ପଞ୍ଚାକ୍ଷରୀରେ ଉଛୁଳିଲା ଏକାମ୍ର : ୯ଟା ୪୦ରେ ଉଠିଲା ମହାଦୀପ

ପୁରୁଣା ଭୁବନେଶ୍ବର : ଶିବ ପଞ୍ଚାକ୍ଷରୀରେ ପ୍ରକମ୍ପିତ ହେଉଥିଲା ଗଗନ ପବନ। ପବିତ୍ର ଜାଗରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଏକାମ୍ର କ୍ଷେତ୍ରକୁ ଛୁଟିଥିଲା ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ପାଦ। ଭକ୍ତି ଓ ଆବେଗରେ କିଏ ଦୀପଟିଏ ଜାଳି ଦେଇ ଗୁହାରି ବାଢ଼ୁଥିଲା ତ ଆଉ କିଏ ୧ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଥିବା ଧାଡ଼ିରେ ପ୍ରଭୁଙ୍କ ଦର୍ଶନ ପାଇଁ ଛିଡ଼ା ହୋଇ‌ ଧୈର୍ଯ୍ୟର ପରୀକ୍ଷା ଦେଉଥିଲା। ଖରାକୁ ଖାତିର ନଥିଲା କି ଉପବାସର ଯନ୍ତ୍ରଣା ବାଧୁ ନଥିଲା। ଭୋର୍‌ ୩ଟାରୁ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲା। ରାତି ବଢ଼ିବା ସହ ମହାଦୀପ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ି ଚାଲିଥିଲା। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଖି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଚୂଡ଼ାରେ ଲାଖି ରହିଥିଲା। ଶେଷରେ ରାତି ୯ଟା ୪୦ରେ ମହାଦୀପ ଉଠିଥିଲା। ପୂର୍ବ ବର୍ଷ ୯ଟା ୨୩ରେ ମହାଦୀପ ଉଠିଥିବା ବେଳେ ଏଥର ବି ନିର୍ଧାରିତ ସମୟ ପୂର୍ବରୁ ଏଇ ଦୃଶ୍ୟ ଦେଖିବାକୁ ମିଳିଥିଲା। ମହାଦୀପ ଉଠିବା କ୍ଷଣି ହରିବୋଲ ହୁଳହୁଳିରେ ଉଛୁଳିଥିଲା ଏକାମ୍ର କ୍ଷେତ୍ର।

ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିର ପାର୍ଶ୍ବବର୍ତୀ ଅଞ୍ଚଳର ସୌନ୍ଦର୍ଯ୍ୟ ନିଆରା ଅନୁଭବ ଦେଇଥିଲା। ଗତବର୍ଷ ଅପେକ୍ଷା ଏଥର ମଧ୍ୟ ଭକ୍ତଙ୍କ ଆଗମନ ଯଥେଷ୍ଟ ବଢ଼ିଥିଲା। ଶ୍ରୀଲିଙ୍ଗରାଜ ମନ୍ଦିରକୁ ଗତକାଲି ରାତିରୁ ଭକ୍ତଙ୍କ ଆଗମନ ହୋଇଥିବା ବେଳେ ରାତି ପ୍ରାୟ ୧ଟାରୁ ବହୁ ଶ୍ରଦ୍ଧାଳୁ ଧାଡ଼ି ବାନ୍ଧି ଛିଡ଼ା ହୋଇଥିଲେ। ଭୋର୍‌ ୩ଟାରେ ଭକ୍ତମାନେ ମନ୍ଦିର ବେଢ଼ାକୁ ପ୍ରବେଶ କରିଥିଲେ। ପ୍ରଶାସନ ପକ୍ଷରୁ ନିର୍ମିତ ନୂତନ ଫାଇବର ସେଡ୍‌ ଓ ୪ଟି ବ୍ୟାରିକେଡ୍ କରାଯାଇଥିଲା। ମହାପ୍ରଭୁଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ଭୋର ୪ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ବିଭିନ୍ନ ପ୍ରାନ୍ତରୁ ଆସିଥିବା ଭକ୍ତମାନେ ଶ୍ରୀଜିଉଙ୍କୁ ଗମ୍ଭୀରାରେ ଦର୍ଶନ କରିଥିଲେ। ଦିନ ୧୧ଟାରେ ସାହାଣମେଲା ଦର୍ଶନ ବନ୍ଦ ହୋଇ ଛାମୁ ପରିଷ୍କାର, ମହାସ୍ନାନ ଓ ବେଶ ନୀତି ବେଳେ ଦର୍ଶନ ବନ୍ଦ ରହିଥିଲା। ମନ୍ଦିରରେ ପହୁଡ଼ ପଡ଼ି ନୀତି କାର୍ଯ୍ୟ କରାଯାଉଥିବାରୁ ମଧ୍ୟାହ୍ନରେ ଗହଳି ସାମାନ୍ୟ କମିଥିଲା। ତେବେ ଅପରାହ୍‌ଣରୁ ହଜାର ହଜାର ଦର୍ଶନାର୍ଥୀ ପୁଣି ଧାଡ଼ି ବାନ୍ଧି ଦର୍ଶନ କରିଥିଲେ। ମନ୍ଦିରରେ ଦୀପଦାନ କରିବା ପାଇଁ ଲୋକେ ବେଢ଼ା ମଧ୍ୟକୁ ପ୍ରବେଶ କରିଥିଲେ। ଅନେକ ଭକ୍ତ ମେଘନାଦ ପାଚେରି, ମନ୍ଦିର ସମ୍ମୁଖ ଖାଲିସ୍ଥାନ, ଦେବୀପାଦହରା ପୁଷ୍କରିଣୀ ନିକଟ, ନୂଆ ଲିଙ୍ଗରାଜ ମାର୍କେଟ, ଲିଙ୍ଗରାଜ ହାଟ, ବିଏମ୍‌ସି ଡାକ୍ତରଖାନା ଛାତ, ବଡ଼ ମଠ, ଗଙ୍ଗାଯମୁନା ପଡ଼ିଆ, ବ୍ୟବସାୟ ପ୍ରତିଷ୍ଠାନ ଓ ବିଭିନ୍ନ ଘରର ଛାତ ଉପରେ ମହାଦୀପ ଉଠିବାକୁ ଅପେକ୍ଷା କରି ରହିଥିଲେ। ଶେଷରେ ରାତି ୯ଟା ୩୫ରେ ସମର୍ଥା ସେବାୟତଗଣ ମହାଦୀପ ଉଠାଇଥିଲେ। ୯ଟା ୪୦ ବେଳକୁ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିବା ପରେ ଭକ୍ତମାନେ ପଣା ଓ ପ୍ରସାଦ ସେବନ କରି ବ୍ରତ ସମାପନ କରିଥିଲେ। ଜାଗରକୁ ଶାନ୍ତିଶୃଙ୍ଖଳାର ସହ ସମାପନ ପାଇଁ ମନ୍ଦିର ପ୍ରଶାସନ, ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା। ସ୍ଥାନୀୟ ଲୋକପ୍ରତିନିଧି, ମନ୍ଦିର ଟ୍ରଷ୍ଟି, ବିଭିନ୍ନ ନିଯୋଗ ସେବାୟତଙ୍କ ସହଯୋଗରେ ଜିଲ୍ଲାପାଳ, ବିଏମ୍‌ସି କମିସନର, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଳାପାଳ, ବିଏମ୍‌ସି ଅତିରିକ୍ତ କମିସନର, ପୁଲିସ୍ କମିସନର, ଡିସିପି, ମନ୍ଦିର କାଯ୍ୟନିର୍ବାହୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିଥିଲେ।

