କେନାଲ ସଫା ହୋଇପାରିଲାନି, ପାଣି ଆସିଲା, ବିଲକୁ ମାଡ଼ୁନି

ବାଲିପାଟଣା: ବାତ୍ୟା ଫନିର ଅଢ଼େଇ ମାସ ପରେ ବି ନିମାପଡ଼ା ଶାଖା କେନାଲ ଓ ଅଙ୍କୁଶପୁର କେନାଲରେ ଗଛ ଓ ଡାଳ ପତ୍ର ପଡ଼ି ରହିଛି। କେନାଲରେ ଘାସ ମାଡ଼ିଯିବା ସହ ଲତା ମାଡ଼ି ପାଣି ଯିବା ରାସ୍ତାକୁ ଅବରୋଧ କରି ରଖିଛି। ଫଳରେ ପାଣି ଛଡ଼ାଯାଇଥିଲେ ହେଁ ବିଲ ପର୍ଯ୍ୟନ୍ତ ପହଞ୍ଚି ପାରୁନି। ତେଣୁ ବାଲିପାଟଣା ବ୍ଲକରେ ପାଣି ଅଭାବରୁ ଚାଷକାମ ବିଳମ୍ବ ହେଉଛି। ବାଲିପାଟଣା ଜଳସେଚନ ବିଭାଗ କାର୍ଯ୍ୟାଳୟ ସୂଚନା ମୁତାବକ ପୁରୀ ମେନ କେନାଲରୁ ନିମାପଡ଼ା ଶାଖା କେନାଲକୁ ଗତ ୧୬ତାରିଖରେ ପାଣି ଛଡ଼ାଯାଇଛି। ୧୮ ତାରିଖ ସୁଦ୍ଧା ଅଙ୍କୁଶପୁର କେନାଲରେ ପାଣି ଛଡାଯାଇଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଚାଷୀଙ୍କ ବିଲକୁ ପାଣି ଯାଉନି। ଅକ୍ଷୟ ତୃତୀୟା ଠାରୁ ଚାଷୀ ବିଲରେ ବେଉଷଣ କରି ଧାନ ବୁଣିଛି। ବୁଣାଧାନରେ ଲଙ୍ଗଳ ମାରିବା ସମୟ ମଧ୍ୟ ହୋଇଗଲାଣି। ମାତ୍ର ପାଣି ନଥିବାରୁ ଚାଷୀ ହାତବାନ୍ଧି ବସିଛି। ରୁଆ ଧାନ ପୋତା ହୋଇଗଲାଣି। ହେଲେ ଜମି ଶୁଖିଲା ପଡ଼ିଛି। କେନାଲ ଓ ମାଇନର ସଫା ନହେବାରୁ ପାଣି ବିଲକୁ ମାଡୁନି। ଜଳସେଚନ ବିଭାଗର ଖାମ ଖିଆଲି ମନୋଭାବ ଯୋଗୁ ଏପରି ଅବସ୍ଥା ସୃଷ୍ଟି ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ସରକାରଙ୍କ ତରଫରୁ ଯୋଗାଯାଇଥିବା ଧାନ ବିହନ ଗଜା ହେଉନଥିବା ବେଳେ ଏବେ ପାଣି ସମସ୍ୟା ବେଡ଼ି ଉପରେ କୋରଡ଼ ମାଡ଼ ସଦୃଶ ହୋଇଛି। ଶହଶହ ଚାଷୀ ପୁନର୍ବାର ବିଲ ଚାଷକରି ବିହନ କିଣି ତଳି ପକାଇଛନ୍ତି। ବିଲ ଶୁଖିଲା ପଡ଼ିବାରୁ ବୁଣା ଧାନରେ ପୋକ ଲାଗିଯିବା ସହ ଘାସ ମାଡି ଗଲାଣି। ସୋସାଇଟି ଗୋଦାମ ଗୃହ ଫନିରେ କ୍ଷତିଗ୍ରସ୍ତ ହୋଇଥିବାରୁ ସାର, ପିଡ଼ିଆ ବିଳମ୍ବରେ ଆସିଛି। ଅନ୍ୟପଟେ ମୌସୁମୀ ଏକରକମ ଗାଏବ ହୋଇଯାଇଛି। ବାତ୍ୟାରେ ବିଲବାଡିକୁ ପାଣି ଯୋଗାଇବା ଲାଗି ଲିଫ୍ଟ ପଏଣ୍ଟ, ବୋରିଂକୁ ବିଦ୍ୟୁତ ସଂଯୋଗ ଦିଆଯାଇ ନ ଥିବାରୁ ସେଗୁଡ଼ିକ ଅଚଳ ହୋଇ ପଡ଼ିଛି। ବାଲିପାଟଣା ଅଞ୍ଚଳରେ ହଜାର ହଜାର ହେକ୍ଟର ଚାଷ ଜମି ଏବେ ଶୁଖିଲା ପଡ଼ିବାରୁ ଚଳିତ ଋତୁରେ ଧାନ ଚାଷ ଉତ୍ପାଦନ କମିଯିବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ରବି ଫସଲ ପୂର୍ବରୁ କେଲାନ ସଫା ହେବା କଥା। କିନ୍ତୁ ବାଲିପାଟଣା ଜଳସେଚନ ବିଭାଗରେ କାଁ, ଭାଁ କାମ ହୋଇଛି। ନିମାପଡା ଶାଖା କେନାଲର, ଅଙ୍କୁଶପୁର କେନାଲ ହାତମରା ହୋଇନାହିଁ ବୋଲି ବସନ୍ତମାଳ ସେକ୍ସନ ଯନ୍ତ୍ରୀ ପ୍ରସନ୍ନ କୁଜୁ କହିଛନ୍ତି। କାମ ହୋଇ ନ ପାରିବାରୁ କେନାଲରେ ପାଣି ଯାଉନାହିଁ। ଯନ୍ତ୍ରୀ ଶ୍ରୀ କୁଜୁଙ୍କ କହିବା ମୁତାବକ, ପ୍ରଥମ ପର୍ଯ୍ୟାୟରେ ଲିକେଜ, (ଭୋଳିଆ) ଜାଣିବା ପାଇଁ ପାଣି ଛଡାଯାଇଛି। ଚାଷ ଋତୁ ଅଧାରେ ଯଦି ପାଣି ପରୀକ୍ଷାମୂଳକ ଭାବେ ଦିଆଗଲା ତେବେ ସଫା, ଭୋଳିଆ ମରାମତି ‌କେବେ ହୋଇ ବିଲକୁ ପାଣି ମାଡ଼ିବ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ସରାଟର ଚାଷୀ ରବୀନ୍ଦ୍ର ବେହେରାଙ୍କ କହିବା ଅନୁଯାୟୀ, ଧାନ ତଳି ରୋଇବା ସମୟ ହୋଇଥିଲେ ବି ପାଣି ଅଭାବରୁ ବିଲ କାଦୁଅ ହୋଇପାରୁନାହିଁ। ସମାନ ଅଭିଯୋଗ କରିଛନ୍ତି ଗଡ଼ବନ୍ତପୁର ଚାଷୀ ଦୀନବନ୍ଧୁ ସ୍ୱାଇଁ। ମୁଗ ଚାଷ ବିଲରେ ଉଜୁଡ଼ିଲା ପରେ ଏ ଯାଏ କ୍ଷତିପୂରଣ ମିଳିନାହିଁ। ଏବେ ବର୍ଷା ଦାଉ ସାଧୁଛି। ଧାର କରଜ କରି ଧାନ ଚାଷ କରୁଥିବା ଚାଷୀ କିପରି ସୁଝିବେ ବୋଲି ଚିନ୍ତାରେ ରହିଛନ୍ତି। ତୁରନ୍ତ କେନାଲ, ମାଇନର ସଫା କରାଯାଇ ବିଲକୁ ପାଣି ଯୋଗାଇବା ପାଇଁ ସାଧାରଣରେ ଦାବି ହେଉଛି। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚାଷୀମାନେ ଚେତାବନୀ ଦେଇଛିନ୍ତି।

ସମ୍ବନ୍ଧିତ ଖବର