ଐତିହାସିକ  ନନ୍ଦକୁଣ୍ଡ ପୁଷ୍କରିଣୀ ପୁନରୁଦ୍ଧାର ପାଇଁ ବିଏମ୍‌ସିକୁ ଲୋକ ଅଦାଲତଙ୍କ ନିର୍ଦ୍ଦେଶ

ପୁରୁଣା ଭୁବନେଶ୍ୱର : ଗ୍ୟାରେଜ୍‌ ଛକ ନିକଟ ନନ୍ଦକିଶୋର ନଗରରେ ଥିବା ଐତିହାସିକ ନନ୍ଦକୁଣ୍ଡ ପୁଷ୍କରିଣୀ (କଣ୍ଡରା ପୋଖରୀ) ସଫେଇ କରିବ ବିଏମ୍‌ସି। ଆଜି ଲୋକ ଅଦାଲତ ଏନେଇ ବିଏମ୍‌ସିକୁ ନିର୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, ଏହି ପୁଷ୍କରିଣୀ ଜବରଦଖଲ ହେବାକୁ ଯାଉଥିବାରୁ ଏକାମ୍ର ଜନ ଜାଗରଣ ମଞ୍ଚ ତରଫରୁ ୨୦୧୮ ମେ’ ମାସରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା। ଏହାର ବିଚାର କରି ଭୁବନେଶ୍ୱର ମହାନଗର ନିଗମକୁ ପୁଷ୍କରିଣୀର ପୁନରୁଦ୍ଧାର ଓ ସଂରକ୍ଷଣ ନିମନ୍ତେ ଜରୁରୀକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାର ପୁନରୁଦ୍ଧାର ନହେବାରୁ ମଞ୍ଚର ସଭାପତି ଭୀଷ୍ମନାରାୟଣ ନାୟକଙ୍କ ନେତୃତ୍ବରେ ବହୁ ବ୍ୟକ୍ତି ବିଏମ୍‌ସି କମିସନରଙ୍କୁ ହାଇକୋର୍ଟଙ୍କ ରାୟ ସମ୍ପର୍କରେ ଜଣାଇଥିଲେ। ଏଥିସହ ମଞ୍ଚର ସଦସ୍ୟ ଲୋକ ଅଦାଲତରେ ମାମଲା ରୁଜୁ କରିଥିଲେ। ତେବେ ଲୋକ ଅଦାଲତ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ପୁଷ୍କରିଣୀକୁ ପୁନରୁଦ୍ଧାର କରିବାକୁ ଆଜି ବିଏମ୍‌ସିକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ଶୁଣାଣି ବେଳେ ବିଏମ୍‌ସି ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର ବିଏମ୍‌ସି ପକ୍ଷରୁ ହାଜର ହୋଇଥିଲେ। ବିଏମ୍‌ସି ସିଟି ଇଞ୍ଜିନିୟର ଶ୍ରୀ ମହାପାତ୍ର କହିଛନ୍ତି, ଆଜି ଲୋକ ଅଦାଲତ ଏହି ପୋଖରୀର ପୁନରୁଦ୍ଧାର ଓ ସଫେଇ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ।

ସମ୍ବନ୍ଧିତ ଖବର