କୋଭିଡ କଟକଣା ମଧ୍ୟରେ କାଲିଠୁ ଭୁବନେଶ୍ୱରରେ ପୁଣି ଗଡ଼ିବ ‘ମୋ ବସ୍‌’, ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର: ଅନ୍‌ଲକ୍‌-୩ ଜାରିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଆସନ୍ତାକାଲି (ମଙ୍ଗଳବାର) ଠାରୁ ମୋ ବସ୍‌ ଚାଲିବ। ଅତି ଗୁରୁତ୍ୱପୂର୍ଣ୍ଣ ୮ଟି ରୁଟରେ ନନ୍‌ ଏସି ବସ୍‌ ସେବା ଚାଲିବ ବୋଲି ଜଣାପଡ଼ିଛି। ‘ମୋ ବସ’କୁ ପରିଚାଳନା କରୁଥିବା କ୍ୟାପିଟାଳ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସପୋର୍ଟ (କ୍ରୁଟ) ପକ୍ଷରୁ ଏହି ସୂଚନା ଦିଆଯାଇଛି।

କ୍ରୁଟ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଯାତ୍ରୀଙ୍କୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଏହି ସେବା ମିଳିବ। ରୁଟ ନଂ ୧୧, ୧୬, ୧୮, ୨୦, ୨୩, ୨୫, ୨୭ ଓ ୩୩ରେ ଯାତ୍ରୀମାନେ ମୋ ବସରେ ଯିବାଆସିବା କରିପାରିବେ। ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବାକୁ ପଡ଼ିବ। ମାସ୍କ ପିନ୍ଧି ନଥିଲେ ବସ୍‌ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଅଗଷ୍ଟ ମାସରେ ବସ୍‌ ସେବା ସପ୍ତାହାନ୍ତ ବନ୍ଦ ରହିବ।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରର ସବୁଠାରୁ ସୁଲଭ ଓ ସୁବିଧା ସାଧାରଣ ବସ ସେବା ‘ମୋ ବସ୍‌’ ମହାମାରୀ କରୋନା ଭାଇରସ ଯୋଗୁଁ ପ୍ରଭାବିତ ହୋଇଛି। ଏହି ବସ୍‌ ସେବା ବନ୍ଦ ଥିବାରୁ ସାଧାରଣ ଲୋକଙ୍କୁ ଯାତାୟତରେ ବହୁ ଅସୁବିଧା ହେଉଛି। ସେହିଭଳି ଲୋକଙ୍କୁ ଅନ୍ୟ ଘରୋଇ ସଂସ୍ଥାର ଟ୍ୟାକ୍ସି ଓ କ୍ୟାବରେ ଯାତ୍ରା କରିବା ଦ୍ୱାରା ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ତେଣୁ କାଲିଠାରୁ ମୋ ବସ୍‌ ପୁଣି ଥରେ ପରିଚାଳିତ ହେଲେ ସାଧାରଣ ଯାତ୍ରୀ ଏଥିରୁ ଉପକୃତ ହେବେ।

ସମ୍ବନ୍ଧିତ ଖବର