ଚିନ୍ତା ବଢ଼ାଇଲେଣି ଡେଲିଭରି ବୟ : ଚକେଇସିଆଣିରେ ୫ ଦୋକାନ ସିଲ୍‌, ଆଉ କିଏ ସଂସ୍ପର୍ଶରେ ଆସିଛନ୍ତି ଖୋଜୁଛି ବିଏମ୍‌ସି

ଦୁଇ ସହଯୋଗୀଙ୍କ ଘର ସାମ୍ନାରେ ଲାଗିଲା ହୋମ୍‌ କ୍ବାରାଣ୍ଟିନ୍‌ ନୋଟିସ୍‌

ଭୁବନେଶ୍ବର : ପ୍ରାୟ ୧୦ ଦିନ ବ୍ୟବଧାନରେ ରାଜଧାନୀରୁ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଚକେଇସିଆଣି ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ଏକ ବିରିଆନି ଖାଦ୍ୟ ଚେନ୍‌ ସଂସ୍ଥାର ଅପରେସନ ମ୍ୟାନେଜର। କରୋନା ପାଇଁ ଡେଲିଭରି ବୟ ଆସୁ ନ ଥିବାରୁ ସେ ନିଜେ ବହୁ ଅଞ୍ଚଳରେ ବିରିୟାନି ଏବଂ ଅନ୍ୟାନ୍ୟ ସାମଗ୍ରୀ ଦେଇଥିଲେ। ତେଣୁ ସେ କେଉଁଠି କାହାକୁ ବିରିୟାନି ଓ ଖାଦ୍ୟ ସାମଗ୍ରୀ ହୋମ୍‌ ଡେଲିଭର୍‌ କରିଛନ୍ତି, ବିଏମ୍‌ସି ତା’ର ଖୋଳତାଡ଼ କରୁଛି। ଏପରିକି କେଉଁ କେଉଁ ଦୋକାନକୁ ଯାଇଛନ୍ତି, ତା’ର ଖୋଳତାଡ଼ କରିବା ପରେ ବିଏମ୍‌ସି ପକ୍ଷରୁ ଚକେଇସିଆଣି ଅଞ୍ଚଳରେ ୫ ଦୋକାନ ସିଲ୍‌ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବିଏମ୍‌ସି ପକ୍ଷରୁ ରାଜେଶ ମେଡିସିନ୍‌ ଷ୍ଟୋର, ଜିମି ଚିକେନ ସେଣ୍ଟର, ମକରା ଗ୍ରୋସରି ଦୋକାନ, ମହାବୀର ଫ୍ୟାନ୍ସି ସପ୍‌, ରବି ଛେନା ଦୋକାନ ସମେତ କେତେକ ପରିବା, ଫଳ ଦୋକାନ ଆଦିକୁ ୨୧ତାରିଖ ପର୍ଯ୍ୟନ୍ତ ସିଲ୍‌ କରାଯାଇଛି। ଏଥିସହ ସେ ଯେଉଁମାନଙ୍କ ଘରକୁ ଯାଇଥିଲେ, ସେମାନଙ୍କୁ ଘରେ ସଙ୍ଗରୋଧ ରହିବାକୁ କୁହାଯାଇଛି। କେବଳ ଚକେଇସିଆଣି ଅଞ୍ଚଳ ନୁହେଁ, ସେ ସୂର୍ଯ୍ୟନଗର ଅଞ୍ଚଳରେ ମଧ୍ୟ ଖାଦ୍ୟ ଡେଲିଭରି କରିଛନ୍ତି। ତାଙ୍କୁ ଥଣ୍ଡା-କାଶ ହେବାରୁ ଘର ମାଲିକ ତାଙ୍କର ସ୍ବାବ ଟେଷ୍ଟ କରିବାକୁ କହିଥିଲେ। ପରୀକ୍ଷା ପରେ ତାଙ୍କର ପଜିଟିଭ ଆସିଥିଲା। ତାଙ୍କ ପରିବାର ଲୋକଙ୍କର ସ୍ବାବ୍‌ ଟେଷ୍ଟ ପାଇଁ ଯାଇଛି। ରିପୋର୍ଟ ଆସି ନଥିବା ଜଣାଯାଇଛି।

ଦୁଇ ସହଯୋଗୀଙ୍କ ଘର ସାମ୍ନାରେ ଲାଗିଲା ହୋମ୍‌ କ୍ବାରାଣ୍ଟିନ୍‌ ନୋଟିସ୍‌
ବାଲିପାଟଣାରେ ଆତଙ୍କ, ପରୀକ୍ଷା ପାଇଁ ଗଲା ଜଣଙ୍କର ସ୍ବାବ୍‌ ନମୁନା

ବାଲିପାଟଣା : ଜଣେ ବିରିୟାନି ଡେଲିଭରି ବୟ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ରାଜଧାନୀ ସମେତ ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଏବେ ଆତଙ୍କର ମାହୋଲ। ଉକ୍ତ ଡେଲିଭରି ବୟଜଣଙ୍କ ବାଲିପାଟଣା ଅଞ୍ଚଳରେ ବିରିୟାନି ଡେଲିଭରି କରିନାହାନ୍ତି। କିନ୍ତୁ ସେ ଯେଉଁ ସଂସ୍ଥାରେ କାମ କରୁଥିଲେ, ସେଠାରେ କାମ କରୁଥିବା ତାଙ୍କର ଦୁଇ ସହଯୋଗୀ ବାଲିପାଟଣା ଅଞ୍ଚଳର। କଣ୍ଟାକ୍ଟ ଟ୍ରେସିଂରେ ଏ ସଂପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉକ୍ତ ୨ ସହଯୋଗୀଙ୍କ ଘର ଆଗରେ ଗତକାଲି ଗୃହ ସଂଗରୋଧ ନୋଟିସ୍‌ ମରାଯାଇଛି। ଏହାସହ ଜଣେ ସହଯୋଗୀଙ୍କ ସ୍ବାବ୍‌ ନମୁନା କୋଭିଡ୍‌ ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଏହି ଦୁଇଜଣ ପ୍ରତିଦିନ ଘରୁ ଭୁବେନେଶ୍ବରର ଉକ୍ତ ବିରିୟାନି ଦୋକାନକୁ ଯିବା ଆସିବା କରୁଥିଲେ। ସେମାନେ ସ୍ଥାନୀୟ ବଜାର ଓ ଦୋକାନକୁ ମଧ୍ୟ ଯିବା ଆସିବା କରିଥିବାରୁ ଅଞ୍ଚଳବାସୀ ଏବେ ଆଶା ଆଶଙ୍କାରେ ରହିଛନ୍ତି।

ସମ୍ବନ୍ଧିତ ଖବର