ମାଙ୍କଡ଼ କାମୁଡ଼ାରେ ବୃଦ୍ଧ ଗୁରୁତର

ଖଣ୍ଡଗିରି: ଦୁଇ ସପ୍ତାହ ଭିତରେ ସାତ ଜଣଙ୍କୁ କାମୁଡ଼ି ଘାଇଲା କଲାଣି। ବିନା କାରଣରେ କାମୁଡ଼ି ରକ୍ତାକ୍ତ କରୁଛି। ବିଶେଷକରି ବୃଦ୍ଧ କିମ୍ବା ଛୋଟ ପିଲାଙ୍କୁ ଦେଖିଲେ ଛାଡ଼ୁନାହିଁ। ବଡ଼ ଲୋକେ ବି ବାଦ୍‌ ପଡ଼ୁନାହାନ୍ତି। ଏମିତି ଏକ ପାଗଲା ମାଙ୍କଡ଼(ଗେଧ)୍‌କୁ ନେଇ ଚନ୍ଦକା ଥାନା ଜାମୁଝରୀ ଗାଁରେ ଖେଳି ଯାଇଛି ଆତଙ୍କ। ଲୋକଙ୍କ ଅସନ୍ତୋଷ ବଢ଼ିବା ଦେଖି ବନ ବିଭାଗ ଏକ ଯନ୍ତା ବସାଇଛି ଗାଁରେ। ସେଥିରେ ଆପେ ଆପେ ଧରା ପଡ଼ୁ ନଚେତ୍‌ ତାକୁ ଯନ୍ତାରେ କଳେବଳେ କୌଶଳେ ଧରିବାକୁ ଯୋଜନା କରିଛି ବନ ବିଭାଗ।

ଆଜି ଅପରାହ୍ଣ ପ୍ରାୟ ସାଢ଼େ ୧୨ଟା ବେଳେ ଗାଁ ଦାଣ୍ଡରେ ବସିଥିବାବେଳେ ଅଲେଖ ଦାସ(୭୫)ଙ୍କୁ ଅତର୍କିତଭାବେ ମାଙ୍କଡ଼ଟି ଆକ୍ରମଣ କଲା। ହାତ ଓ ବେକକୁ କାମୁଡ଼ି ରକ୍ତାକ୍ତ କରି ପକାଇଲା। ମାଙ୍କଡ଼ ଆକ୍ରମଣରେ ଅଲେଖ ତଳେ ପଡ଼ି ଗଡ଼ି ଯାଉଥିଲେ ବି ପାଗଳା ମାଙ୍କଡ଼ ତାଙ୍କୁ ଛାଡ଼ୁନଥିଲା। ତାଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀମାନେ ଠେଙ୍ଗାବାଡ଼ି ଧରି ଧାଇଁ ଆସିବାରୁ ମାଙ୍କଡ଼ ଡିଅାଁ ମାରି ପଳାଇଥିଲା। ତୁରନ୍ତ ଗ୍ରାମବାସୀମାନଙ୍କ ସହାୟତାରେ ଅଲେଖଙ୍କୁ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା। ଏହା ପୂର୍ବରୁ ଏହି ଗାଁର ଅଭିମନ୍ୟୁ ମହାକୁଡ଼ ତାଙ୍କ କୁନି ନାତୁଣୀକୁ ଧରି ବାରଣ୍ଡାରେ ବସିଥିବାବେଳେ ମାଙ୍କଡ଼ଟି ଦୁହିଁଙ୍କୁ କାମୁଡ଼ି ଗୁରୁତର କରିଥିଲା। ସେହିଭଳି ଗୁଣନିଧି ପ୍ରଧାନ, ବିଭୁ ରଂଜନ ବେହେରା, ରାକେଶ ନାଏକ ଓ ତାଙ୍କ ସ୍ତ୍ରୀ ରଶ୍ମିତା ମଧ୍ୟ ଏହି ମାଙ୍କଡ଼ ଆକ୍ରମଣର ଶିକାର ହୋଇଥିଲେ। ଆଜି ଅଲେଖଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାରୁ ମାଙ୍କଡ଼ର ପାଗଳାମୀ ବଢ଼ୁଥିବା ଜଣାପଡ଼ୁଛି। ତେଣୁ ଗ୍ରାମବାସୀମାନେ ହଳଦିଆ ରେଂଜ୍‌ ଅଫିସରେ ଅଭିଯୋଗ କରିଛନ୍ତି। ତେଣୁ ବନବିଭାଗ ଆସନ୍ତାକାଲିଠାରୁ ମାଙ୍କଡ଼କୁ ଧରିବା ପାଇଁ ଅପରେସନ୍‌ ଆରମ୍ଭ କରିବ।

ସମ୍ବନ୍ଧିତ ଖବର