୧୬ ଦେଶର ଖାଦ୍ୟ ଏକାଠି ଖାଇବାର ଶେଷ ସୁଯୋଗ

ଭୁବନେଶ୍ବର: ଆଉ ଦିନକ ପରେ ସରିଯିବ ସିଟି ଫେଷ୍ଟ୍‌। ଜମିବନି ସଂଗୀତ। ମିଳିବନି ଏକକାଳୀନ ୧୬ଟି ଦେଶର, ୨୯ଟି ରାଜ୍ୟର ସୁସ୍ବାଦୁ ଖାଦ୍ୟ। ସେଥିପାଇଁ ଅନ୍ତର୍ଜାତୀୟ ଷ୍ଟ୍ରିଟ୍‌ ଫୁଡ୍‌ ଫେଷ୍ଟିଭାଲ୍‌ରେ ଆଜି ଜମିଥିଲା ଅସମ୍ଭାଳ ଭିଡ଼। ନିରାମିଷ ହେଉ କି ଆମିଷ, ବିଦେଶୀ ଖାଦ୍ୟ ଚାଖିବାକୁ ଶେଷ ସୁଯୋଗ ଭାବି ଆଜି ମନଇଚ୍ଛା ଖାଦ୍ୟ କିଣି ଖାଇଥିଲେ ଖାଦ୍ୟପ୍ରେମୀ। ଆସନ୍ତାକାଲି ରବିବାର ଶେଷ ଦିନ ଶେଷ ସୁଯୋଗ ଥିବାରୁ ଖାଦ୍ୟ ହାଟରେ ପ୍ରବଳ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ହୋଟେଲ୍‌ ପକ୍ଷରୁ ମଧ୍ୟ ବିଭନ୍ନ ଖାଦ୍ୟକୁ ନେଇ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି।

‘ଆଙ୍ଗନ୍‌’ର ପନିର୍‌ ସୁଟିବୁଟି
ଅନ୍ତର୍ଜାତୀୟ ଷ୍ଟ୍ରିଟ୍‌ ଫୁଡ୍‌ ଫେଷ୍ଟିଭାଲ୍‌ରେ ଆଙ୍ଗନ୍‌ ଗ୍ରୁପ୍‌ ଅଫ୍‌ ରେଷ୍ଟୁରାଣ୍ଟ୍‌ସ ପକ୍ଷରୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ‘ପନିର୍‌ ସୁଟିବୁଟି’ ସବୁରି ମନ ଜିଣିଛି। ପନିର୍‌, ମସ୍‌ରୁମ୍‌, ବେବିକର୍ଣ୍ଣ, ବେଲ୍‌ପେପର୍‌ ଓ କ୍ୟାପ୍ସିକମ୍‌ର ମିଶ୍ରଣରେ ପ୍ରସ୍ତୁତ ଏହି ସ୍ବତନ୍ତ୍ର ଖାଦ୍ୟ ଟାଙ୍ଗି ସସ୍‌ ସହ ଖୁବ୍‌ ସୁସ୍ବାଦୁ ହୋଇଥିବା ଖାଦ୍ୟପ୍ରେମୀ ରମାକାନ୍ତ ଜୋଷୀ କହିଛନ୍ତି। ଏଠାରେ ଇଂଲଣ୍ଡ୍‌, ଆଧୁନିକ ଭାରତ, ହିମାଚଳପ୍ରଦେଶ ଏବଂ ଓଡ଼ିଶାର ଚାଟ୍‌ ଉପଲବ୍ଧ ହେଉଛି। ଆଙ୍ଗନ୍‌ର ପ୍ରତିଷ୍ଠାତା ସୁଶାନ୍ତ କୁମାର ମିଶ୍ର କହିଛନ୍ତି ଯେ, ପନିର୍‌ ସୁଟିବୁଟିର ଏତେ ଚାହିଦା ଯେ, ତାହା ଖାଦ୍ୟପ୍ରେମୀଙ୍କୁ ଯୋଗାଇ ହେଉନାହିଁ। ଏହାବ୍ୟତୀତ ସ୍କଚ୍‌ଟେଲ୍‌ସ, ବ୍ରିଟିସ୍‌ କ୍ଲାସିକ୍‌ ଫିସ୍‌ ଏନ୍‌ ଚିପ୍ସ, ରାବିଡ଼ି ଓ ମସଲା ଖିର ମଧ୍ୟ ଉପଲବ୍ଧ ହେଉଛି। ସେଫ୍‌ ସପନଙ୍କ ଦ୍ବାରା ପ୍ରସ୍ତୁତ ଓଡ଼ିଶାର ଚାଟ୍‌ ମଧ୍ୟ ‌ଖାଦ୍ୟପ୍ରେମୀଙ୍କ ଦ୍ବାରା ପ୍ରଶଂସିତ ହୋଇଛି।

ସମ୍ବନ୍ଧିତ ଖବର