ବାହାଘରକୁ ମାସେ ପୂରିନି, ମଥାରୁ ସିନ୍ଦୂର ଲିଭିଗଲା ! ‘ମୃତ୍ୟୁ ଯେତେବେଳେ ଆସେ…’

ଭୁବନେଶ୍ବର/ପୁରୁଣା ଭୁବନେଶ୍ବର: ବୟସ ମାତ୍ର ୨୭। କିନ୍ତୁ ଜୀବନକୁ ବହୁ ପାଖରୁ ଦେଖି ସାରିଥିଲେ। ଜୀବନ ଜିଇଁବାର କଳା ତାଙ୍କୁ ମାଲୁମ୍‌ ଥିଲା। ଦୁଃଖରେ ଭାଙ୍ଗି ପଡ଼ି ଜୀବନ ହାରିବାକୁ ଚେଷ୍ଟା କରିଥିବା ଅନେକ ଲୋକଙ୍କୁ ନିଜ ପ୍ରେରଣାଦାୟୀ କଥାରେ ମୃତ୍ୟୁ ମୁହଁରୁ ଟାଣି ଆଣିଥିଲେ। ଏଥିପାଇଁ ଜଣେ ମୋଟିଭେଟର୍‌ ଭାବେ ନିଜର ଏକ ସ୍ବତନ୍ତ୍ର ପରିଚିୟ ସୃଷ୍ଟି କରି ସାରିଥିଲେ। ଖାଲି ସେତିକି ନୁହେଁ, ମଦ ବିରୋଧୀ ଆନ୍ଦୋଳନ, ‘ପିପୁଲ୍‌ ଫର୍‌ ସେବା’ ଜରିଆରେ ଅସହାୟଙ୍କୁ ସେବା କରିବା ଭଳି ଅନେକ ସମାଜ‌‌ସେବା କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ। କିନ୍ତୁ କିଏ ଜାଣିଥିଲା, ଏମିତି ଅପ୍ରତ୍ୟାଶିତ ଭାବେ ତାଙ୍କର ମୃତ୍ୟୁ ହେବ। ଆଜି ସକାଳେ ରେଳ ଧାରଣା କଡ଼ରୁ ବିଶିଷ୍ଟ ସମାଜସେବୀ ଆଦିତ୍ୟ ଦାଶଙ୍କ ମରଶରୀର ଉଦ୍ଧାର ହେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। କେହି କେହି ଏହାକୁ ଆତ୍ମହତ୍ୟା କହୁଛନ୍ତି। ତେବେ ସମାଜକୁ ଦିଗ୍‌ଦର୍ଶନ ଦେଉଥିବା ଏପରି ଜଣେ ବ୍ୟକ୍ତିତ୍ବଙ୍କ ଜୀବନରେ ଏମିତି କ’ଣ ଘଟିଗଲା ଯେ ସେ ଜୀବନ ହାରିଦେଲେ; ଏହାକୁ ଅନେକେ ବିଶ୍ବାସ କରିପାରୁନାହାନ୍ତି। ତେବେ ଘଟଣାସ୍ଥଳରୁ ଆଦିତ୍ୟଙ୍କ ସୁନା ମୁଦି, ରୁପା ବ୍ରେସଲେଟ୍‌ ଗାଏବ ହେବା ଘଟଣା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଆଡ଼କୁ ଇସାରା କରୁଛି ବୋଲି ତାଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି। କିନ୍ତୁ ବାସ୍ତବ କଥା ଏବେ ବି ରହସ୍ୟଘେରରେ।

ରେଳ ଧାରଣା ନିକଟରେ ଶୋକାକୁଳ ପରିବେଶ
ଆଜି ସକାଳେ ଟ୍ରେନ୍‌ ଲାଇନ୍‌ କଡ଼ରେ ମୃତଦେହ ଦେଖି ଲିଙ୍ଗରାଜ ଷ୍ଟେସନ୍‌ ମାଷ୍ଟର ଜିଆର୍‌ପି ଥାନାକୁ ଖବର ଦେଇଥିଲେ। ଖବର ପାଇ ଜିଆର୍‌ପି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଆଦିତ୍ୟଙ୍କର ପତ୍ନୀଙ୍କ ସମେତ ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। କେବଳ ପରିବାର ସଦସ୍ୟ ନୁହନ୍ତି, ତାଙ୍କୁ ଜାଣିଥିବା ଶହ ଶହ ଲୋକ ରେଳ ଧାରଣା ନିକଟରେ ପହଞ୍ଚିଥିଲେ। ପରିବାରଲୋକଙ୍କ କାନ୍ଦ ବୋବାଳିରେ ସେହି ଅଞ୍ଚଳ ଫାଟି ପଡ଼ିଥିଲା। ପରେ ପ୍ରଦୀପ ସେବା ଟ୍ରଷ୍ଟ ସହାୟତାରେ ତାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା।

ହତ୍ୟା ନା ଆତ୍ମହତ୍ୟା?
ଆଦିତ୍ୟ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନେକେ କହୁଛନ୍ତି। ତେବେ ସକାରାତ୍ମକ ବିଚାରରେ ବିଶ୍ବାସ କରୁଥିବା ଆଦିତ୍ୟ କାହିଁକି ଏଭଳି ଚରମ ପଦକ୍ଷେପ ନେବେ, ସେ ନେଇ ପ୍ରଶ୍ନ ଉଠିଛି। ନିଶା ନିବାରଣ ଆନ୍ଦୋଳନରେ ସେ ସକ୍ରିୟ ଥିବାରୁ ତାଙ୍କୁ କେହି ହତ୍ୟା କରିଥାଇପାରନ୍ତି ବୋଲି ମଧ୍ୟ ଆଶଙ୍କା ଉପୁଜିଛି। ଘଟଣାର ତଦନ୍ତ ହେଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।
ବାପା ନନ୍ଦକିଶୋର ଦାଶଙ୍କ କହିବା ଅନୁଯାୟୀ, ଆଦିତ୍ୟଙ୍କ ଡାହାଣ ହାତରେ ଏକ ରୁପା ବ୍ରେସ୍‌ଲେଟ୍‌ ଥିଲା। ଆଙ୍ଗୁଠିରେ ଦୁଇଟି ଗ୍ରହ ମୁଦି ସହ ସୁନା ମୁଦି ଥିଲା। କିନ୍ତୁ ମୃତ୍ୟୁ ପରେ ସେଗୁଡ଼ିକ ନାହିଁ। ତେଣୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ଜିଆରପି ଥାନାର ନବନିଯୁକ୍ତ ଇନ୍‌ସ୍‌ପେକ୍ଟର ରାମଚନ୍ଦ୍ର ହାତୀ କହିଛନ୍ତି, ଆଦିତ୍ୟଙ୍କ ବାପାଙ୍କ ଅଭିଯୋଗକ୍ରମେ ଏକ ମାମଲା ରୁଜୁ ହୋଇଛି। ପାରିପାର୍ଶ୍ବିକ ପରିସ୍ଥିତି ଓ ସମସ୍ତ ବୟାନକୁ ଆଧାର କରି ତଦନ୍ତ ଆରମ୍ଭ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ଆଦିତ୍ୟଙ୍କ ଘର ବୌଦ୍ଧ ଜିଲ୍ଲାର ତଳଶରଦା ସହଜପଲ୍ଲା ଅଞ୍ଚଳରେ। ଗତ ଜୁନ୍ ୯ ତାରିଖରେ କଟକ ଖପୁରିଆରେ ସେ ବିଦ୍ୟାଶ୍ରୀଙ୍କୁ ପ୍ରେମ ବିବାହ କରିଥି‌ଲେ। ଗୁରୁବାର ତାଙ୍କ ବିବାହକୁ ମାସେ ପୂରିଥା’ନ୍ତା। କିନ୍ତୁ ନିଷ୍ଠୁର ଦଇବ ବିଦ୍ୟାଶ୍ରୀଙ୍କ ମଥାରୁ ସିନ୍ଦୂର ପୋଛିଦେଲା। ସୁନ୍ଦରପଦା ଏକାମ୍ର ବିହାରରେ ଏହି ନବଦମ୍ପତି ଭଡ଼ା ଘରେ ରୁହନ୍ତି। ଏହାର କିଛି ଦୂରରେ ତ୍ରିଲୋଚନ ବିହାରରେ ସେ ଏକ ବୃଦ୍ଧାଶ୍ରମ ଚଲାଉଥିଲେ। ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଥିଲେ ଆଦିତ୍ୟ। ଫେସ୍‌ବୁକ୍‌, ୟୁ-ଟ୍ୟୁବ୍‌ ପ୍ରଭୃତି ସାମାଜିକ ଗଣମାଧ୍ୟମରେ ସେ ପ୍ରେରଣାଦାୟୀ ଭିଡିଓ ଅପ୍‌ଲୋଡ୍‌ କରୁଥିଲେ। ତାଙ୍କର ଗୋଟିଏ ଗୋଟିଏ ଭିଡିଓ ୩୦ରୁ ୪୦ ହଜାର ଲୋକେ ଏକାସଙ୍ଗେ ଦେଖୁଥିଲେ। ସେହିପରି ତାଙ୍କ ୟୁ- ଟ୍ୟୁବ୍‌ ଚ୍ୟାନେଲ‌ର ୮୭ ହଜାରରୁ ଊର୍ଦ୍ଧ୍ବ ଅନୁଗାମୀ ରହିଥିଲେ। ତେବେ ଗତ କିଛି ଦିନ ହେଲା ଫେସ୍‌ବୁକରେ କରୁଥିବା ପୋଷ୍ଟକୁ ଦେଖିଲେ, ସେ ଅବସାଦରେ ଥିବା ଆଶଙ୍କା କରାଯାଉଛି। ତାଙ୍କର ଶେଷ ଷ୍ଟାଟସ୍‌ ଅପଡେଟ୍‌ ଥିଲା, ‘ମୃତ୍ୟୁ ଯେତେବେଳେ ଆସେ, ବହୁତ ଧୀରେ ଧୀରେ ଆସେ, କେହି ଜାଣି ପାରନ୍ତି ନାହିଁ।’

‘ମୋତେ ଛାଡ଼ିକି ଯିବ ନାହିଁ କି ମୁଁ କେଉଁଆଡ଼େ ପଳାଇଲେ ତୁମେ କାନ୍ଦିବ ନାହିଁ’
ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ କହିବା ଅନୁଯାୟୀ ‘ସେ ମୋ ଉପରେ ପୂରା ବିଶ୍ବାସ କରୁଥିଲେ। ଯାହା କରୁଥିଲେ, ମୋତେ ପଚାରୁଥିଲେ। ହଠାତ୍‌ ଦିନେ ଲଣ୍ଡା ହୋଇ ଘରକୁ ଆସିଥିଲେ। ଏହା ପରଠୁ ସେ କେମିତି ଭୟରେ ଥିବା ଭଳି ଲାଗୁଥିଲେ। ରାତିରେ ଏକୁଟିଆ ଘରୁ ବାହାରୁ ନଥିଲେ। ଏପରିକି ଗେଟ୍‌ ତାଲା ପକାଇବା‌ ପାଇଁ କିମ୍ବା ବାଥ୍‌ରୁମକୁ ମଧ୍ୟ ଯାଉନଥିଲେ। ଗତକାଲି ହଠାତ୍‌ ମୋ ଉପରେ ଚିଡିଚିଡି ହୋଇଥିଲେ। ଏପରିକି ମୋତେ ଗାଁକୁ ଚାଲି ଯିବାକୁ ବି କହୁଥିଲେ। ଦିନରେ ବହୁତ ସ୍ନେହ କରିଥିଲେ। ମୋତେ ଛାଡ଼ିକି ଯିବ ନାହିଁ କି ମୁଁ କେଉଁ ଆଡ଼େ ପଳାଇଲେ ତୁମେ କାନ୍ଦିବ ନାହିଁ ବୋଲି ମୋ’ଠୁ ଶପଥ ନେଇଥିଲେ। ଏକ ବେସରକାରୀ ଚାକିରି ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ଗତକାଲି ସନ୍ଧ୍ୟାରେ ଆମେ ଏକାଠି ଯିବାର ଥିଲା। କିନ୍ତୁ ବିନା କାରଣରେ ସେ ଝଗଡ଼ା କରିଥିଲେ। ସନ୍ଧ୍ୟାରେ କାମ ଅଛି କହି ହଠାତ୍‌ କେଉଁଆଡ଼େ ପଳାଇଥିଲେ। ପ୍ରଥମଥର ପାଇଁ ବାହାରକୁ ଯିବା ବେଳେ ସେ ଫ୍ରିଜ୍‌ ଉପରେ ହାତଘଣ୍ଟା ଓ ମୋବାଇଲ୍‌ ରଖି ଚାଲି ଯାଇଥିଲେ ବୋଲି ସେ କହିଛନ୍ତି।

ମଦ ବନ୍ଦ ପାଇଁ ଅନଶନ କରିଥିଲେ
ଆଦିତ୍ୟ ୨୦୧୯ ଅଗଷ୍ଟ ୧୫ରେ ରାଜ୍ୟରୁ ମଦ ହଟାଇବା ପାଇଁ ଅନଶନ କରିଥିଲେ। ସେ ମଦ ବନ୍ଦ କରିବା ପାଇଁ ପ୍ରଥମେ ପିପୁଲ୍ସ ଫର୍ ସେବା ପକ୍ଷରୁ ଦାବି କରି ବିଫଳ ହେବା ପରେ ଅନଶନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ରାଜ୍ୟରୁ ମଦ ବ୍ୟବସାୟ ସମ୍ପୂର୍ଣ୍ଣ ହ୍ରାସ କରିବା ପାଇଁ ୧୨ଦିନ ଅନଶନରେ ବସିବା ପରେ ଅବକାରୀ ସଚିବ ମଦ ହଟାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ୨୦୧୯ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ସେ ମଦ ବନ୍ଦ ପାଇଁ ମହାତ୍ମା ଗାନ୍ଧୀଙ୍କ ବେଶରେ ଅକ୍ଟୋବର ୨୪ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଦଯାତ୍ରା କରିଥିଲେ। ସେ ଲୋକଙ୍କୁ ମଦ ପିଇବାକୁ ବାରଣ କରିବା ସହ ମଦମୁକ୍ତି ଆନ୍ଦୋଳନରେ ସାମିଲ ହେବା ପାଇଁ ଲୋକଙ୍କୁ କହିଥିଲେ। ଆଦିତ୍ୟଙ୍କ ମତ ଥିଲା, ମଦ ହେଉଛି ପାରିବାରିକ କଳହଠାରୁ ଆରମ୍ଭ କରି ମଦମୃତ୍ୟୁ ଓ ବିଭିନ୍ନ ଆପରାଧିକ କାଣ୍ଡର ମୁଖ୍ୟ କାରଣ। ତେଣୁ ମଦ ହଟିଲେ ହିଁ ଏହି ସବୁ ସମସ୍ୟାର ସମାଧାନ ହୋଇପାରିବ।

ମୋଟିଭେସନାଲ ସ୍ପିକର୍, ଆକ୍ଟର, ଡ୍ୟାନ୍ସର
ଏକାଧାରରେ ମୋଟିଭେସନାଲ୍ ସ୍ପିକର, ଆକ୍ଟର ଓ ଡ୍ୟାନ୍ସର୍‌ ଥିଲେ ଆଦିତ୍ୟ। ବିଭିନ୍ନ କଲେଜ, ଅନୁଷ୍ଠାନରୁ ମୋଟିଭେସନାଲ୍ ଟକ୍ ପାଇଁ ତାଙ୍କୁ ଡକରା ଆସୁଥିଲା। ଏହା ବ୍ୟତୀତ ସମାଜସେବାରୁ ସମୟ ପାଇଲେ ସେ ବିଭିନ୍ନ ଚରିତ୍ରରେ ଅଭିନୟ କରି ସୋସିଆଲ୍ ମିଡିଆରେ ଭିଡିଓ ସେୟାର କରୁଥିଲେ। ଏହାସହ ତାଙ୍କର ନୃତ୍ୟରେ ମଧ୍ୟ ରୁଚି ରହିଥିଲେ। ନିଜ ପତ୍ନୀ ବିଦ୍ୟାଶ୍ରୀଙ୍କ ସହ ମିଶି ୟୁ-ଟ୍ୟୁବ୍‌ରେ ଆଦିଶ୍ରୀ ନାମରେ ଏକ ପେଜ୍ ଖୋଲିଥିଲେ। ଯେଉଁଥିରେ ସେ ରୋଷେଇ ପାଇଁ ବିଭିନ୍ନ ଖାଦ୍ୟ ପ୍ରଣାଳୀ ସମେତ ଉପରୋକ୍ତ ଭିଡିଓଗୁଡ଼ିକ ପୋଷ୍ଟ କରୁଥିଲେ। ସମାଜ ସେବା କାର୍ଯ୍ୟ ପାଇଁ ସୋସିଆଲ୍ ମିଡିଆରେ ତାଙ୍କର ବହୁତ ପ୍ରଶଂସକ ମଧ୍ୟ ଥିଲେ।

ଅଧାରେ ରହିଗଲା ପିତୃମାତୃ ଭବନ
ପିପୁଲ୍‌ସ ଫର୍ ସେବା ନାଁରେ ଆଦିତ୍ୟ ଏକ ସ୍ବେଚ୍ଛାସେବୀ ସଂଗଠନ ଗଢ଼ିଥିଲେ। ଲୋକଙ୍କୁ ସହାୟତା କରିବା ପରେ ସଙ୍ଗଠନର ମୂଳ କାର୍ଯ୍ୟ ଥିଲା ଅବହେଳିତା ପିତାମାତାଙ୍କୁ ଥଇଥାନ କରିବା। ସେଥିପାଇଁ ସେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ନିର୍ଯାତିତ ବୟସ୍କ/ବୟସ୍କାଙ୍କୁ ଏକତ୍ରିତ କରି ସୁନ୍ଦରପଦାସ୍ଥିତ ତ୍ରିଲୋଚନ ବିହାରରେ ଏକ ଘର ଭଡ଼ା ନେଇ ସେମାନଙ୍କୁ ରଖିଥିଲେ। ସେ ଏହି ଅବହେଳିତ ବୃଦ୍ଧବୃଦ୍ଧାଙ୍କୁ ନିଜସ୍ବ ଜମିରେ ଘର କରି ପିତୃମାତୃ ଭବନରେ ରଖିବା ପାଇଁ ଶପଥ ନେଇଥିଲେ। ଯେଉଁ ପର୍ଯ୍ୟନ୍ତ ସେ ନିଜସ୍ବ ଜମି କିଣି ଅବହେଳିତ ବୃଦ୍ଧବୃଦ୍ଧାଙ୍କୁ ପିତୃମାତୃ ଭବନରେ ନରଖିଛନ୍ତି, ସେ ପର୍ଯ୍ୟନ୍ତ ଦାଢ଼ି ନ କାଟିବା ପାଇଁ ସ୍ଥିର କରିଥିଲେ। କିନ୍ତୁ ବାହାଘର ପୂର୍ବରୁ ବ୍ରତୋପନୟନ ପାଇଁ ବାଧ୍ୟ ହୋଇ ଦାଢ଼ି କାଟିଥିଲେ। ତେବେ ତାଙ୍କର ନିଜସ୍ବ ଜମିରେ ପିତୃମାତୃ ଭବନ ତିଆରି ପାଇଁ ସ୍ବପ୍ନ ଅଧାରେ ରହିଗଲା।

ଯିଏ ଯେଉଁଠି ଥାଅ, ସମାଜ ପାଇଁ କାମ କର
ପିପୁଲ୍‌ସ ଫର୍ ସେବା ନାଁରେ ସ୍ବେଚ୍ଛାସେବୀ ସଙ୍ଗଠନ ଗଢ଼ିଥିବା ଆଦିତ୍ୟ ପ୍ରଥମେ ୟୁଥ୍ ଫର୍ ସେବା ନାମକ ସଂଗଠନରେ କାମ କରୁଥିଲେ। କୌଣସି କାରଣ ପାଇଁ ସେ ସାମାଜିକ ସଙ୍ଗଠନରୁ ଓହରି ଆସିବା ପରେ ୨୦୧୬ ମସିହାରେ ନିଜେ ସ୍ବେଚ୍ଛାସେବୀ ସଙ୍ଗଠନ ଗଢ଼ିଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟେ ୧୨୦୦ ସ୍ବେଚ୍ଛାସେବୀଙ୍କୁ ନେଇ ସେ କାମ କରୁଥିଲେ। ସେ ନିଜ ସଙ୍ଗଠନର କର୍ମକର୍ତ୍ତାଙ୍କୁ ସର୍ବଦା କହୁଥିଲେ, ‘ଯିଏ ଯେଉଁଠି ଥାଅ, ସମାଜ ପାଇଁ କାମ କର’। ଆଜି ସଙ୍ଗଠନ ସହ ଅଛ, କାଲି ନ ଥାଇପାର। ସଙ୍ଗଠନରେ ନଥିଲେ ମଧ୍ୟ ସମାଜ ପାଇଁ କାମ କରିବାକୁ ସେ ଆହ୍ବାନ କରିଥିଲେ। ଏହାବ୍ୟତୀତ ସେ ରକ୍ତଦାନ, ବୃକ୍ଷରୋପଣ, ପ୍ରତିଦିନ ଗରିବଙ୍କୁ ଖାଦ୍ୟ ବଣ୍ଟନ, ସଫେଇ ଆଦି କାର୍ଯ୍ୟକ୍ରମରେ ଲିପ୍ତ ଥିଲେ।

ଅଙ୍ଗଦାନ ବି କରିଥିଲେ
ସୋସିଆଲ୍ ମିଡିଆରେ ମାନବପ୍ରେମୀ ଭାବେ ପରିଚିତ ଆଦିତ୍ୟ ମୃତ୍ୟୁ ପରେ ଅଙ୍ଗଦାନ କରିବାକୁ ସତ୍ୟପାଠ କରିଥିଲେ। ତାଙ୍କ ଅନ୍ତେ ତାଙ୍କର ସମସ୍ତ ଅଙ୍ଗ ସେ ଦାନ କରିବେ ବୋଲି କହିଥିଲେ। କିନ୍ତୁ ଆତ୍ମହତ୍ୟା ପରେ ଆଦିତ୍ୟଙ୍କ ଶବ ବ୍ୟବଚ୍ଛେଦ ବେଳକୁ ୭ ଘଣ୍ଟା ହୋଇଯାଇଥିବାରୁ ତାଙ୍କ କୌଣସି ଅଙ୍ଗ ସଂଗ୍ରହ କରାଯାଇ ପାରିନଥିଲା। ଏହା ତାଙ୍କ ପରିବାର ଓ ବନ୍ଧୁପରିଜନଙ୍କ ପାଇଁ ଏକ ବଡ଼ ଅବ‌ସୋସ।

ସମ୍ବନ୍ଧିତ ଖବର