ରାଜଧାନୀର ଚର୍ଚ୍ଚିତ ମୃତ୍ୟୁ ମାମଲା : ରହସ୍ୟରେ ରହିଗଲା

ଆଲବମ୍ ଅଭିନେତା ପପୁ ମୃତ୍ୟୁ ମାମଲା, ପାଲ୍ ହାଇଟ୍ସ ମାଲିକଙ୍କ ପୁଅ ସମେତ ୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର (ଶୁଭକାନ୍ତ ପଢ଼ିହାରୀ):  ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ପରଦା ଉଠି ପାରିନାହିଁ। ଦିନ ଯେତିକି ଗଡ଼ୁଛି ମାମଲା ସେତିକି ରହସ୍ୟ ଭିତରକୁ ଠେଲି ହୋଇଯାଉଛି। ବୁଢ଼ିଆଣୀ ଜାଲ ଭଳି ମାମଲାର ଏବେ ଅଡୁଆ ସୂତା ଭଳି ଛନ୍ଦି ହୋଇଯାଇଛି। ଜିଆରପି ପରେ କ୍ରାଇମବାଞ୍ଚ ଏବେ ଏହାର ତଦନ୍ତ କରୁଛି। କେବଳ ଆଦିତ୍ୟ ମୃତ୍ୟୁ ମାମଲା ନୁହେଁ ରାଜଧାନୀରେ ଏଭଳି ଏକାଧିକ ମାମଲା ଏବେ ବି ରହସ୍ୟ ହୋଇ ରହିଯାଇଛି। କଳ୍ପନା ଫ୍ଲାଟ୍ ଡବଲ୍ ମର୍ଡର, ଆଲବମ୍ ଅଭିନେତା ପପୁ ମୃତ୍ୟୁ ମାମଲା, ଇଞ୍ଜିନିୟରିଂ ଛାତ୍ର ଋଷି ମୃତ୍ୟୁ ଭଳି କିଛି ମାମଲାର ଫାଇଲ ପୁଲିସ ବନ୍ଦ କରିଦେଇଥିବା ବେଳେ ଆଉ କିଛି ମାମଲାର ଫାଇଲ୍‌ରେ ଏବେ ଧୂଳି ଚଢ଼ିଗଲାଣି। ଏସବୁ ଘଟଣା ମଧ୍ୟ ଜନମାନସରୁ ଉଭେଇ ଗଲାଣି। ମାତ୍ର ମାମଲା ସେମିତି ଅସମାହିତ ହୋଇ ରହିଗଲା। ମୃତ୍ୟୁ ଘଟଣା ଉପରୁ ପରଦା ହଟାଇ ପାରିଲା ନାହିଁ ପୁଲିସ। ରହସ୍ୟାବୃତ୍ତ ହୋଇ ରହିଥିବା ଏକାଧିକ ମୃତ୍ୟୁ ସସପେନ୍ସକୁ ନେଇ ଆମର ସ୍ବତନ୍ତ୍ର ରିପୋର୍ଟ।

ଆଲବମ୍ ଅଭିନେତା ପପୁ ମୃତ୍ୟୁ ମାମଲା
ଖୁବ୍ କମ ଦିନରେ ଓଡ଼ିଆ ଆଲବମ୍ ଜଗତରେ ଲୋକପ୍ରିୟ ପାଲଟି ଯାଇଥିଲେ ଅଭିନେତା ପପୁ ଓରଫ୍ ଶୁଭକାନ୍ତ ସାହୁ। ୨୦୦୮ ମାର୍ଚ ୨୨ ତାରିଖରେ ମାଉସୀ ମା’ ଛକ ନିକଟରେ ଘର ଭିତରୁ ପପୁଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଥିଲା। ପପୁଙ୍କୁ ହତ୍ୟା କରା ଯାଇଥିବା ନେଇ ତାଙ୍କ ଭାଇ ଅଭିଯୋଗ ଆଣଥିଲେ। ପ୍ରଥମେ ଲିଙ୍ଗରାଜ ଥାନା ପୁଲିସ ଘଟଣାର ତଦନ୍ତ କରିଥିଲା। ପରେ କ୍ରାଇମବ୍ରାଞ୍ଚ ନେଇଥିଲା ତଦନ୍ତଭାର। ୧୨ ବର୍ଷ ଧରି କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପରେ ଫଳ ଶୂନ। ଶେଷରେ ବନ୍ଦ ହୋଇଗଲା ଫାଇଲ୍। ଅପରପକ୍ଷରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ମୁମ୍ବାଇ ପୁଲିସ ପରେ ଏବେ ସିବିଆଇ କରୁଥିବା ବେଳେ ପପୁ ମୃତ୍ୟୁ ମାମଲାରେ ପୁଲିସ କିଭଳି ମାମଲା ବନ୍ଦ କଲା ତାକୁ ନେଇ ପ୍ରଶ୍ନ ଉଠୁଛି।

କଳ୍ପନା ଫ୍ଲାଟ୍ ଡବଲ୍ ମର୍ଡର

୨୦୦୫ ଅଗଷ୍ଟ ୧୨। ରାଜଧାନୀରେ ଖେଳିଗଲା ଚାଞ୍ଚଲ୍ୟ। କଳ୍ପନା ଫ୍ଲାଟ୍ କ୍ବାର୍ଟର୍ସ ନଂ ଡି/୪ରୁ ମିଳିଲା ଦମ୍ପତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ। ହତ୍ୟାର ଶିକାର ହୋଇଥିଲେ ଉତ୍କଳ ସଂଗୀତ ମହାବିଦ୍ୟାଳୟ ସିତାର ବିଭାଗ ଅଧ୍ୟାପକ ବିଜୟ କୁମାର ତ୍ରିପାଠୀ ଓ ତାଙ୍କ ପତ୍ନୀ ଜୟଶ୍ରୀ। ଲକ୍ଷ୍ମୀସାଗର ଥାନା ପୁଲିସ ମାମଲାର ତଦନ୍ତ କରିବା ପରେ ଫୋନ୍ ଡିଟେଲ୍ସ ରେକର୍ଡକୁ ଆଧାର କରି ବିଜୟଙ୍କ ସାଙ୍ଗ ଲକ୍ଷ୍ମୀନାରାୟଣ ମହାନ୍ତିଙ୍କ ପାଖରେ ପହଞ୍ଚିଥିଲା। ଏହାର କିଛିଦିନ ପରେ ଲକ୍ଷ୍ମୀନାରାୟଣ ଆତ୍ମହତ୍ୟା କରିଥିଲେ। ପୁଲିସ ତଦନ୍ତ ସେଇଠି ଅଟକିଗଲା। ଲକ୍ଷ୍ମୀନାରାୟଣଙ୍କ ଉପରେ ସବୁ ସନ୍ଦେହ ଥିଲେ ମଧ୍ୟ ମାମଲାର ରହସ୍ୟ ଖୋଲି ପାରି ନ ଥିଲା ପୁଲିସ। ବନ୍ଦ ହୋଇଗଲା ତଦନ୍ତ ଫାଇଲ।


କୋରିଅର ମ୍ୟାନେଜର ଦେବାଶିଷ ହତ୍ୟା ମାମଲା
୨୦୧୧ ଜାନୁଆରୀ ୨୩। ରାଜଧାନୀ ଉପକଣ୍ଠ ଯାଁଳା ଜାତୀୟ ରାଜପଥ କଡ଼ରୁ କାର୍‌ ଭିତରୁ ଫାଷ୍ଟ ଫ୍ଲାଇଟ୍ କୋରିଅର ମ୍ୟାନେଜର ଦେବାଶିଷ ମହାନ୍ତିଙ୍କ ଗୁଳିବିଦ୍ଧ ଶବ ଜବତ କରିଥିଲା ପୁଲିସ। ତତ୍କାଳୀନ ଡିସିପି ହିମାଂଶୁ ଲାଲଙ୍କ ନେତୃତ୍ବରେ ତଦନ୍ତ ଆରମ୍ଭ କରିଥିଲା କମିସନରେଟ ପୁଲିସ। ପୁଲିସ ଫେଲ୍ ମାରିବା ପରେ ସେହିବର୍ଷ ଜୁନ୍ ୩ ତାରିଖରେ କ୍ରାଇମବ୍ରାଞ୍ଚ ତଦନ୍ତଭାର ନେଇଥିଲା। ହତ୍ୟାକାଣ୍ଡ ସମ୍ପର୍କରେ କିଛି ସୁରାକ୍ ତଦନ୍ତକାରୀ ଟିମ୍ ହାତରେ ଲାଗିଥିଲେ ମଧ୍ୟ ମାମଲା ଉପରୁ ପରଦା ଉଠାଇବାରେ ଫେଲ୍ ମାରିଛି କ୍ରାଇମବ୍ରାଞ୍ଚ।

ଇଞ୍ଜିନିୟରିଂ ଛାତ୍ର ଋଷି
ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ର ଋଷି ଓରଫ୍ ଆଶୁତୋଷ ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା। ୨୦୧୬ ମେ ୫ ତାରିଖରେ ଘଟିଥିବା ଏହି ମୃତ୍ୟୁ ମାମଲାରେ ତତ୍କାଳୀନ ମେୟର ଅନନ୍ତ ନାରାୟଣ ଜେନାଙ୍କ ନାଁ ଯୋଡ଼ି ହୋଇଥିଲା। ଡିସେମ୍ବରରେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିବା ପରେ ଏକ ଭିଡିଓକୁ ନେଇ ବିରୋଧୀ ତମ୍ବିତୋଫାନ କରିବା ସହ ଶ୍ରୀ ଜେନାଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଥିଲେ। ରାଜ୍ୟ ମାନବାଧିକାର କମିସନକୁ ମାମଲା ଯାଇଥିଲା। ଶ୍ରୀ ଜେନାଙ୍କୁ ଏହି ମାମଲାରେ ପୁଲିସ ଓ ମାନବାଧିକାର କମିସନ କ୍ଲିନଚିଟ୍ ଦେଇଥିଲେ। ଅତ୍ୟଧିକ ମଦ୍ୟପାନ ଓ ଡ୍ରଗ୍ସ ସେବନ ଯୋଗୁ ଋଷିଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଥିଲା। ଯାହାକୁ ଋଷିଙ୍କ କେତେକ ଘନିଷ୍ଠ ସହଯୋଗୀ ଗ୍ରହଣ କରିପାରି ନ ଥିଲେ।

ପାଲ୍ ହାଇଟ୍ସ ମାଲିକଙ୍କ ପୁଅ ସମେତ ୫ ଜଣଙ୍କ ମୃତ୍ୟୁ
୨୦୧୭ ଅଗଷ୍ଟ ୩ରେ ଜଣାଶୁଣା ବ୍ୟବସାୟୀ ତଥା ପାଲ୍ ହାଇଟ୍ସ ହୋଟେଲ ମାଲିକ ସତ୍‌ପାଲ ସିଂଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଲକ୍ଷ୍ମୀସାଗର ଛକ ନିକଟରେ ଥିବା ଘରେ ନିଆଁ ଲାଗି ସତ୍‌ପାଲଙ୍କ ସାନପୁଅ ଗଗନପାଲଙ୍କ ସମେତ ୫ ଜଣଙ୍କ ଜୀବନ ଦୀପ ଲିଭିଗଲା। ଗଗନପାଲଙ୍କ ପତ୍ନୀ ଭାବନା, ଝିଅ ସୁହାଭି, ପୁଅ ରୁଭିର ଓ ଘରୋଇ ସହାୟିକା ତନୁ ଦାସଙ୍କର ମୃତ୍ୟୁ ହୋଇଥିଲା। ନିଆଁ କିଭଳି ଏହି ଗୋଟିଏ ଘରେ ଲାଗିଲା, ସର୍ଟ ସର୍କିଟକୁ ରୋକିବା ଲାଗି ସବୁ ବ୍ୟବସ୍ଥା ଥାଇ ମଧ୍ୟ କିପରି ନିଆଁ ଲାଗିଲା ତାକୁ ନେଇ ପ୍ରଶ୍ନ ଉଠିଥିଲା। ସମ୍ପତ୍ତି ହେଉ କିମ୍ବା ବ୍ୟବସାୟିକ ଶତ୍ରୁତାକୁ ନେଇ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିଲା କି? ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସିଥିଲା। ଦୀର୍ଘଦିନ ଧରି ତଦନ୍ତ ଚାଲିଲା, କିନ୍ତୁ ମୃତ୍ୟୁ ଉପରୁ ଆଜି ପର୍ଯ୍ୟନ୍ତ ରହସ୍ୟ ଉଠିପାରି ନାହିଁ।

କୁଆଖାଇ ନଦୀପଠାରେ ଉନ୍ମୟ ପାଢ଼ୀଙ୍କ ଦରପୋଡ଼ା ଶବ
କୁଆଖାଇ ନଦୀପଠାରେ ଘଟିଥିବା ଅନେକ ହତ୍ୟାକାଣ୍ଡ ଓ ସନ୍ଦେହଜନକ ମୃତ୍ୟୁ ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି। ତା’ ଭିତରୁ ଉନ୍ମୟ ପାଢ଼ୀ ମୃତ୍ୟୁ ଘଟଣା ଗୋଟିଏ। ୨୦୧୮ ମାର୍ଚ ୨୧ ତାରିଖରେ କୁଆଖାଇ ନଦୀ ପଠାରୁ ଉନ୍ମୟଙ୍କ ଦରପୋଡ଼ା ଶବ ମିଳିବା ପରେ ରାଜଧାନୀରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ପେଟରେ ଛୁରି ଭୁସା ହୋଇଥିବା ବେଳେ ମୁଣ୍ଡରେ ଆଘାତ ଲାଗିଥିବା ଜଣା ପଡ଼ିଥିଲା। ଏହା ପରେ ଉନ୍ମୟଙ୍କର ଏକାଧିକ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଭାଇରାଲ ମାମଲାକୁ ଆହୁରି ରହସ୍ୟାବୃତ୍ତ କରିଥିଲା। ଘଟଣା ପଛରେ ଭଦ୍ରକ ଚାନ୍ଦବାଲି ଅଞ୍ଚଳର ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ହାତ ଥିବା ସନ୍ଦେହରେ ଉଭୟଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରିବା ପରେ ଛାଡ଼ି ଦେଇଥିଲା। ଯୁବତୀ ଜଣକ ଉନ୍ମୟଙ୍କ ଅଫିସ କର୍ମଚାରୀ ଓ ଭିଡିଓ ଉନ୍ମୟ ନିଜେ ତିଆରି କରିଥିବା ପୁଲିସ ଜାଣିବାକୁ ପାଇଥିଲା। ଏହା ଏକ ଯୋଜନାବଦ୍ଧ ଆତ୍ମହତ୍ୟା ବୋଲି ପୁଲିସ ସାମ୍ବାଦିକ ସମ୍ମିଳନୀରେ କହିଥିଲା। ଜଣେ ବ୍ୟକ୍ତି କିପରି ନିଜକୁ ନିଜେ ଛୁରି ଭୁସିବା ପରେ ପୁଣି ନିଜ ଦେହରେ ନିଆଁ ଲଗାଇଥିଲେ ତାକୁ ନେଇ ଉଠିଥିଲା ପ୍ରଶ୍ନ। ପୁଲିସର ସୁଇସାଇଡ ଥିଓରିକୁ ପରିବାର ଓ ସାଧାରଣ ଲୋକ ସହଜରେ ଗ୍ରହଣ କରିପାରି ନ ଥିଲେ।

ଷ୍ଟେସନରୁ ଡାକ୍ତରଙ୍କ ମୃତଦେହ ମିଳିବା
୨୦୧୮ ଅଗଷ୍ଟ ୨୫ରେ ରାଜଧାନୀର ଜଣାଶୁଣା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରବୀନ୍ଦ୍ର ନାଥ ରଥଙ୍କ ମୃତଦେହ ଭୁବନେଶ୍ବର ଷ୍ଟେସନ ୧ ନମ୍ବର ପ୍ଲାଟଫର୍ମରୁ ମିଳିଥିଲା। ହଠାତ୍ କ୍ଲିନିକରୁ ଡାକ୍ତର ଶ୍ରୀ ରଥ ଆସିବା ଓ ଷ୍ଟେସନରୁ ତାଙ୍କ ମୃତଦେହ ମିଳିବା ପରେ ଜିଆରପି ଥାନାରେ ହତ୍ୟା ଅଭିଯୋଗ ଆଣିଥିଲେ ପରିବାର ଲୋକ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଶ୍ରୀ ରଥଙ୍କ ଛାତିରେ କ୍ଷତ ସହ ପଞ୍ଜରା ହାଡ଼ ଭାଙ୍ଗିଥିବା ଜଣା ପଡ଼ିଥିଲା। ଡାକ୍ତର ଶ୍ରୀ ରଥ ଜଣେ ବ୍ୟକ୍ତିଙ୍କ ବାଇକ୍‌ରେ ବସି ଆସୁଥିବା ଜଣା ପଡ଼ିଥିଲା। ହଠାତ୍ କେହି ଫୋନ୍ କରିବାରୁ ଡାକ୍ତର ଶ୍ରୀ ରଥ ଷ୍ଟେସନ ଆସିଥିବା ସନ୍ଦେହ ପ୍ରକାଶ ପାଇଥିଲା। ତେବେ ଏହା ଏକ ହୃତଘାତ ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରେ ଥିବା ପୁଲିସ କହିଥିଲା। ଡାକ୍ତର ଶ୍ରୀ ରଥ କାହିଁକି କ୍ଲିନିକ୍ ଛାଡ଼ି ଷ୍ଟେସନ ଆସିଥିଲେ ତାକୁ ନେଇ ଉଠିଥିଲା ପ୍ରଶ୍ନ। ଏହି ଘଟଣା ରାଜଧାନୀରେ ବେଶ୍ ଚର୍ଚା ସୃଷ୍ଟି କରିଥିବା ବେଳେ ମୃତ୍ୟୁ ଉପରୁ ରହସ୍ୟ ଉଠି ପାରି ନ ଥିଲା।

ସମ୍ବନ୍ଧିତ ଖବର