ରାଜଧାନୀରେ ମାତିଛନ୍ତି ଲୁଟେରା, ଭୁଜାଲି ମୁନରେ ଝାମ୍ପିନେଲେ ସୁନାଚେନ୍

ଲୁଟେରାଙ୍କ ଆକ୍ରମଣରେ ମହିଳା ଆହତ, ବାଇକ୍‌ରେ ଆସିଥିଲେ ତିନି ଲୁଟେରା

ଭୁବନେଶ୍ବର: ରାଜଧାନୀରେ ଲୁଟେରାଙ୍କ ଆତଙ୍କ କମିବାର ନାଁ ନେଉନାହିଁ। ପ୍ରତିଦିନ କେଉଁଟି ନା କେଉଁଠି ଲୁଟପାଟ କରି ଫେରାର ହୋଇଯାଉଛନ୍ତି ଲୁଟେରା। ଆଜି ସକାଳେ ଏକ ବାଇକ୍‌ରେ ଆସିଥିବା ତିନି ଲୁଟେରା ଲକ୍ଷ୍ମୀସାଗର ଥାନାଠାରୁ ମାତ୍ର ୫୦ ମିଟର ଦୂର ଝାରପଡ଼ା ଜେଲ ସାମ୍ନାରେ ଜଣେ ମହିଳାଙ୍କ ବେକରେ ଭୁଜାଲି ଲଗାଇ ସୁନାଚେନ୍ ଝାମ୍ପି ନେଇଛନ୍ତି। ଲୁଟେରାଙ୍କ ଆକ୍ରମଣରେ ମହିଳା ଜଣକ ତଳେ ପଡ଼ି ଆହତ ହୋଇଛନ୍ତି। ଲୁଟର ଶିକାର ହୋଇଥିବା ମହିଳା ହେଲେ ଝାରପଡ଼ା ଗଣେଶ ମଣ୍ଡପ ନିକଟରେ ରହୁଥିବା ମନୋରମା ସାହୁ। ସେ ଏ ନେଇ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଘର ସାମ୍ନାରେ ଲାଗିଥିବା ସିସିଟିଭି ଫୁଟେଜକୁ ଜବତ କରି ତନାଘନା ଚଳାଇଛି। କିନ୍ତୁ ଲୁଟେରାଙ୍କ ଟେର୍ ମିଳିପାରି ନାହିଁ।

ସ୍ପଷ୍ଟ ଦିବାଲୋକରେ ଜନଗହଳିପୂର୍ଣ୍ଣ ରାସ୍ତାରେ ଏଭଳି ଲୁଟ୍ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମନୋରମାଙ୍କ କହିବା ଅନୁସାରେ, ସବୁଦିନ ଭଳି ଆଜି ମଧ୍ୟ ମର୍ଣ୍ଣିଂଵାକ୍‌ରେ ବାହାରିଥିଲେ। ସାଙ୍ଗରେ ଆଉ ଜଣେ ମହିଳା ମଧ୍ୟ ଥିଲେ। ଲକ୍ଷ୍ମୀସାଗର ହାଟରୁ ଆଳୁ କିଣି ସେମାନେ ଘରକୁ ଫେରୁଥିବାବେଳେ ଝାରପଡ଼ା ଜେଲ୍ ସାମ୍ନାରେ ଥିବା ଗଳିରେ ଜଣେ ଯୁବକ ତାଙ୍କ ନିକଟକୁ ଆସିଥିଲେ। ପାଖରେ ଆଉ ଦୁଇ ଜଣ ବାଇକ୍‌ରେ ବସିଥିଲେ। ଯୁବକ ଜଣଙ୍କ ହଠାତ୍ ଭୁଜାଲି ବାହାର କରି ତାଙ୍କ ବେକରେ ଲଗାଇ ସୁନାଚେନ୍ ଦେଇଦେବା ପାଇଁ ଧମକ ଦେଇଥିଲେ। ମନୋରମା ଏହାକୁ ବିରୋଧ କରିବାରୁ ଲୁଟେରା ତାଙ୍କୁ ଧକ୍କା ଦେବା ସହ ଚେନ୍ ଛିଡାଇ ନେଇଥିଲା। ମହିଳା ତଳେ ପଡ଼ି ଯାଇଥିଲେ। ସାଙ୍ଗରେ ଥିବା ଆଉ ଜଣେ ମହିଳା ପାଟି କରିବାରୁ ସେମାନେ ଭୁଜାଲି ଦେଖାଇ ଚୁପ୍ ରହିବା ପାଇଁ ଧମକାଇଥିଲେ। ଏହା ପରେ ତିନି ଲୁଟେରା ବାଇକ୍‌ରେ ବସି ଗଣେଶ ମଣ୍ଡପ ଅଭିମୁଖେ ଦ୍ରୁତଗତିରେ ପଳାଇଥିଲେ। ତଳେ ପଡି ଯିବାରୁ ମନୋରମାଙ୍କ ଡାହଣ କହୁଣିରେ ଆଘାତ ଲାଗିଛି। ପରିବାର ଲୋକ ଖବର ପାଇ ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଇଛନ୍ତି।

ସମ୍ବନ୍ଧିତ ଖବର