ଇଚ୍ଛାଶକ୍ତି ଆଗରେ ହାର୍‌ ମାନିଲା ଦାରିଦ୍ର୍ୟ: ନିଟ୍‌ରେ ଚମକିଲେ କ୍ଷିରୋଦିନୀ, ସତ୍ୟଜିତ୍‌

ଚନ୍ଦ୍ରଶେଖରପୁର: ଇଚ୍ଛାଶକ୍ତି ଆଗରେ ସବୁ କିଛି ହାର୍‌ ମାନେ। ଅର୍ଥ ହେଉ କି ବଳ; କେହି ବି ପ୍ରତିବନ୍ଧକ ସାଜନ୍ତି ନାହିଁ। ଉପାୟ ଆପେ ଆପେ ମିଳିଯାଏ। ସହଯୋଗର ହାତ ବି ବଢ଼ିଆସେ। ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରକାଶିତ ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌) ପରୀକ୍ଷାରେ ଏଭଳି କିଛି କରି ଦେଖା‌ଇଛନ୍ତି ଓଡ଼ିଶାର କେତେଜଣ ଗରିବ ମେଧାବୀ ଛାତ୍ରଛାତ୍ରୀ। ପରିବାରର ଆର୍ଥିକ ସ୍ଥିତି ‌ସେତେଟା ସ୍ବଚ୍ଛଳ ନ ଥିଲେ ମଧ୍ୟ ନିଜର ଲକ୍ଷ୍ୟ, ନିଷ୍ଠା ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସେମାନେ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ସରକାରୀ ମେଡିକାଲ କଲେଜରେ ନାମଲେଖା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। କରୋନା ମହାମାରୀ ଓ ଦାରିଦ୍ର୍ୟ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଏହି ଛାତ୍ରଛାତ୍ରୀଙ୍କ ଇଚ୍ଛାଶକ୍ତିକୁ ଦୁର୍ବଳ କରିପାରି ନାହିଁ, ବରଂ ସଫଳତା ଆଣିବାକୁ ପ୍ରେରଣା ଯୋଗାଇଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଯେଉଛନ୍ତି କ୍ଷିରୋଦିନୀ ଓ ସତ୍ୟଜିତ୍‌।

ଛାତ୍ରୀ କ୍ଷିରୋଦିନୀ ସାହୁ ପରୀକ୍ଷାରେ ୭୨୦ରୁ ୬୫୭ ନମ୍ବର ରଖି ସର୍ବଭାରତୀୟସ୍ତରରେ ୨୫୯୫ତମ ସ୍ଥାନରେ ରହିଛନ୍ତି। ଅନୁଗୁଳ ଜିଲ୍ଲାର ଏହି ଛାତ୍ରୀଙ୍କ ବାପା ଜଣେ ଦିନ ମଜୁରିଆ। ପରିବାରର ମାସିକ ରୋଜଗାର ୪ରୁ ୫ ହଜାର ଟଙ୍କା, ଯେଉଁଥିରେ ୪ ପ୍ରାଣୀ କୁଟୁମ୍ବ ଚଳିବା ମୁସ୍କିଲ୍‌ ହୋଇପଡ଼ୁଥିଲା। ତା’ ଭିତରେ ବି କ୍ଷିରୋଦିନୀ କୌଣସି ପ୍ରକାରେ ଯୁକ୍ତ୨ ଶିକ୍ଷା ଶେଷ କରିଥିଲେ। ପିଲାଟି ଦିନରୁ ଡାକ୍ତର ହେବାର ସ୍ବପ୍ନ ଦେଖୁଥିଲେ ମଧ୍ୟ ଅର୍ଥ ପ୍ରତିବନ୍ଧକ ସାଜିଥିଲା। କ୍ଷିରୋଦିନୀ କହିଛନ୍ତି ଯେ ଯେତେ‌ବେଳେ ଅର୍ଥ ବାଧକ ସାଜିଥିଲା, ସେତେବେଳେ ଜିନ୍ଦେଗୀ ଫାଉଣ୍ଡେସନ୍‌ର ଅଜୟ ବାହଦୂର ସିଂହ ସହଯୋଗର ହାତ ବଢ଼ାଇଥିଲେ। କୋଭିଡ୍-୧୯ ସମୟରେ ପାଠପଢ଼ା ବନ୍ଦ ହେବାରୁ ହଷ୍ଟେଲରୁ ଗାଁକୁ ଫେରିବାକୁ ପଡ଼ିଥିଲା। ଅନ୍‌ଲାଇନ୍‌ରେ କ୍ଲାସ ହେଉଥିଲେ ମଧ୍ୟ ଗାଁରେ ନେଟ୍‌ୱର୍କ ନଥିବାରୁ ପାଠପଢ଼ାରେ ସମସ୍ୟା ହୋଇଥିଲା। ସେହି ପରିସ୍ଥିତିରେ ଅଜୟ ସାର୍‌ ସ୍ମାର୍ଟଫୋନ୍‌ କିଣି ଦେଇଥିଲେ। ନିୟମିତ ପାଠପଢ଼ାର ଯାଞ୍ଚ କରୁଥିଲେ। ସାଙ୍ଗମା‌ନେ ମଧ୍ୟ ସହଯୋଗ କରିଥିଲେ। ଫଳରେ ଆଜି ଏହି ସଫଳତା ପାଇଛି। ମୋତେ ‌ଯେଉଁଭଳି ମାଗଣା ଶିକ୍ଷା ମିଳିଛି, ଭବିଷ୍ୟତରେ ଡାକ୍ତର ହୋଇ ରୋଗୀଙ୍କୁ ମାଗଣା ସେବା ଯୋଗାଇବି।

କଟକ ଜିଲ୍ଲାରେ ସାଇକେଲ୍‌ରେ ବୁଲି ପରିବା ବିକ୍ରି କରୁଥିବା କାହ୍ନୁ ଚରଣ ସାହୁଙ୍କ ପୁଅ ସତ୍ୟଜିତ୍ ସାହୁ ୬୧୯ ମାର୍କ ରଖି ସର୍ବଭାରତୀୟସ୍ତରରେ ୧୧,୯୫୧ତମ ସ୍ଥାନରେ ରହିଛନ୍ତି। ସଫଳତା ନେଇ ସତ୍ୟଜିତ୍‌ କହିଛନ୍ତି ଯେ ପରିବାରର ରୋଜଗାର ସେତେ ଭଲ ନୁହେଁ। ବାପା ମାସକୁ ୫ରୁ ୬ ହଜାର ଟଙ୍କା ରୋଜଗାର କରନ୍ତି। ସେଥିରେ ବି ସେ ମୋତେ ଯୁକ୍ତ୨ ବିଜ୍ଞାନରେ ଶିକ୍ଷା ଦେଇଥିଲେ। ଏହାପରେ ମେଡିକାଲ ନାମଲେଖା ପାଇଁ ପ୍ରସ୍ତୁତ ହୋଇଥିଲେ ମଧ୍ୟ ପ୍ରତି ମୂହୁର୍ତ୍ତରେ ଅର୍ଥ ବାଧକ ସାଜିଥିଲା। ଅଜୟ ସାର୍‌ଙ୍କ ସହଯୋଗ ପାଇ ସରକାରୀ ମେଡିକାଲ କଲେଜରେ ପଢ଼ିବା ଲାଗି ଯୋଗ୍ୟତା ଅର୍ଜନ କରିପାରିଛି। ବାପା, ମା’ ଯେଉଁ ସ୍ବପ୍ନ ଦେଖିଛନ୍ତି ତାହାକୁ ପୂରଣ କରିବାକୁ ଉଦ୍ୟମ ଜାରି ରଖିବି।

ସମ୍ବନ୍ଧିତ ଖବର