ଦୀପ, ମନ୍ଦିର ସହ ସେଲ୍‌ଫି
ଫୁଲରେ ସୁସଜ୍ଜିତ ମନ୍ଦିର ଓ ଦୀପ ସହ ସେଲଫି ନେବା‌ରେ ଅନେକେ ମାତିଥିଲେ। ତେବେ ଚଳିତ ବର୍ଷ ଶ୍ରୀଲିଙ୍ଗରାଜ ପାର୍ଶ୍ବବର୍ତୀ ଅଞ୍ଚଳର ସୌନ୍ଦର୍ଯ୍ୟୀକରଣ ପରେ ଏହି ପରିସରରେ ଫଟୋ ଉଠାଇବାକୁ ଭିଡ଼ ଜମିଥିଲା। ଭଜନ ମଣ୍ଡପ ସହ ବ୍ୟାରିକେଡ୍‌ ଭିତରେ ଧାଡ଼ି ବାନ୍ଧି ଛିଡ଼ା ହୋଇଥିବା ସମୟରେ ମଧ୍ୟ ଲୋକେ ନିଜର ସେଲଫି ନେବାକୁ ଭୁଲି ନଥିଲେ।

ଚାହିଦାରେ କେତକୀ ଫୁଲ
କେତକୀ ଫୁଲ ବର୍ଷକରେ ଥରେ ମହାଦେବଙ୍କ ପୂଜାରେ ଲାଗୁଥିବାରୁ ଆଜି କେତକୀ ଫୁଲର ‌ଯଥେଷ୍ଟ ଚାହିଦା ରହିଥିଲା। ଏପରିକି କିଛି ବ୍ୟକ୍ତି କେତକୀ ଫୁଲ ପାଇଁ ପୂର୍ବ ଦିନ ରାତିରୁ ବଇନା ଦେଇଥିବା କହିଥିଲେ ବ୍ୟବସାୟୀ ଅରବିନ୍ଦ ସମର୍ଥା। ଏହାବ୍ୟତୀତ ଜଣେ ଭକ୍ତ ୧୦୮ କେତକୀ ଫୁଲ ପ୍ରଭୁଙ୍କୁ ଅର୍ପଣ କରନ୍ତି ବୋଲି ସେ କହିଛନ୍ତି। କେତକୀ ଫୁଲ କେବଳ ଏଇ ‌ଗୋଟିଏ ଦିନ ବିକ୍ରି ହେଉଥିବା ବେଳେ ଏହା ବାହାରୁ ଅଣାଯାଉଥିବାରୁ ଦର ୧୫୦ରୁ ୨୫୦ ଟଙ୍କା ମଧ୍ୟରେ ରହିଛି ବୋଲି ସେ କହିଥିଲେ।

କିନ୍ନରଙ୍କ ପୂଜାର୍ଚନା
ମନ୍ଦିର ପରିସର ଭିତରେ କିନ୍ନରମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ହାତରେ ପୂର୍ଣ୍ଣ କୁମ୍ଭ ଧରି ରୋଗ, ଶୋକରୁ ମୁକ୍ତି ପାଇବା ଓ ମାନସିକ ପୂରଣ ପାଇଁ ସେମାନେ ପୂଜା କରିଥିଲେ। ଶ୍ବେତବସ୍ତ୍ର ପରିଧାନ ସହ ହାତରେ ଫୁଲ, ବେଲପତ୍ର ଧରି ପୂଜା କରୁଥିବା ଦେଖିବାକୁ ମିଳିଥିଲା।

ବେଆଇନ ପାର୍କିଂ ଫି ଆଦାୟ, ବାଇକ୍‌ ଉଠାଇନେଲା ପୁଲିସ
ମନ୍ଦିରକୁ ସଂଯୋଗ ବିଭିନ୍ନ ରାସ୍ତାରେ ୧୪ଟି ପାର୍କିଂ ସୁବିଧା ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡ କରାଯାଇଥିଲା। ତେବେ କେତେକ ସ୍ଥାନରେ ବେଆଇନ ପାର୍କିଂ ର୍ଫି ଆଦାୟ କରାଯାଉଥିବା ଦେଖିବାକୁ ମିଳିଥିଲା। ଏସବୁ ଚାଲିଥିଲେ ସୁଦ୍ଧା ଏନେଇ ପୁଲିସ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା, ବରଂ ରାସ୍ତାକଡ଼ରେ ରଖି ଯାଇଥିବା ଲୋକଙ୍କର ବାଇକ୍‌ ପୁଲିସ ଉଠାଇ ନେଇଥିଲା। ପ୍ରାୟ ୫୦ରୁ ଅଧିକ ବାଇକ ରାସ୍ତାକଡ଼ରୁ ପୁଲିସ ଉଠାଇ ନେଇଥିଲା।

ବିଦେଶିନୀଙ୍କ ଜାଗର
ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ‌ରେ ଆଜି ବିଦେଶିନୀ ଭକ୍ତଙ୍କୁ ଦେଖିବାକୁ ମିଳିଥିଲା। ଇଲଂଣ୍ଡରୁ ଆସିଥିବା ଦମ୍ପତି ଚ୍ୟାଉ ଓ ରାଲି ନିଜ ପ୍ରତିକ୍ରିୟାରେ କହିଛନ୍ତି, ଓଡ଼ିଶାର ଧର୍ମ, ସଂସ୍କୃତି ଆମକୁ ବହୁତ ଭଲ ଲାଗେ। ଆମେ ଦୁଇ ବର୍ଷ ହେବ ଏଇ ଜାଗରରେ ଆସୁଛୁ। ଏ ବର୍ଷ ମଧ୍ୟ ଜାଗରରେ ପ୍ରଭୁଙ୍କ ସାନ୍ନିଧ୍ୟ ପାଇଁ ଆସିଛୁ। ରାଲି କୁହନ୍ତି, ଆମେ ଦୁହେଁ ଓଁ ନମଃ ଶିବାୟ! ମନ୍ତ୍ର ଜପ କରିବା ସହିତ ମହାଦୀପ ଉଠିବା ପର୍ଯ୍ୟନ୍ତ ଦୀପ ଜାଳି ଉଜାଗର ରହୁ। ଏଥର ବି ଦୀପ ଜାଳି ଉଜାଗର ରହିବୁ। ମହାରାଷ୍ଟ୍ରର ଜଲଗାଓଁରୁ ମଧ୍ୟ ୫୦ ଭକ୍ତ ଆସି ଦର୍ଶନ କରିଥିଲେ।

ଚେତା ହରାଇଲେ ୫ ଶ୍ରଦ୍ଧାଳୁ
ଶ୍ରୀଲିଙ୍ଗରାଜ ମନ୍ଦିର ବାହାରେ ଓ ଭିତରେ ଆଜି ପ୍ରାୟ ୫ଜଣ ଶ୍ରଦ୍ଧାଳୁ ଚେତା ହରାଇଥିଲେ। ଟାଣ ଖରାରେ ଭୋକ ଉପବାସରେ ଧାଡ଼ିରେ ଠିଆ ହୋଇଥିବା ଯୋଗୁଁ ଏପରି ହୋଇଥିଲା ବୋଲି ସୂଚନା ମିଳିଛି। ‌ସେମାନଙ୍କୁ ସ୍ୱେଚ୍ଛାସେବୀମାନେ ବିଏମ୍‌ସି ହସ୍ପିଟାଲରେ ଭର୍ତ୍ତି କରିବା ପରେ ସୁସ୍ଥ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର