ଚନ୍ଦ୍ରଶେଖରପୁର : କୋଲକାତା ଶ୍ରମିକଙ୍କୁ ହଟହଟା କଲେ ଗ୍ରାମବାସୀ

ଚନ୍ଦ୍ରଶେଖରପୁର : କରୋନା ସହ ଲଢ଼ନ୍ତୁ, ଆକ୍ରାନ୍ତ ରୋଗୀଙ୍କ ସହ ନୁହେଁ। ଯେକୌଣସି ନମ୍ବରକୁ ଫୋନ୍‌ କଲେ କଲର୍‌ ଟ୍ୟୁନ୍‌ରେ ସରକାରଙ୍କ ପକ୍ଷରୁ ଏପରି ସଚେତନତାଧର୍ମୀ ବାର୍ତ୍ତା ବାଜୁଥିଲେ ହେଁ କିଛି ଲୋକ ଏହାକୁ ବୁଝି ବି ଅବୁଝା ହେଉଛନ୍ତି। ଗତକାଲି ଚନ୍ଦ୍ରଶେଖପୁର ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଏପରି ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଯାଜପୁର ଫେରନ୍ତା ଦମ୍ପତିଙ୍କୁ ଆପାର୍ଟମେଣ୍ଟ ବାସିନ୍ଦା ଘରେ ପୂରାଇ ଦେଇନଥିଲେ। ଆଜି ମଧ୍ୟ ସେହିଭଳି ଏକ ଘଟଣା ଗାଡ଼କଣ ଗ୍ରାମ ନିକଟ ବଜାରରେ ଘଟିଛି।

ସୂଚନା ଅନୁଯାୟୀ, ଲକ୍‌ଡାଉନ୍‌ ଯୋଗୁଁ କୋଲକାତାର କିଛି ଶ୍ରମିକ ଘରକୁ ଫେରି ପାରି ନଥିଲେ। ଏବେ ନିର୍ମାଣ କାମକୁ ସରକାର ଅନୁମତି ଦେଇଥିବାରୁ ସେମାନେ ଗାଡ଼କଣ ଗ୍ରାମ ନିକଟରେ ଥିବା ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟରେ କାମ କରୁଛନ୍ତି। ଆଜି ସେମାନେ ଗାଁ ମୁଣ୍ଡ ବଜାରରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯାଇଥିବା ବେଳେ ହଟହଟାର ସମ୍ମୁଖୀନ ହୋଇଥିଲେ। ସେମାନଙ୍କ ବଙ୍ଗଳା ଭାଷା ଓ ବେଶଭୂଷା ଦେଖି ସ୍ଥାନୀୟ ଲୋକମାନେ ତାଙ୍କୁ ବିରୋଧ କରିଥିଲେ। କାହିଁକି ବାହାରେ ବୁଲାବୁଲି କରୁଛ, ତୁମର କୋଭିଡ୍‌ ପରୀକ୍ଷା ହୋଇଛି କି ନାହିଁ; ସ୍ଥାନୀୟ ଲୋକମାନେ ସେମାନଙ୍କୁ ଏଭଳି ଅନେକ ପ୍ରଶ୍ନ ପଚରାଉଚରା କରିବାରୁ ବଚସା ଆରମ୍ଭ ହୋଇଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ପକ୍ଷଙ୍କୁ ବୁଝାସୁଝା କରିଥିଲା। ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ହୋମ୍ କ୍ବାରାଣ୍ଟିନ୍‌ରେ ରହିବା ପାଇଁ ପୁଲିସ ଶ୍ରମିକମାନଙ୍କୁ ପରାମର୍ଶ ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଉଲ୍ଲେଖଯୋଗ୍ୟ, ଗତକାଲି ମଧ୍ୟ ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଯାଜପୁର ଫେରନ୍ତା ଦମ୍ପତିଙ୍କୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଯାଜପୁର ବର୍ତ୍ତମାନ କରୋନା ହଟ୍‌ସ୍ପଟ୍‌ ପାଲଟିଥିବାରୁ ସୋସାଇଟି ଲୋକ ଦମ୍ପତିଙ୍କୁ ଘର ଭିତରେ ପୂରାଇ ଦେଇନଥିଲେ। ପରେ ପୁଲିସ ଉପସ୍ଥିତିରେ ଘଟଣାର ସମାଧାନ ହୋଇଥିଲା।

ଏ ସଂପର୍କରେ ମଞ୍ଚେଶ୍ବର ଆଇଆଇସି ଯତୀନ୍ଦ୍ର ସେଠୀ କହିଛନ୍ତି, ଜିଲ୍ଲା କିମ୍ବା ରାଜ୍ୟ ବାହାରର ଯେକୌଣସି ବ୍ୟକ୍ତିଙ୍କୁ ଦେଖି ଏପରି ବ୍ୟବହାର କରିବା ଠିକ୍ ନୁହେଁ। ଏଭଳି ପାତରଅନ୍ତର କରିବାର ଅଭିଯୋଗ ଆସିଲେ, ଆବଶ୍ୟକସ୍ଥଳେ ଅଭିଯୁକ୍ତମାନଙ୍କୁ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିପାରେ।

ସମ୍ବନ୍ଧିତ ଖବର