ମାଘ ସପ୍ତମୀରେ ମନ୍ତ୍ରମୟ ଖଣ୍ଡଗିରି : କୁମ୍ଭମେଳାର ଶୁଭାରମ୍ଭ

ପବିତ୍ର ମାଘ ସପ୍ତମୀରେ ଆରମ୍ଭ ହୋଇଛି ଖଣ୍ଡଗିରି କୁମ୍ଭମେଳା। ସୂର୍ଯ୍ୟ ଉପାସନା ସାଙ୍ଗକୁ ସାଧୁସନ୍ଥମାନେ ଜପତପ, ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି। ଏବେ ଖଣ୍ଡଗିରିର ଗିରିକନ୍ଦରରେ ଗୁଞ୍ଜରିତ ହେଉଛି ସେମାନଙ୍କ ମନ୍ତ୍ର ଧ୍ବନି। ସନ୍ଥମାନଙ୍କ ଅସ୍ଥାୟୀ ତପ ଶିବିରରେ ଜଳୁଛି ଅଖଣ୍ଡ ଯଜ୍ଞ ଯୂପ। ଦିନବେଳା ‌ମନ୍ତ୍ର ଧ୍ବନି, ସଂଜ ନଇଁଲେ ଜମୁଛି ଭଜନ କୀର୍ତ୍ତନ। ଏକ ଭାବଗମ୍ଭୀର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ବନଭୂମି ଖଣ୍ଡଗିରିରେ। ସାଧୁସନ୍ଥମାନଙ୍କ ଦର୍ଶନ ପାଇଁ ଲାଗିଛି ଗହଳଚହଳ। କଟକଣା ସତ୍ତ୍ବେ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଦାନଧର୍ମ ବି ଚାଲିଛି। ସନ୍ଥମାନଙ୍କ ଆଶୀର୍ବାଦ ଲାଭ କରି ଶ୍ରଦ୍ଧାଳୁମାନେ କୃତାର୍ଥ ହେଉଛନ୍ତି। ମାଘ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏମିତି ଆଧ୍ୟାତ୍ମିକ ପରିବେଶ ଲାଗି ରହିବ ଏହି ତପୋଭୂମିରେ। ରାଜଧାନୀର କଂକ୍ରିଟ୍‌ ଜଙ୍ଗଲ ଭିତରେ ଆଜି ବି ଭାରତ ବର୍ଷର ପ୍ରାଚୀନ ଜାଗଯଜ୍ଞ ଓ ଜପତପର ପରମ୍ପରା ଜୀବିତ ରହିଛି, ତାହାର ପ୍ରମାଣ ଦେଉଛି ଖଣ୍ଡଗିରି।

ନାଗାମଠରୁ ରାଣୀଗୁମ୍ଫା ଯାତ୍ରା କଲେ ଅନନ୍ତକେଶରୀ
ଖଣ୍ଡଗିରି : ମାଘସପ୍ତମୀ ଓ କୁମ୍ଭମେଳା ଅବସର‌ରେ ଆଜି ପ୍ରଭୁ ଅନନ୍ତକେଶରୀଙ୍କ ରାଣୀ ଗୁମ୍ଫା ଯାତ୍ରା ସମ୍ପନ୍ନ ହୋଇଯାଇଛି। ଘଣ୍ଟ, ଘଣ୍ଟା ଓ ମୃଦଙ୍ଗ ବାଦ୍ୟ ସମାହାରରେ ଓ ରଙ୍ଗିନ୍‌ ଆଲୋକମାଳା ମଧ୍ୟରେ ଏକ ବିରାଟ ଶୋଭାଯାତ୍ରାରେ ପ୍ରଭୁଙ୍କୁ ନିଆଯାଇଥିଲା। ସନ୍ଧ୍ୟା ପ୍ରାୟ ୭ଟାରେ ପ୍ରଭୁ ଅନନ୍ତକେଶରୀ ଜାଗମରା ଗାଁସ୍ଥିତ ନାଗାମଠରୁ ବାହାରି ଉଦୟଗିରି ରାଣୀଗୁମ୍ଫାସ୍ଥିତ ରାଣୀ ହଂସପୁରକୁ ବିଜେ କରିଥିଲେ। ସୁସଜ୍ଜିତ ବିମାନରେ ପ୍ରଭୁଙ୍କ ବିଗ୍ରହ ବେଶ୍ ଶୋଭା ପାଉଥିଲା। ପ୍ରଭୁ ମଠରୁ ବାହାରିବା ପରେ ବିମାନରେ ଗାଁ ପରିକ୍ରମା କରିଥିଲେ। ଗାଁରୁ ବାହାରିବା ପରେ ୬ଟି ଯାକ ଯାତ୍ରା ପେଣ୍ଡାଲ୍ ପକ୍ଷରୁ ପ୍ରଭୁଙ୍କ ଆଗରେ ପଂକ୍ତି ଭୋଗ ଲାଗି କରାଯାଇଥିଲା। ବିମାନ ଆଗରେ ଗ୍ରାମର ଓଡ଼ିଶୀ ସଂକୀର୍ତ୍ତନ ମଣ୍ଡଳୀ ନାମ କୀର୍ତ୍ତନ କରିଥିଲେ। ଦୀର୍ଘ ୩ ଘଣ୍ଟା କାଳ ଶୋଭାଯାତ୍ରାରେ ଯିବା ପରେ ବିମାନ ଉଦୟଗିରି ପାହାଡ଼ ଉପରେ ଥିବା ରାଣୀ ଗୁମ୍ଫାରେ ପହଞ୍ଚିଥିଲା। ସେଠାରେ ପ୍ରଭୁଙ୍କ ପୂଜାବିଧି ସମ୍ପନ୍ନ ହେବା ପରେ ଲଳିତା କୁଣ୍ଡରେ ଚାପ ଖେଳ ଅନୁଷ୍ଠିତ ହୋଇଥିଲା। ପରେ ଦୋଳବେଦିରେ ପ୍ରଭୁ ବିଜେ କରିଥିଲେ ଓ ନୀତିକାନ୍ତି ଅନୁଯାୟୀ ପୂଜା ପାଇଥିଲେ। ଏହା ପରେ ଠାକୁର ନାଗାମଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା କରୋନା ମାର୍ଗଦର୍ଶିକା ଅନୁଯାୟୀ ଏହି ଶୋଭାଯାତ୍ରାରେ କମ୍‌ ସଂଖ୍ୟକ ଗ୍ରାମବାସୀଙ୍କୁ ସାମିଲ୍ କରାଯାଇଥିଲା। ପୂର୍ବ ବର୍ଷ ଭଳି ଆତସବାଜି ପ୍ରତିଯୋଗିତା ହୋଇନଥିଲା। ଶୋଭାଯାତ୍ରାରେ ଶୃଙ୍ଖଳା ରକ୍ଷା ପାଇଁ ୨ ପ୍ଲାଟୁନ୍ ପୁଲିସ ନିୟୋଜିତ ହୋଇଥିଲେ।

