ଖଣି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ, ଜଣେ ଗିରଫ, କୋର୍ଟରେ ଜଣକ ଆତ୍ମସମର୍ପଣ

ଭୁବନେଶ୍ବର: ବେଆଇନ ଭାବେ ମୋରମ୍‌ ଓ ଖଣିଜ ପଦାର୍ଥ ଉତ୍ତୋଳନ କରୁଥିବା ମାଫିଆମାନଙ୍କ ଉପରେ ଏବେ କ୍ରାଇମ୍‌ ବ୍ରାଞ୍ଚ ଏସଟିଏଫ‌୍‌ର ନଜର। ଗତ ଦୁଇ ସପ୍ତାହ ମଧ୍ୟରେ ୭ରୁ ଅଧିକ ଖଣି ମାଫିଆଙ୍କୁ ଗିରଫ କରି ଏସଟିଏଫ ଏବେ ଚର୍ଚାରେ। ଏପରିକି ଖଣି ମାଫିଆଙ୍କୁ ମଧ୍ୟ ଏନ୍‌କାଉଣ୍ଟର କରିଛି। ଏହାକୁ ନେଇ ଖଣି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଗଲାଣି। ଆଜି ଆଉ ଜଣେ ଖଣି ମାଫିଆକୁ ଏସଟିଏଫ ଗିରଫ କରିଥିବା ବେଳେ ଜଣେ ଭୟରେ ଖୋର୍ଧା କୋର୍ଟରେ ଆତ୍ମସମର୍ପଣ କରିଛି।

କ୍ରାଇମ୍‌ ବ୍ରାଞ୍ଚଠାରୁ ମିଳିଥିବା ସୂଚନା ମୁତାବକ, ଦୀର୍ଘ ଦିନ ଧରି ଖୋର୍ଧାରେ ବେଆଇନ ଭାବେ ମୋରମ ଉତ୍ତୋଳନ କରୁଥିବା ସୂର୍ଯ୍ୟ ଓରଫ ହାତଖଣ୍ଡୀ ଓରଫ ସୁନୀଲ ପ୍ରଧାନକୁ ଆଜି ଗିରଫ କରାଯାଇଛି। ତା’ ଘର ଖୋର୍ଧା ସଦର ଥାନା ଅଧୀନ ଦେଉଳଟାଙ୍ଗୀରେ। ତା’ ନିକଟରୁ ଏକ ମାରଣାସ୍ତ୍ର ଜବତ କରାଯାଇଛି। ସୁନୀଲ ନାଁରେ ଖୋର୍ଧାରେ ଏକାଧିକ ମାମଲା ରହିଛି। ଗୁଳିମାଡ଼, ବୋମାମାଡ଼ ଭଳି ଅପରାଧରେ ମଧ୍ୟ ସେ ସମ୍ପୃକ୍ତ ଥିବା ସହିତ ସେ ଗ୍ୟାଙ୍ଗଷ୍ଟର ଟିଟୋ ପାଇଁ କାମ କରୁଥିଲା ବୋଲି ଜଣାପଡ଼ିଛି। ସୂର୍ଯ୍ୟ ଖୋର୍ଧାର ବଡ଼ସାଉଁଳି, କଳିଙ୍ଗ, ହାତିଆ, ଜୋଡମ୍ବା, ଚିଙ୍ଗୁଡ଼ି, ମାଙ୍କଡ଼ଖିଆରେ ଥିବା ପାହାଡ଼କୁ ବେଆଇନ ଭାବେ ବିସ୍ଫୋରଣ କରି ଲଘୁ ଖଣିଜ ପଦାର୍ଥ ବିକ୍ରି କରୁଥିଲା। ଏହାବ୍ୟତୀତ ଏକାଧିକ ଗ୍ୟାଙ୍ଗଷ୍ଟର୍‌ ମଧ୍ୟ ଏହି ବେଆଇନ ଖଣି କାରବାରରେ ସଂପୃକ୍ତ ଥିବା କ୍ରାଇମ୍‌ ବ୍ରାଞ୍ଚ ଜାଣିବାକୁ ପାଇଛି। ସେହିପରି ଏହି ଚୋରା ଖଣି କାରବାରରେ ଜଣେ ମହିଳା ମଧ୍ୟ ସମ୍ପୃକ୍ତ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷରେ ଆଜି ଛୋଟା ଓରଫ ଶୁଭ୍ରାଂଶୁ ପରିଡ଼ା ନାମକ ଜଣେ ଖଣି ମାଫିଆ ଭୟରେ ଖୋର୍ଧା କୋର୍ଟରେ ଆତ୍ମସମର୍ପଣ କରିଛି। ସେ ଖୋର୍ଧା ଅଞ୍ଚଳରେ ବ୍ରାଉନସୁଗାର କାରବାର କରିବା ସହିତ ବେଆଇନ ମୋରମ ଉତ୍ତୋଳନ କରୁଥିଲା। ଏହି ଉପାୟରେ ସେ କୋଟି କୋଟି ଟଙ୍କା ବେଆଇନ ଭାବେ ଉପାର୍ଜନ କରିଛି। ତା’ ଅଧୀନରେ ପାଖାପାଖି ୧୫୦ରୁ ଅଧିକ ଲୋକ କାମ କରୁଥିଲେ। ସମସ୍ତେ ଖୋର୍ଧା, ଜଟଣୀ ଅଞ୍ଚଳରେ ନିଶା କାରବାରରେ ସଂପୃକ୍ତ ଥିଲେ। ଏପରିକି ଛୋଟା ଧୀରେ ଧୀରେ ରାଜନୀତି କରିବାକୁ ମଧ୍ୟ ମନ ବଳାଇବା ଆରମ୍ଭ କରିଥିଲା। ତା’ ବିରୋଧରେ କ୍ରାଇମ ବ୍ରାଞ୍ଚ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ଏହି ଖବର ପାଇବା ପରେ ଛୋଟା ଆଜି କୋର୍ଟରେ ଆତ୍ମସମର୍ପଣ କରିବାକୁ ଯାଇଥିଲା। ସୂଚନା ପାଇ କ୍ରାଇମ ବ୍ରାଞ୍ଚ ଏସଟିଏଫ ଇନ୍ସପେକ୍ଟର ଆଲୋକ ଜେନା ଓ ତାଙ୍କ ଟିମ କୋର୍ଟରେ ସାଦା ପୋଷାକରେ ଛୋଟାକୁ କାବୁ କରିଥିଲେ। କିନ୍ତୁ ସେ ପୁଲିସ ସହିତ ଧସ୍ତାଧସ୍ତି କରି କୋର୍ଟ ଭିତରକୁ ଦୌଡ଼ି ପଳାଇଥିଲା। ତାକୁ ରିମାଣ୍ଡରେ ଆଣି ପଚରା ଉଚରା କରିବାକୁ ଯୋଜନା କରିଛି କ୍ରାଇମ ବ୍ରାଞ୍ଚ। ଏଥିପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ସୂଚନା ମିଳିଛି। ଏଥିସହିତ ଆଜି ଛୋଟା ଘରେ ମଧ୍ୟ ଚଢ଼ଉ କରାଯାଇଥିଲା।

ଗତ ଏକ ସପ୍ତାହ ତଳେ ଟାଙ୍ଗୀ ତହସିଲ ଅଧୀନରେ ଥିବା ୩ ଜଣ ଖଣି ମାଫିଆ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଧୀନ ଶ୍ୟାମବନ୍ଧୁ ଡାକୁଆ, ଫତେଗଡ଼ ଥାନା ଅଧୀନ ଲକ୍ଷ୍ମୀପ୍ରସାଦର ମାନସ ରଂଜନ ପ୍ରଧାନ, ଖୋର୍ଧା ଜଙ୍କିଆ ଥାନା ଗୋଡିପଡ଼ାର ମୁକୁନ୍ଦ ଖଣ୍ଡାୟତରାୟଙ୍କୁ ଗିରଫ କରିଥିଲା କ୍ରାଇମ ବ୍ରାଞ୍ଚ। ସେହିପରି ଖୋର୍ଧାରେ ମୋରମ୍‌ ଓ ଡ୍ରଗସ୍‌ ମାଫିଅମାନଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ଏନ୍‌କାଉଣ୍ଟର ହୋଇଥିଲା। ଏଥିରେ ସଂଜୟ ପ୍ରଧାନ ଓ ଅନୀଲ ବରାଳ ନାମକ ଦୁଇ ଦୁର୍ଦାନ୍ତ ଅପରାଧୀ ଆହତ ହୋଇଥିଲେ। କ୍ରାଇମ ବ୍ରାଞ୍ଚ ସେମାନଙ୍କର ଜଣେ ପ୍ରମୁଖ ସହଯୋଗୀ ଜନ ଖୁଣ୍ଟିଆକୁ ଗିରଫ କରିଥିଲା। ତା’ ନିକଟରୁ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଥିଲା। ସଂଜୟ ଓ ଅନିଲକୁ ଗିରଫ କରିବାକୁ କ୍ରାଇମ୍‌ ବ୍ରାଞ୍ଚ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଆଗୀମ ଦିନରେ କ୍ରାଇମ ବ୍ରାଞ୍ଚ ଆହୁରି ଖଣି ମାଫିଆଙ୍କୁ ଗିରଫ କରିବା ବୋଲି ଏସଟିଏଫ ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର