ରାଜଧାନୀରେ ସୁସ୍ଥ ହେଲେଣି ସାଢ଼େ ୩ ହଜାର

ଘରେ ରହି ସୁସ୍ଥ ହେଲେଣି ୬୦୮ଜଣ

ଦିନକରେ ୧୯୮ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୫ ହଜାର ନିକଟତର
୪ ପୁଲିସ କର୍ମଚାରୀ ସଂକ୍ରମିତ

ଭୁବନେଶ୍ୱର : ରାଜଧାନୀରେ ଏ ପର୍ଯ୍ୟନ୍ତ ୩୫୬୭ କରୋନା ରୋଗୀ ସୁସ୍ଥ ହୋଇ ସାରିଲେଣି। ରାଜଧାନୀରେ କରୋନା ରୋଗୀଙ୍କ ସୁସ୍ଥ ହାର ୬୪ ପ୍ରତିଶତ ରହିଛି। ଖୋର୍ଧା ଜିଲ୍ଲାରେ ଏହା ୫୫ ପ୍ରତିଶତ ରହିଛି। ତେବେ ଦିନକୁ ଦିନ ରାଜଧାନୀରେ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବାରୁ ଏହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଗତ ୨୪ଘଣ୍ଟାରେ ରାଜଧାନୀରେ ୧୯୮ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ସଙ୍ଗରୋଧରୁ ୧୦୪ଜଣ ରହିଛନ୍ତି। ମାତ୍ର ୫ଜଣଙ୍କ ରାଜ୍ୟ ବାହାରକୁ ଯାତ୍ରା ଇତିହାସ ରହିଛି। ସଙ୍ଗରୋଧରୁ ଚିହ୍ନଟ ରୋଗୀଙ୍କ ମଧ୍ୟରେ ବସ୍ତି ଅଞ୍ଚଳ ବାଦ୍ କଲୋନିରୁ ମଧ୍ୟ ଆକ୍ରାନ୍ତ ରହିଛନ୍ତି। ୪ଜଣ ପୁଲିସ କର୍ମଚାରୀଙ୍କ ସହିତ ଗଣମାଧ୍ୟମ ସଂସ୍ଥାରୁ ଜଣେ ଓ ଘରୋଇ ହସ୍ପିଟାଲରୁ ଏକାଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଭୁବନେଶ୍ବରର ବସ୍ତି ଅଞ୍ଚଳ ଓ ଘ‌ରୋଇ ହସ୍ପିଟାଲ କରୋନା ସଂକ୍ରମଣର ଏକ ପ୍ରମୁଖ ସ୍ଥାନ ପାଲଟିଛି। ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଉଥିବା କିମ୍ବା ନିଜର ସଂପର୍କୀୟଙ୍କୁ ଭେଟିବାକୁ ଯାଉଥିବା ଲୋକ ମଧ୍ୟ ଆକ୍ରାନ୍ତ ହେଉଥିବା ନଜରକୁ ଆସୁଛି। ସଂକ୍ରମଣ ରୋକିବା ଲାଗି ହସ୍ପିଟାଲଗୁଡ଼ିକୁ ପଦକ୍ଷେପ ନିଆଯିବା ଲାଗି କୁହାଯାଉଥିବା ସତ୍ବେ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଅପରପକ୍ଷରେ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ୯୪ଜଣ ରହିଛନ୍ତି। ଗତ ସପ୍ତାହରେ ୬୦୪ଜଣ ସ୍ଥାନୀୟ ସଂକ୍ରମିତଙ୍କୁ ଚିହ୍ନଟ କରଯାଇଛି। ପ୍ରତ୍ୟେକ ଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୮୭ରେ ପହଞ୍ଚିଛି। ‌ତେବେ ୧୮୮୭ ଜଣ ରୋଗୀ ଏବେ ବି ଚିକିତ୍ସିତ ହେଉଛନ୍ତି। ରାଜଧାନୀରେ ଏ ପର୍ଯ୍ୟନ୍ତ ୨୭ଜଣ ରୋଗୀଙ୍କ କରୋନାରେ ମୃତ୍ୟୁ ହୋଇସାରିଛି।

ଘରେ ରହି ସୁସ୍ଥ ହେଲେଣି ୬୦୮ଜଣ
ଭୁବନେଶ୍ବର : ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ୧୦୩୫ଜଣ କରୋନା ଆକ୍ରାନ୍ତ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହୋଇଛନ୍ତି। ଏଥିରୁ ୬୦୮ଜଣ ସୁସ୍ଥ ହୋଇ ସାରିଥିବାବେଳେ ୪୨୭ଜଣ ଚିକିତ୍ସାଧୀନ ଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ଯେଉଁମାନଙ୍କର କୌଣସି କରୋନା ଲକ୍ଷଣ ନଥିଲା କିମ୍ବା କମ୍‌ ଲକ୍ଷଣ ଥିଲା ସେମାନଙ୍କୁ ଘରେ ସଙ୍ଗରୋଧ ରହିବାକୁ ଅନୁମତି ମିଳିଥିଲା। ଯେଉଁମାନେ ଘରେ ସଙ୍ଗରୋଧ ରହି ଚିକିତ୍ସିତ ହେବାକୁ ଚାହିଁଛନ୍ତି ସେମାନଙ୍କୁ ପଜିଟିଭ୍ ରିପୋର୍ଟ ଆସିବା ପରେ ଅତି କମ୍‌ରେ ୧୦ଦିନ ସଙ୍ଗରୋଧ ରହିବାକୁ କୁହାଯାଇଛି। ଯେଉଁମାନଙ୍କର କିଡନି, ଲିଭର, ଫୁସ୍‌ଫୁସ୍‌ ଜନିତ ରୋଗ ବା ଅନ୍ୟ କୌଣସି ଶ୍ବାସକ୍ରିୟା ଜନିତ ରୋଗ, ଡାଏବେଟିସ୍‌, ହୃଦରୋଗ, ବୟସ୍କ ଲୋକଙ୍କୁ ହୋମ୍‌ ଆଇସୋଲେସନରେ ରଖାଯାଇପାରିବନି। ହୋମ୍‌ ଆଇସୋଲେସନରେ ରହୁଥିବା ଲୋକଙ୍କର କୌଣସି ପ୍ରକାରର ଅସୁବିଧା ହେଲେ ସେ ୧୯୨୯ ନମ୍ବରରେ ଫୋନ୍‌ କରିବେ। ଏହାପରେ ତାଙ୍କୁ ତୁରନ୍ତ ଏକ ଆମ୍ବୁଲାନ୍ସରେ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା କରାଯାଇଛି। କୋଭିଡ୍‌ କେୟାର ସୁବିଧା ଥିବା ଏକ ଆମ୍ବୁଲାନ୍ସ ଏଥିପାଇଁ ନିୟୋଜିତ ହୋଇଛି।

ସମ୍ବନ୍ଧିତ ଖବର