀ ବିଶ୍ବବିଦ୍ୟାଳୟର କୁଳପତି ଏବଂ ଝରାଫୁଲ ରହୁଥିବା ଇନ୍ଦିରାଗାନ୍ଧୀ ଏସ୍‌ଟି ‌ହଷ୍ଟେଲର କର୍ମକର୍ତ୍ତାଙ୍କୁ ମଧ୍ୟ ପଚରାଉଚରା କରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ଯାଜପୁର କୁଆଖିଆ ନିକଟରୁ ଝରାଫୁଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ୨୮ ତାରିଖରେ ମୁଖ୍ୟ ଅଭିଯୁକ୍ତ ରାକେଶ ଏୟାରଫିଲ୍ଡ ଥାନାରେ ଆତ୍ମସମର୍ପଣ କରିବା ପରେ ଯାଜପୁର ପୁଲିସକୁ ହସ୍ତାନ୍ତର କରା ଯାଇଥିଲା। ଗତକାଲି କୋର୍ଟଚାଲାଣ ପରେ ରାକେଶକୁ ଜେଲ୍ ପଠାଇ ଦିଆ ଯାଇଥିଲା। ପୁଲିସ ୫ ଦିନିଆ ରିମାଣ୍ଡ ଆବେଦନ କରିଥିବା ବେଳେ ଫେବ୍ରୁଆରୀ ୧ ତାରିଖରେ ଯାଜପୁର ଜିଲ୍ଲା ଦୌରଜଜଙ୍କ କୋର୍ଟରେ ଶୁଣାଣି କରାଯିବ।

ସମ୍ବନ୍ଧିତ ଖବର