ବ୍ଲକ୍‌ ଜଳ ପ୍ରକଳ୍ପରେ ତାଲା ପକାଇ ଧାରଣାଦେଲେ

ଗାରେଡ଼ିପାଞ୍ଚଣରେ ଉତ୍ତେଜନା

ବାଲିପାଟଣା: ଦୀର୍ଘ ଦିନ ଧରି ପାନୀୟ ଜଳ ଯୋଗାଣରୁ ବଞ୍ଚିତ ଗାରେଡ଼ିପାଞ୍ଚଣ ପଞ୍ଚାୟତ ୩ ନମ୍ବର ୱାର୍ଡର ଲୋକେ ଆଜି ବ୍ଲକ୍‌ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ତାଲା ପକାଇବା ସହ ବ୍ଲକ୍‌ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ବିଡିଓ ଓ ଯନ୍ତ୍ରୀ ସେମାନଙ୍କୁ ବୁଝାସୁଝା କରି ଖୁବ ଶୀଘ୍ର ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଧାରଣାରେ ବସିଥିବା ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଏହି ପଞ୍ଚାୟତର ବହୁ ୱାର୍ଡରେ ପାନୀୟ ଜଳ ପହଞ୍ଚୁନାହିଁ। ୱାର୍ଡ ନଂ ୮, ୯, ୧୦, ଗାରେଡ଼ିପାଞ୍ଚଣ ୨ ଭୋଇସାହି ଏବଂ ମଧୁବନ ଭୋଇସାହିକୁ ପ୍ରାୟ ୨ ମାସ ହେବ ପିଇବା ପାଣି ମିଳୁନାହିଁ।

ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇବା ସତ୍ତ୍ବେ କୌଣସି ସୁଫଳ ମିଳୁନାହିଁ। ତେଣୁ ଆଜି ଟୁବୁଲା ଭୋଇଙ୍କ ନେତୃତ୍ୱରେ ଉକ୍ତ ପଞ୍ଚାୟତର ୧୨ ନମ୍ବର ୱାର୍ଡ ମେମ୍ବର ଏବଂ ୩ ନମ୍ବର ୱାର୍ଡର ଲୋକମାନେ ବ୍ଲକ୍‌ କାର୍ଯ୍ୟାଳୟସ୍ଥିତ ଜଳ ପ୍ରକଳ୍ପରେ ତାଲା ପକାଇବା ସହ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ଉପରମୁଣ୍ଡର ଲୋକେ ମଟର ଲଗାଇ ଘରକୁ ପାଣି ନେଉଥିବାରୁ ତଳମୁଣ୍ଡକୁ ପାଣି ପହଞ୍ଚି ପାରୁନାହିଁ। ବିଡିଓ ଆଦିକନ୍ଦ ବେହେରା ବିଭାଗୀୟ ଯନ୍ତ୍ରୀ ସୁଚିତ୍ରା ସେନଙ୍କ ଉପସ୍ଥିତିରେ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ୭ ଦିନ ଭିତରେ ସମାଧାନ ହେବ ବୋଲି ବିଡିଓ ଶ୍ରୀ ବେହେରା ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଧାରଣାରୁ ଉଠିଥିଲେ। ଯନ୍ତ୍ରୀ ସୁଚିତ୍ରା ସେନଙ୍କ କହିବା କଥା ଉପରମୁଣ୍ଡର ଲୋକମାନେ ମଟର ବନ୍ଦ କଲେ, ଶେଷ ମୁଣ୍ଡକୁ ପାଣି ଯାଇପାରୁଛି। ତେଣୁ ଆଗାମୀ ଦିନରେ ଗ୍ରାମ୍ୟ କମିଟି ସହଯୋଗରେ ମଟର ସଂଯୋଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର