କଳିଙ୍ଗ ନାଟ୍ୟ ମହୋତ୍ସବ : ବାପାଙ୍କ ‘ଘର’…

ଭୁବନେଶ୍ବର : ବୟସର ଅପରାହ୍‌ଣରେ ଅନେକଙ୍କ ଇଚ୍ଛା ନିଜ ଗାଁ ମାଟିରେ ଶେଷ ଜୀବନ ଜିଇଁବେ। ମାତ୍ର ୧୯୯୯ ମସିହା ବାତ୍ୟାରେ ବିପତ୍ନୀକ ମାନଗୋବିନ୍ଦଙ୍କ ପୁରୁଣା ଘର ଭାଙ୍ଗିଯାଏ। ପରିସ୍ଥିତିର ଦାସ ମାନଗୋବିନ୍ଦ ଭଙ୍ଗା ଘରକୁ ସଜାଡ଼ି ଦେବାକୁ ନିଜ ପୁଅମାନଙ୍କ ସାହାଯ୍ୟ ଲୋଡ଼ନ୍ତି। ପୁଅମାନେ କିନ୍ତୁ ଭୁବନେଶ୍ବରରେ ଘର ତୋଳିବାର ମୋହରେ ଅନ୍ଧ। ମାତ୍ର ଯୋଉ ଘର ସହ ନିଜର ପୁରୁଣା ସମ୍ପର୍କ ଯୋଡ଼ା ହୋଇଛି ସେ ଘର ପ୍ରତି ସାମାନ୍ୟତମ ଉତ୍ସାହ ବି ଦେଖାଇ ନାହାନ୍ତି। ବରଂ ଏ ମଫସଲରେ ଘର ତୋଳି କି ଲାଭ ବୋଲି ବାପାଙ୍କୁ ଶୁଣାଇ ଦେଇଛନ୍ତି। ବାପାଙ୍କ ଆବେଗ ଓ ଭାବପ୍ରବଣତାର ଯେମିତି କୌଣସି ମୂଲ୍ୟ ନାହିଁ। ଏହିଭଳି ଏକ କଥାବସ୍ତୁକୁ ଆଧାର କରି ଆଜି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ମଂଚସ୍ଥ ହୋଇଥିଲା ନାଟକ ‘ଘର’। ଆଜି ବି ଗାଁ’ରେ ଭାଙ୍ଗିଯାଇଥିବା ଘରଟିଏ ସଜାଡ଼ିବା ପାଇଁ ଅନେକ ବାପା ଅଭାବବୋଧରେ ଘାରି ହେଉଥିବା ବେଳେ ଏହିଭଳି ଏକ କଥାବସ୍ତୁକୁ ନାଟକରେ ପରସି ଦେଇଥିଲେ ‘ଶତାବ୍ଦୀର କଳାକାର’ ଅନୁଷ୍ଠାନର କଳାକାରବୃନ୍ଦ।

ଶତାବ୍ଦୀର କଳାକାର ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ବହୁଭାଷୀ କଳିଙ୍ଗ ନାଟ୍ୟ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ମଂଚସ୍ଥ ଏହି ନାଟକର ନାଟ୍ୟକାର ଥିଲେ ବିଶିଷ୍ଟ କଥାକାର ଗୌରହରି ଦାସ। ନିର୍ଦେଶନା ଦେଇଥିଲେ ଦର୍ପନାରାୟଣ ସେଠୀ। ସୌଭାଗ୍ୟ ସଂଗୀତ ନିର୍ଦେଶନା ଦେଇଥିବା ବେଳେ ମଂଚ ସଜାଇଥିଲେ ସଂଗ୍ରାମ। ବିଜୟ, ଓଁକାର, ଆକାଶ, ଅପୂର୍ବ, ବିନୋଦ, ବିଭୁ, ସନ୍ତୋଷ, ବ୍ରଜମୋହନ, ସହସ୍ରାକ୍ଷ, ଅଞ୍ଜଳି, ବେବି, ପ୍ରିୟଙ୍କା, ଓମ୍‌, ସୋନା ପ୍ରମୁଖ ଅଭିନୟ କରିଥିଲେ। ପୂର୍ବରୁ ଏହି କାହାଣୀ ଇଟିଭିରେ ପ୍ରସାରିତ ‘ପ୍ରତିବିମ୍ବ’ ଧାରାବାହିକରେ ପ୍ରଦର୍ଶିତ ହୋଇ ଦର୍ଶକଙ୍କ ପ୍ରଶଂସା ଲାଭ କରିଥିଲା। ସନ୍ଧ୍ୟାରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ପୂର୍ବତନ ମନ୍ତ୍ରୀ ଶରତ ରାଉତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଶତାବ୍ଦୀର କଳାକାର ନାଟ୍ୟାନୁଷ୍ଠାନର ସଭାପତି ଗୌରହରି ଦାସ ଏବଂ ସାଧାରଣ ସମ୍ପାଦକ ଧୀରେନ୍ଦ୍ରନାଥ ମଲ୍ଲିକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର