ଔଷଧ ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ସିସିଟିଭିରେ ଚୋର

ଭୁବନେଶ୍ୱର: ଡୁମୁଡ଼ୁମା ହାଉସିଂ ବୋର୍ଡ କଲୋନିର ସମିଦ୍‌ ମାର୍କେଟ୍‌ କମ୍ପ୍ଲେକ୍ସରେ ଥିବା ଏକେ ମେଡିକାଲ୍ସ(ଔଷଧ ଦୋକାନ)ରୁ ଦୁର୍ବୃ୍ତ୍ତ କଳାକନା ବୁଲାଇ ଦେଇଛି। ଦୋକାନର ତାଲା ଭାଙ୍ଗି ୧ଲକ୍ଷ ୨୦ ହଜାର ନଗଦ ଟଙ୍କା ସହ ବହୁ ଦାମୀ ଔଷଧ ଚୋରି କରି ନେଇଛି। ୧୫ ତାରିଖ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଦୋକାନର ପ୍ରୋପାଇଟର ମିର୍ଜା ଅରିଫ୍‌ ଇକ୍‌ବାଲ ବେଗ୍‌ ଏ ନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି। ସିସିଟିଭି କ୍ୟାମେରାରେ ଚୋରିର ଦୃଶ୍ୟ ରହିଛି। ହେଲେ ଏ ଯାବତ୍‌ ପୁଲିସ ଚୋରର ଟେର୍‌ ପାଇ ନାହିଁ।

ଅଭିଯୋଗ ମୁତାବକ, ସବୁଦିନ ଭଳି ଦୋକାନ ମାଲିକ ମିର୍ଜା ଆରିଫ୍‌ ଇକ୍‌ବାଲ ୧୫ ତାରିଖ ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ସକାଳେ କର୍ମଚାରୀ ଆସି ଦୋକାନ ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ପରେ ଡ୍ରୟାରରେ ଟଙ୍କା ନଥିବା ଦେଖିଥିଲେ। ଖବର ପାଇ ମାଲିକ ପହଞ୍ଚିବା ପରେ କେତେକ ଦାମୀ ଔଷଧ ମଧ୍ୟ ଗାଏବ ଥିବା ଦେଖା ଯାଇଥିଲା। ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରା ଯାଇଥିଲା। ଭିଡିଓ ଫୁଟେଜ୍‌ରେ ଦେଖାଯାଇଥିଲା କି ଜଣେ ଜିନ୍ସ ପ୍ୟାଣ୍ଟ ଟି-ସାର୍ଟ ସହ ଟୋପି ପିନ୍ଧିଥିବା ଯୁବକ ରାତି ୨ଟା ୧୩ ମିନିଟ୍‌ରେ ଦୋକାନ ଭିତରେ ପ୍ରବେଶ କରି ଡ୍ରୟାର ଖୋଲୁଛି ଓ ଟଙ୍କା ନେଇ ଆଉ ଜଣକୁ ଦେଉଛି। ବିଭିନ୍ନ ଥାକ ଯାଞ୍ଚ କରି ଔଷଧ ନେଇଯାଉଛି। ଦୀର୍ଘ ୪ ମିନିଟ୍‌ କାଳ ସେ ଦୋକାନ ଭିତରେ ଏଭଳି କାରନାମା କରୁଛି। ଦୁର୍ବୃତ୍ତମାନେ ଦୁଇଜଣରୁ ଅଧିକ ଥିବା ଫୁଟେଜ୍‌‌ରୁ ଜଣାପଡ଼ୁଛି। ଚୋରି କରିବା ବେଳେ ସିସିଟିଭି କ୍ୟାମେରାକୁ ଦେଖି ଦୁର୍ବୃତ୍ତ ମାସ୍କରେ ମୁହଁ ଘୋଡ଼ାଉଛି।

ସମ୍ବନ୍ଧିତ ଖବର