ମଞ୍ଚ କହିଲା ସୁଭାଷଙ୍କ ଦେଶପ୍ରେମର ଗାଥା

ଭୁବନେଶ୍ବର: ଭାରତର ସ୍ବାଧୀନତା ସଂଗ୍ରାମ ସମୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ବାରା ଗଢ଼ା ହୋଇଥିଲା ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ଆର୍ମି ବା ଆଜାଦ୍‌ ହିନ୍ଦ ଫୌଜ୍‌। ତାହାର ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ନାଟକ ‘ମୁଁ ସୁଭାଷ’ ମଞ୍ଚସ୍ଥ ହୋଇଯାଇଛି। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ନାଟକ ବିଭାଗ ଦ୍ବାରା ଆୟୋଜିତ ଏହି ନାଟକରେ ଜଟିଳ ରାଜନୈତିକ ପରିସ୍ଥିତିରେ ନେତାଜୀଙ୍କ ଅସାଧାରଣ ଦେଶପ୍ରେମ, ଅତୁଳନୀୟ ଆତ୍ମତ୍ୟାଗ, ନିର୍ଭୀକ ଚିତ୍ତ, ବଳିଷ୍ଠ ନେତୃତ୍ବ ଓ ସମୂଳ ଆଦର୍ଶ ଗୁଣାବଳୀର ବିଭିନ୍ନ ଦିଗକୁ ନିଖୁଣ ଭାବେ ଚିତ୍ରିତ କରାଯାଇଥିଲା। ନାଟକର ରଚନା ଓ ନିର୍ଦ୍ଦେଶନା ଦେବାନନ୍ଦ ନାୟକ ଓ ସମିତାରାଣୀ ମହାନ୍ତି କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ସୁରେଶ ଚନ୍ଦ୍ର ଦଳେଇ ଓ ନିର୍ଦ୍ଦେଶକ ରଂଜନ କୁମାର ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ଜେନା ଏଥିରେ ଉପସ୍ଥିତ ଥିଲେ। କ୍ଷେତ୍ରମୋହନ ସାହୁ ଓ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟାପନାମଣ୍ଡଳୀ ତଥା କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର