ନିସ୍ତବ୍ଧ ରାତିର ରାଜଧାନୀ: ଛକ ଛକରେ ପୁଲିସ, ଅଧା ସଟର୍‌ ଖୋଲି ବେପାର

ବରମୁଣ୍ଡା ଓ ଖଣ୍ଡଗିରିରେ ଗାଈ, କୁକୁରଙ୍କ ରାଜ୍‌

ଭୁବନେଶ୍ବର: ଦିନ କେଇଟା ମଧ୍ୟରେ ବଦଳି ଯାଇଛି ରାଜଧାନୀର ଚିତ୍ର ଓ ଚରିତ୍ର। ଆଉ ଦେଖିବାକୁ ମିଳୁନି ସେଭଳି କୋଳାହଳମୟ ପରିବେଶ। ହାତଗଣତି କିଛି ଦୋକାନ ବଜାର ଖୋଲୁଛି। ରାସ୍ତାରେ ଗାଡ଼ି ମଟର ସଂଖ୍ୟା ବଢ଼ୁଛି। ହେଲେ ଆଜି ପର୍ଯ୍ୟନ୍ତ ପୂର୍ବ ସ୍ଥିତିକୁ ଫେରିପାରିନି। କେବେ ଫେରିବ ତାହା ବି କ‌ହି ହେଉନି। ଲକ୍‌ ଡାଉନ୍‌ ଦ୍ବାରା ସବୁ କିଛି ଠପ୍‌ ହୋଇଯାଇଛି। ଲୋକଙ୍କୁ ଘର ଭିତରେ ରହିବାକୁ ବାଧ୍ୟ କରୁଛି ଏ ସମୟ। ରାତି ୭ଟା ବାଜିଲେ ମଧ୍ୟରାତି ଭଳି ମନେ ହେଉଛି। ପୁଲିସର କଟକଣା ହେଉ କି କରୋନା ଭୟ, ରସୁଲଗଡ଼ରୁ ଖଣ୍ଡଗିରି, ପୁରୁଣା ଭୁବନେଶ୍ୱରରୁ ଚନ୍ଦ୍ରଶେଖରପୁର; ସବୁଠି ରାଜୁତି କରୁଛି ଅନ୍ଧାର। ଲାଗୁଛି ସତେ ଯେମିତି ନିସ୍ତବ୍ଧ ହୋଇଯାଇଛି ସାରା ସହର। ରାଜଧାନୀ ରାସ୍ତା ପାର୍ଶ୍ବରେ ଶ୍ରମିକଙ୍କ ରାତ୍ରିଯାପନ ଆଉ ଦେଖିବାକୁ ମିଳୁନି। କି ବାଣୀବିହାର ଓଭରବ୍ରିଜ୍‌ ଓ ଖଣ୍ଡଗିରି ପାଦଦେଶରେ କିନ୍ନରଙ୍କ ଛିଡ଼ା ହେବାର ଦୃଶ୍ୟ ନଜରରେ ପଡ଼ୁନି। ରାଜଧାନୀ ରାତିର କିଛି ଏଭଳି ଦୃଶ୍ୟକୁ କ୍ୟାମେରା ଲେନ୍ସ‌‌‌ରେ କଏଦ୍‌ କରିଥିଲା
‘ସମ୍ବାଦ’ ଟିମ୍‌…

ସନ୍ଧ୍ୟା ୭ଟାରୁ କଟକଣା ଲାଗୁ ହୋଇଛି। ତେଣୁ ରାତି ପ୍ରାୟ ୮ଟା ବେଳେ ରସୁଲଗଡ଼ରୁ ଆରମ୍ଭ ହୋଇଥିଲା ଆମ ଅଭିଯାନ। ଗାଡ଼ି କଳ୍ପନା ଛକ ଆଡ଼କୁ ଯିବା ବେଳେ ବାଟରେ ଭିନ୍ନଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ବମିଖାଲ ଓଭରବ୍ରିଜ୍‌ ଏକପ୍ରକାର ଶୂନଶାନ ହୋଇପଡ଼ିଥିବା ବେଳେ ସତ୍ୟନଗର ଓଭରବ୍ରିଜ୍‌‌ରେ କାଁ ଭାଁ ଗାଡ଼ି ଗଡ଼ୁଥିବା ଦେଖିବାକୁ ମିଳିଥିଲା। କଟକ ରୋଡ୍‌ରେ ଏକ ହୋଟେଲ ଭିତରେ ଲାଇଟ୍‌ ଜଳୁଥିଲା। ଆଉ ବାହାରେ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି କରୁଥିବା ଦୁଇ ଜଣ ଯୁବକ ଠିଆ ହୋଇ ଅପେକ୍ଷା କରି ରହିଥିଲେ। ଏହାର କିଛି ଦୂରରେ ଏକ ଗାଡ଼ି ପାର୍ଟସ ଦୋକାନ ଖୋଲା ରହିଥିଲା ଏବଂ ଆଗରେ ଗାଡ଼ି ଥୁଆ ହୋଇଥିଲା। ତେବେ ଉକ୍ତ ଦୁଇଟି ଯାକ ଦୋକାନରେ ଅଧା ସଟର୍‌ ପଡ଼ିଥିବା ନଜରକୁ ଆସିଥିଲା। କେବଳ ଏହି ଦୁଇ ସ୍ଥାନ ନୁହେଁ, ମାଷ୍ଟରକ୍ୟାଣ୍ଟିନ୍‌ ବସ୍‌ଷ୍ଟାଣ୍ଡ ନିକଟରେ ଏକ ଚା’ ଦୋକାନ‌ ଖୋଲାଥିଲା। ଦୁଇ ଜଣ ପୁଲିସ ବାବୁ ଚା’ ପିଉଥିଲେ। ପାଖରେ ପିସିଆର ଭ୍ୟାନ୍‌ ବି ରହିଥିଲା। ଝାରପଡ଼ା କେନାଲ ରୋଡ୍‌ରେ ବି କିଛି ଛୋଟ ଦୋକାନ ଅଧା ଖୋଲାଥିବା ଦେଖିବାକୁ ମିଳିଥିଲା।

କଟକଣା ଜାରି ରହିଥିବାରୁ ସହରର ବିଭିନ୍ନ ଛକରେ ପୁଲିସ ପ୍ରହରା ଜାରି ରହିଛି। ମଧ୍ୟରାତି ପର୍ଯ୍ୟନ୍ତ ରସୁଲଗଡ଼, ବାଣୀବିହାର, ଜୟଦେବ ବିହାର, କଳ୍ପନାa ଛକ, ଶିଶୁ ଭବନ ଛକ ନିକଟରେ ୨ରୁ ୪ଜଣ ପୁଲିସ ବାବୁ ରହିଥିଲେ। କାଁ ଭାଁ ଆସୁଥିବା ଗାଡ଼ିକୁ ଯାଞ୍ଚ କରିବା ସହ ସେମାନଙ୍କର ପାସ୍‌ ରହିଛି କି ନାହିଁ ଦେଖୁଥିଲେ। ରାଜମହଲ ଛକରୁ ଶିଶୁଭବନ ଛକ ରାସ୍ତା ଶୂନଶାନ ରହିଥିଲା। ତେବେ ଛକ ଉପରେ ତିନି ଜଣ ପୁଲିସ କର୍ମଚାରୀ ସାମାଜିକ ଦୂରତ୍ବ ରକ୍ଷା କରି ଗାଡ଼ି ଉପରେ ବସିଥିବା ନଜରକୁ ଆସିଥିଲା। ସଚିବାଳୟ ମାର୍ଗରେ ପୁଲିସ ପ୍ରହରା ଟିକିଏ ଅଧିକ ଥିବା ବେଳେ ରାତି ସାଢ଼େ ୧୧ଟା ବେଳକୁ ନାଲକୋ ଛକରେ କେହି ପୁଲିସ ନ ଥିଲେ। ସନ୍ଧ୍ୟାରେ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ମୃତ୍ୟୁ ଖବର ଶୁଣିବା ପରେ ଅଶୋକ ନଗରରେ ଥିବା ତାଙ୍କ ବାସଭବନ ନିକଟରେ କିଛି ଲୋକ ଯିବା ଆସିବା ଲାଗି ରହିଥିଲା।

ଲକ୍‌ଡାଉନ୍‌ ପରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଏବେ ଗାଈଗୁହାଳ ପାଲଟିଛି। ଦିନ ହେଉ କି ରାତି, ସବୁବେଳେ ଏଠାରେ ଗାଈ ଗୋରୁଙ୍କ ରାଜୁତି ଚାଲିଛି। ଦିନ ସାରା ଏଣେ‌‌ତେଣେ ବୁଲୁଥିବା ଗାଈଗୋରୁ ରାତିରେ ଏଠାରେ ଏକାଠି ଶୋଇଥିବାର ଦୃଶ୍ୟ ଆମ କ୍ୟାମେରା‌‌ରେ କଏଦ୍‌ ହୋଇଥିଲା। ରାତି ସାଢ଼େ ୯ଟା ବେଳକୁ ଦୋକାନ ବଜାର ବନ୍ଦ ଥିଲା। ୩ରୁ ୪ ଜଣ ପୁଲିସ ଅଧିକାରୀ ବୁଲୁଥିଲେ। ଷ୍ଟାଣ୍ଡ ଭିତରେ ଥିବା ବସ୍‌ରେ କିଛି କର୍ମଚାରୀ ରହିଥିବା ଦେଖିବାକୁ ମିଳିଥିଲା। ଖଣ୍ଡଗିରି ଛକରେ ବି ସମାନ ଦୃଶ୍ୟ ନଜରରେ ପଡ଼ିଥିଲା। ରାସ୍ତାରେ କୁକୁର ଓ ଗାଈଗୋରୁଙ୍କ ରାଜ୍‌ ଚାଲିଥିଲା। ଖଣ୍ଡଗିରି-ଘାଟିକିଆ ରାସ୍ତାରେ ଲାଇଟ୍‌ ଜଳୁଥିବା ବେଳେ ଉଦୟଗିରି ଗୁମ୍ଫାରେ ଅନ୍ଧାର ରାଜୁତି କରୁଥିଲା।

ସମ୍ବନ୍ଧିତ ଖବର