ରାତି ପାହି‌ଲେ ଜାଗର: ଝଲସିବ ମନ୍ଦିର, ଫୁଲରେ ସଜା ହେବ ସିଂହଦ୍ବାର

କୋଲକାତାରୁ ଆସୁଛି ଫୁଲ, ମନ୍ଦିରକୁ ରଙ୍ଗତୂଳୀରେ ସଜାଉଛନ୍ତି ଶିବ ଭାଇ

ପୁରୁଣା ଭୁବନେଶ୍ବର: ମହାଶିବରାତ୍ରି ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି ଆପାତତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଙ୍ଗ କାମ ସରିଥିବାବେଳେ ଫୁଲ ସଜା କାମ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁଙ୍କୁ ଖରା ଦାଉରୁ ସୁରକ୍ଷା ଦେବା ପାଇଁ ଫାଇବର ସେଡ୍‌ ପ୍ରସ୍ତୁତ ହୋଇ ରହିଛି। ସେହିଭଳି ଗଙ୍ଗା ଯମୁନା ଛକ ପର୍ଯ୍ୟନ୍ତ ଛାମୁଣ୍ଡିଆ କରାଯାଇଛି। ଏଥିସହିତ ମନ୍ଦିର ବାହାରେ ରାସ୍ତାଘାଟ ଓ ବିଭିନ୍ନ ପୁଷ୍କରିଣୀକୁ ସଜେଇବାକୁ କାମ ଜାରି ରହିଛି। କାଲିଠୁ ପୁଷ୍କରିଣୀର ଜଳରାଶିରେ ଝଲସିବ ରଙ୍ଗିନ ଆଲୋକ।
କୋଲକାତାରୁ ଆସୁଛି ଫୁଲ
ନୂଆ ରଙ୍ଗରେ ମନ୍ଦିର ଝଲମଲ କରୁଛି। ରଙ୍ଗିନ ଆଲୋକମାଳା ମନ୍ଦିରକୁ ଆହୁରି ଝଲସାଇ ଦେଉଛି। ଏବେ ସିଂହଦ୍ବାର ସଜେଇ ହେବା ବାକି ଅଛି। ସିଂହଦ୍ବାରକୁ ଫୁଲରେ ସଜାଇ ଦିଆଯିବ। ପଡ଼ୋଶୀ ରାଜ୍ୟରୁ ଫୁଲ ଅଣାଯାଉଛି। ଗତବର୍ଷ ୬ ଲକ୍ଷ ଟଙ୍କା ବ୍ୟୟରେ ଭୁବନେଶ୍ବର ଫ୍ଲୋରିଷ୍ଟ୍‌ ଆସୋସିଏସନ୍ ପକ୍ଷରୁ ସିଂହଦ୍ବାରକୁ ସଜେଇ ଦିଆଯାଇଥିଲା। ଚଳିତ ବର୍ଷ ମଧ୍ୟ ଏହି ଆସୋସିଏସନ୍‌ କୋଲକାତାରୁ ଫୁଲ ଆଣି ସିଂହଦ୍ବାରକୁ ସଜେଇବ ବୋଲି ସଭ୍ୟ ମିତେନ୍ଦ୍ର ସମର୍ଥା କହିଛନ୍ତି।

ମନ୍ଦିରକୁ ରଙ୍ଗତୂଳୀରେ ସଜାଉଛନ୍ତି ଶିବ ଭାଇ
ନାଲି, ଗୋଲାପି, ନୀଳ ଓ ସବୁଜ ଆଜି ଭିନ୍ନ ଭିନ୍ନ ରଙ୍ଗ‌ରେ ମନ୍ଦିର ସମ୍ମୁଖକୁ ସଜାଇବାରେ ଲାଗି ପଡ଼ିଛନ୍ତି ଶିଳ୍ପୀ ଶିବ ନାରାୟଣ ସେନାପତି ଓରଫ ଶିବ ଭାଇ। ୧୫ ଦିନ ପୂର୍ବରୁ ସେ ଏହି ରଙ୍ଗ କାମ ଆରମ୍ଭ କରିଥିବା ବେଳେ ଏବେ ଏହା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶିବ ଭାଇ କହନ୍ତି ସେ ଷୋହଳ ଜଣ ସିଂହ କାମ ସହ ପଟା ରଙ୍ଗ କରିଥାନ୍ତି। କିନ୍ତୁ ଜାଗର ପାଇଁ ଏବେ ସେ ନଅ ସିଂହ, ମନ୍ଦିର ସିଂହଦ୍ୱାରା କାନ୍ଥ ଓ ନବଗ୍ରହର ରଙ୍ଗ କରୁଛନ୍ତି। ସିଂହଦ୍ୱାରରେ ଥିବା ନାଗା ସିଂହ ତିନୋଟି ଓ ସାମ୍ନା ସିଂହ ଦୁଇଟା କାମ ବି ସରିଲାଣି। ଉତ୍ତରଦ୍ୱାର ଦୁଇଟି ସିଂହ, ଦକ୍ଷିଣ ଦ୍ୱାରାରେ ଦୁଇ ସିଂହ ତା’ ସହ ଜାଗର ସମୟରେ ପ୍ରଭୁ ଲିଙ୍ଗରାଜ ବେଣୁ ମଣ୍ଡପ ଆସି ସେଠାରେ ପ୍ରଭୁଙ୍କର ନୀତିକାନ୍ତି ହୋଇଥାଏ, ସେ ସବୁ ସେ ନିଜ ରଙ୍ଗତୂଳୀରେ ସଜାଇଥା’ନ୍ତି।