ଲାଗି ହେଲା ‘ଖଣ୍ଡଖିରି’, ରାମଚରିତ ମାନସ ପାରାୟଣରେ କମ୍ପିଲା ବାରଭୁଜା ପୀଠ
ଶୁକ୍ରବାର ଭୋର୍‌ରୁ ମା’ ବାରଭୁଜାଙ୍କ ପୀଠରେ ପୂଜା ବିଧି ଶେଷ ହେବା ପରେ ରାମଚରିତ ମାନସ ପାରାୟାଣ ଆରମ୍ଭ ହୋଇଥିଲା। ସାଧୁସନ୍ଥମାନେ ମିଳିତଭାବେ ରାମଚରିତ ମାନସ ପାଠ କରିଥି‌ଲେ। ଠାକୁରାଣୀଙ୍କ ସନ୍ଧ୍ୟା ଆଳତି ସମ୍ପନ୍ନ ହେବା ପର୍ଯ୍ୟନ୍ତ ନାଗା ସାଧୁମାନେ ରାମଚରିତ ମାନସ ପାଠ କରିବା ଦେଖା ଯାଇଥିଲା। ଏହାଛଡ଼ା ଆଜି ମାଘମେଳାର ସ୍ବତନ୍ତ୍ର ‘ଖଣ୍ଡଖିରି’ ପ୍ରସ୍ତୁତ କରାଯାଇ ଶ୍ରଦ୍ଧାଳୁ ଓ ସାଧୁମାନଙ୍କୁ ବଣ୍ଟାଯାଇଥିଲା। କେବଳ ବାରଭୁଜା ପୀଠରେ ନୁହେଁ, ଜାଗମରା, କପିଳପ୍ରସାଦ, ପୁରୁଣା ଭୁବନେଶ୍ବର ଆଦି ଅଞ୍ଚଳରୁ କିଛି ପରିବାର ପ୍ରତିବର୍ଷ ଭଳି ପରମ୍ପରା ଅନୁସାରେ ମାଟି ହାଣ୍ଡିରେ ଖଣ୍ଡଖିରି ପ୍ରସ୍ତୁତ କରି ସାଧୁମାନଙ୍କୁ ପରଶିଥିଲେ।

ଅନ୍ୟପକ୍ଷରେ ଆଜି ଦିନବେଳା ଖାରବେଳ ପାର୍କ ନିକଟରେ ଥିବା ମାଧବାନନ୍ଦ ଆଶ୍ରମରୁ ବାବା ଓ ଶିଷ୍ୟମାନେ ଏକ ବିରାଟ ପଟୁଆରରେ ବାରଭୁଜାଙ୍କ ପୀଠକୁ ଆସିଥିଲେ। ମା’ଙ୍କ ନିକଟରୁ ଆଜ୍ଞାମାଳ ନେଇ ଆଶ୍ରମକୁ ଫେରିବା ପରେ ସେଠାରେ ଗୀତା ଯଜ୍ଞ ଆରମ୍ଭ କରିଥିଲେ। ସେହିଭଳି ନିମେଇ ଆଶ୍ରମ ପକ୍ଷରୁ ମଧ୍ୟ ବାରଭୁଜା ଠାକୁରାଣୀଙ୍କ ଆଜ୍ଞାମାଳ ନିଆଯାଇ ସେଠାରେ ବିଶ୍ବଶାନ୍ତି ଯଜ୍ଞ ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର