ଓଏଲ୍‌ଏକ୍ସରେ ଲିଙ୍ଗରାଜଙ୍କ ଜମି: ମାଟି କୁଡ଼ୁଆ ପାଇଁ ଉଦ୍ଦିଷ୍ଟ ଜମିରେ ପ୍ଲଟିଂ, ବାହାରୁ ଚଢ଼ାଦରରେ ମାଟିପାତ୍ର କିଣୁଛି ମନ୍ଦିର ପ୍ରଶାସନ

ଭୋଗଦଖଲରେ ଦିଆଯାଇଥିଲା ୨୬ ଏକର ୪୪୧ ଡେସିମିଲ ଜମି

ପୁରୁଣା ଭୁବନେଶ୍ୱର: ଓଏଲ୍‌ଏକ୍ସ‌ରେ ବିକ୍ରି ହେଉଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜମି। ମହାପ୍ରଭୁଙ୍କ ପୂଜା ଓ ହାଣ୍ଡିଶାଳରେ ଦୈନିକ ବ୍ୟବହାର ହେଉଥିବା ମାଟିହାଣ୍ଡି, କୁଡ଼ୁଆ ପାଇଁ ସେବାୟତଙ୍କୁ ଦିଆଯାଇଥିବା ଜମିକୁ ଏବେ ପ୍ଲଟିଂ କରି ବିକ୍ରି କରାଯାଉଛି। ଗୋଟିଏ ପଟେ ମନ୍ଦିର ପ୍ରଶାସନ ବାହାରୁ ଉଚ୍ଚଦରରେ ମାଟିପାତ୍ର କିଣୁଥିବା ବେଳେ ଅପରପକ୍ଷେ ମହାପ୍ରଭୁଙ୍କ ଜମି ବିକା ଘଟଣା ମନ୍ଦିର ପ୍ରଶାସନର ଚିନ୍ତା ବଢ଼ାଇଛି। ତେଣୁ ଭୋଗଦଖଲ ପାଇଁ ଦିଆଯାଇଥିବା ଏହି ଜମିକୁ ତୁରନ୍ତ ମହାପ୍ରଭୁଙ୍କ ଖାତାକୁ ଫେରାଇ ଆଣିବାକୁ ଦାବି ହୋଇଛି। ଏ ସଂପର୍କରେ ସ୍ଥାନୀୟ ଲୋକ ତହସିଲଦାରଙ୍କୁ ଅଭିଯୋଗ କରିଛନ୍ତି।

ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମହାପ୍ରଭୁଙ୍କ ଦୈନିକ ପୂଜା ଓ ହାଣ୍ଡିଶାଳକୁ ମାଟିହାଣ୍ଡି, କୁଡ଼ୁଆ ଯୋଗାଇବା ପାଇଁ ଜମି ପାଇଥିବା ସେବାୟତ ଦୀର୍ଘ ୧୮ବର୍ଷ ହେଲା ଯୋଗାଉ ନାହାନ୍ତି। ଫଳରେ ପ୍ରଶାସନ ଏହି ସାମଗ୍ରୀ ବାହାରୁ କିଣିବାକୁ ବାଧ୍ୟ ହେଉଛି। ପ୍ରତିବର୍ଷ ମାଟି ହାଣ୍ଡିର ମୂଲ୍ୟ ଶତକଡ଼ା ୧୦ଭାଗ ବଢ଼ୁଛି। ମାଟି କୁଡ଼ୁଆ ଯୋଗାଇବା ପାଇଁ ମୋଟ ୨୭ଜଣଙ୍କୁ ବହୁ ମୂଲ୍ୟବାନ୍‌ ଜମି ଯୋଗାଇ ଦିଆଯାଇଛି। ଭୁବନେଶ୍ୱର ତହସିଲ ଅଧୀନ ନୂଆଗାଁ ମୌଜାର ଗଙ୍ଗୁଆ ନିକଟରେ ଥିବା ୪୨ଟି ପ୍ଲଟ୍‌ର ୨୬ ଏକର ୪୪୧ଡିସିମିଲ ଜମି ଯୋଗାଇ ଦିଆଯାଇଥିଲା। କିନ୍ତୁ ଏହି ଭୋଗଦଖଲ ଜମିକୁ ଏବେ ବିକ୍ରି କରାଯାଉଛି। କିନ୍ତୁ ଏନେଇ ମନ୍ଦିର ପ୍ରଶାସନ ଓ ଦେବୋତ୍ତର ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ମହାପ୍ରଭୁଙ୍କ ଉକ୍ତ କେତେକ ପ୍ଲଟ୍‌ର ଜମି ବିକ୍ରି ପାଇଁ ଏବେ ଓଏଲ୍‌କ୍ସରେ ବିଜ୍ଞାପନ ଦିଆଯାଇଛି। ଜମିଗୁଡ଼ିକୁ ଏବେ ପ୍ଲଟିଂ କରି ବିକ୍ରି ପାଇଁ ନୀଳକପଡ଼ା ଘେରି ବୁଲାଯାଇଛି। ତେଣୁ ମହାପ୍ରଭୁଙ୍କ ଏହି ଜମିଗୁଡ଼ିକୁ ଉଦ୍ଧାର କରି ମନ୍ଦିରଖାତାକୁ ଫେରାଇ ଆଣିବାକୁ ଦାବି କରାଯାଇଛି।

ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ଏନେଇ ଭୁବନେଶ୍ବର ତହସିଲ ଅଫିସ୍‌ରେ ଅଭିଯୋଗ କରାଯାଇଛି। କୁଡ଼ୁଆ ପାଇଁ ଦିଆଯାଇଥିବା ଜମିର କିସମ ପରିବର୍ତ୍ତନ କରି ବିକ୍ରି କରାଯାଉଛି ବୋଲି ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି। ତେଣୁ ଏଥିରେ ସମ୍ପୃକ୍ତି ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଞ୍ଚର ସଭାପତି ଭୀଷ୍ମନାରାୟଣ ନାୟକଙ୍କ ନେତୃତ୍ବରେ ତହସିଲଦାର କାର୍ଯ୍ୟାଳୟ ଘେରାଉ କରାଯାଇଥିଲା।

ସମ୍ବନ୍ଧିତ ଖବର