ସବୁଠି ଚାଲିଛି ସଫେଇ
ମହାଶିବରାତ୍ରୀ ପାଇଁ ମନ୍ଦିର ଓ ଆଖପାଖ ଅଞ୍ଚଳକୁ ସଫେଇ କରୁଛି ବିଏମ୍‌ସି। ବିଏମ୍‌ସିର ଠିକାଦାର ସଂସ୍ଥା ପିଏମ୍‌ଆର୍‌ର କର୍ମଚାରୀଙ୍କ ଦ୍ବାରା ମନ୍ଦିରକୁ ସଂଯୋଗ କରୁଥିବା ସବୁ ରାସ୍ତା, ସବୁ ଛୋଟ ମନ୍ଦିର ପରିସରକୁ ସଫେଇ କରୁଛି। ଠିକାଦାର ଗଦାଇଥିବା ବାଲି ମାଟିକୁ ମଧ୍ୟ ସଫେଇ କରାଯାଉଛି।
ପୁଷ୍କରିଣୀ ଓ ଗଛରେ ରଙ୍ଗିନ୍‌ ଲାଇଟ୍‌
ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଓ ବାହରେ ଅଧିକ ଲାଇଟ୍ ବ୍ୟବସ୍ଥା କରାଯାଇଛି। ଏବେ ମନ୍ଦିର ନିକଟ ଦେବୀ ପାଦହରା ପୁଷ୍କରିଣୀ ଭିତରେ ଅଧିକ ଲାଇଟ୍‌ ଲଗାଯାଇଛି। ସେହିପରି ପୁଷ୍କରିଣୀ ଚାରିପଟେ ଆଲୋକ ମାଳାରେ ସଜା ହେବ। ଶ୍ରୀଲିଙ୍ଗରାଜ ମନ୍ଦିର ବ୍ୟତୀତ ଅନ୍ୟ ଛୋଟ ମନ୍ଦିରରେ ଲିଚୁମାଳା ଲଗାଯାଇଛି। ଏଥିସହ ମନ୍ଦିର ନିକଟସ୍ଥ ଗଛମାନଙ୍କରେ ମଧ୍ୟ ଲାଇଟ୍‌ ଲଗା ଯାଇ ସୌନ୍ଦର୍ଯ୍ୟୀକରଣ କରାଯାଇଛି। ଶ୍ରୀଲିଙ୍ଗରାଜଙ୍କ ମେଘନାଦ ପାଚେରିରେ ସୁନ୍ଦର ଆଲୋକ ମାଳା ଲଗାଯାଇଛି।

ଦୂର ହେଲା ଦ୍ବନ୍ଦ୍ବ, ଏସ୍‌ଆର୍‌ସି ଏସ୍‌ଓପିରୁ ଏକାମ୍ରକ୍ଷେତ୍ର ବାଦ୍‌

ପୁରୁଣା ଭୁବନେଶ୍ୱର: କରୋନା ସଂକ୍ରମଣକୁ ଧ୍ୟାନ ଦେଇ ଅନେକ ବଡ଼ ବଡ଼ ମନ୍ଦିରରେ ଆଡ଼ମ୍ୱରପୂର୍ଣ୍ଣ ଜାଗରଯାତ୍ରାକୁ ବନ୍ଦ କରାଯାଇଛି। ଏସ୍‌ଆର୍‌ସିଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ଏସ୍‌ଓପି ଅନୁସାରେ ଜାଗର ଦିନ ମନ୍ଦିର ଭିତରେ ଓ ବାହାରେ ଗହଳି ହେବ ନାହିଁ କି ମେଳା ବସିବ ନାହିଁ। କୋଭିଡ୍‌ କଟକଣାରେ ମହାଶିବରାତ୍ରୀ ପାଳନ କରିବାକୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏସ୍‌ଆର୍‌ସିଙ୍କ ଏହି ମାର୍ଗଦର୍ଶିକାରୁ ଏକାମ୍ର କ୍ଷେତ୍ରକୁ ବାଦ୍‌ ଦିଆଯାଇଛି। ଏନେଇ ବିଏମ୍‌ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି ଯେ ଏକାମ୍ର କ୍ଷେତ୍ର ପାଇଁ ବିଏମ୍‌ସି ପକ୍ଷରୁ ପୂର୍ବରୁ ନିୟମ ଘୋଷଣା କରାଯାଇଛି। କୋଭିଡ୍‌ କଟକଣାରେ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିବେ। ମନ୍ଦିର ଭିତରେ ଆଡ଼କାଠରୁ ଶ୍ରଦ୍ଧାଳୁମାନେ ଦର୍ଶନ କରିବେ। ମନ୍ଦିର ଭିତରେ ପରମ୍ପରା ଅନୁଯାୟୀ କେବଳ ସେବାୟତ ପରିବାର ଦୀପ ଜାଳିବେ। ମନ୍ଦିର ଭିତରେ ଓ ବାହାରେ ରାସ୍ତାରେ ଦୀପ ଜାଳିବାକୁ ଓ ଭିଡ଼ ନକରିବାକୁ କଟକଣା କରାଯିବ। ତେବେ ସମସ୍ତେ ସାମାଜିକ ଦୂରତା ରକ୍ଷା ଓ ମାସ୍କ ବ୍ୟବହାର କରିବେ। ମନ୍ଦିର ଭିତରେ ଓ ବାହାରେ ଏହି ନିୟମ ପାଳନ ହେବ। ଲିଙ୍ଗରାଜ ମନ୍ଦିର ନିକଟ ଭଜନ ସମାରୋହ ସ୍ଥଳରେ ୫୦୦ ଲୋକ ରହି ପାରିବେ। ସେଠାରେ ଭିଡ଼ ନ କରିବା ପାଇଁ କୋଭିଡ୍‌ ମାର୍ଗଦର୍ଶିକା ପାଳନ କରାଯିବ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ଦାଶ ମଧ୍ୟ ଅନୁରୂପ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର