ଗୁରୁଙ୍କ ନିକଟରେ କୃତଜ୍ଞ ରୁହ: ସୌମ୍ୟରଞ୍ଜନ

କେଏମ୍‌ବିବି ଜୁନିଅର ସାଇନ୍ସ କଲେଜରେ ଗୁରୁ ଦିବସ

ବାରଙ୍ଗ: ବାରଙ୍ଗ ବ୍ଲକ ବେଲଗଛିଆ ପଞ୍ଚାୟତ ନରଣପୁରସ୍ଥିତ କେଏମ୍‌ବିବି ଜୁନିଅର ସାଇନ୍ସ କଲେଜ ପରିସର ସଭାଗୃହରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି। ଏଥିରେ ବିଧାୟକ ତଥା ‘ସମ୍ବାଦ’ ଶିକ୍ଷା ସମୂହର ଅଧକ୍ଷ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଆଧୁନିକ ଯୁଗରେ ଗୁରୁ ପରମ୍ପରା ଆଦୌ ବଦଳି ନାହିଁ। ତୁମେମାନେ ଆଧୁନିକ ଯୁଗର ଆରୁଣି, ଏକଲବ୍ୟ ଓ ଉପମନ୍ୟୁ ହେବାକୁ ଚେଷ୍ଟା କର। ଈଶ୍ବର ଗୋଟିଏ ମାତ୍ର ନିଷ୍ପତ୍ତି ନିଜେ ନେଇଥାଆନ୍ତି। ତାହା ହେଲା, କିଏ କାହାର ବାପା, ମା’ ହେବ। ଏ ନିଷ୍ପତ୍ତିକୁ ତୁମେ ଯେତେ ଯାହା କଲେ ବି ବଦଳାଇ ପାରିବ ନାହିଁ। ଯିଏ କେବଳ ପାଠ ପଢ଼ା‌ନ୍ତି, ସେ ଖାଲି ଗୁରୁ ନୁହଁନ୍ତି। ଆଦିଗୁରୁ ହେଉଛନ୍ତି ପିତାମାତା; ଯିଏ ଜନ୍ମ ଦିଅନ୍ତି, ଲାଳନପାଳନ କରି କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ବହନ କରନ୍ତି। ତାଙ୍କ ପରେ ନିତିଦିନ ଯାହାଠାରୁ ଶିଖିବାକୁ ମିଳେ, ସେ ବି ଗୁରୁ। ପ୍ରକୃତି ଓ ପରିବେଶ ବି ଗୁରୁ। ଏ ସମସ୍ତ ଗୁରୁଙ୍କୁ କୃତଜ୍ଞତା ଜଣାଅ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଦ୍ୱାର ପ୍ରଦର୍ଶିତ ୱାଲ ମାଗାଜିନ୍ ‘ସୃଜନୀ’କୁ ଉନ୍ମୋଚନ କରିଥିଲେ। ଡିନ୍ ଏକାଡେମିକ୍ସ୍ କେଏମ୍‌ବିବି ଗ୍ରୁପ୍‌ ଅଫ୍ ଇନଷ୍ଟିଟ୍ୟୁସନ୍‌ ଡ. ବିଜୁନି ଚରଣ ସୂତାର ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର