ନନ୍ଦନକାନନ ଖବର‌ : ରୋମାଞ୍ଚିତ କରୁଛନ୍ତି କଳା ଶାଗୁଣା

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହିଛନ୍ତି ୩ଟି ବିଶାଳକାୟ ବିଲୁପ୍ତପ୍ରାୟ କଳା ଶାଗୁଣା। ଏମାନେ ଡେଣା ମେଲାଇ ବସିବାର ଦୃଶ୍ୟ ପର୍ଯ୍ୟଟକଙ୍କୁ ରୋମା‌ଞ୍ଚିତ କରିଥାଏ। ୧୯୯୯ ମହାବାତ୍ୟା ପରଠାରୁ ଓଡ଼ିଶାରେ ଶାଗୁଣା ବଂଶ ବିଲୋପ ହୋଇଯାଇଥିବାରୁ ଏମାନଙ୍କୁ ଦେଖି ପର୍ଯ୍ୟଟକମାନେ ବେଶି ଖୁସି ହୋଇଥାଆନ୍ତି। ଏହି ପ୍ରଜାତିର ଶାଗୁଣା ଓଡ଼ିଶା ମାଟିରେ ଦେଖିବାକୁ ମିଳନ୍ତି ନାହିଁ। ଏମାନେ ପାକିସ୍ତାନ ଓ ହିମାଳୟ ପାର୍ବତ୍ୟା‌ଞ୍ଚଳ ମଧ୍ୟ ଉପତ୍ୟକାରେ ଦେଖିବାକୁ ମିଳନ୍ତି। ଏହାଛଡ଼ା ୟୁରୋପର ସ୍ପେନ୍, ଗ୍ରୀସ୍‌, ବୁଲଗେରିଆ, ତୁର୍କୀ ତଥା ଫ୍ରାନସ୍‌ର କେତେକ ଅଞ୍ଚଳରେ ଦେଖିବାକୁ ମିଳନ୍ତି। ଗତ କିଛି ବର୍ଷ ହେବ ପୁରୀ, ପିପିଲି, ବ୍ରହ୍ମଗିରି, ବାଲେଶ୍ବର ଓ ବାରିପଦା ଅଞ୍ଚଳରୁ ଏହି ପ୍ରଜାତି ଶାଗୁଣା ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଛନ୍ତି। ଖାଦ୍ୟ ଅନ୍ବେଷଣ କିମ୍ବା ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଦିଗହରା ହୋଇ ଓଡ଼ିଶା ମାଟିକୁ ଆସିଥିବା ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।

ବର୍ତ୍ତମାନ ଥିବା ୩ଟି ଶାଗୁଣା ମଧ୍ୟରୁ ଗୋଟିକୁ ୨୦୦୮ ଡିସେମ୍ବର ୧୩ରେ ସୁନ୍ଦରଗଡ଼ ଜିଲ୍ଲା ବଣାଇରୁ, ଅନ୍ୟ ଗୋଟିକୁ ୨୦୧୪ ଡିସେମ୍ବର ୧୯ରେ ବାରିପଦା ଡିଭିଜନ୍‌ ଦେଉଳି ରେଞ୍ଜରୁ ଧରାଯାଇଥିଲା। ଆଉ ଗୋଟିଏ ଶାଗୁଣାକୁ ୨୦୧୩ ମାର୍ଚ୍ଚ ୧୪ରେ ଜମ୍ମୁରୁ ଅଣାଯାଇଥିଲା। ଏମାନେ ଏବେ ନନ୍ଦନକାନନର ୧୨ନମ୍ବର ‘କ’ ଖୁଆଡ଼ରେ ରହି ଦର୍ଶକଙ୍କ ମନୋରଂଜନ କରୁଛନ୍ତି। ଏମାନେ ଶବଭକ୍ଷୀ। ସମୟେ ସମୟେ ଛୋଟ ଜୀବଙ୍କୁ ମଧ୍ୟ ଆହାର କରନ୍ତି। ବିଶାଳକାୟ ବୃକ୍ଷ ଓ ଲଣ୍ତା ପର୍ବତର ପଥୁରିଆ ତୀକ୍ଷ ଉପରେ ବସା ବାନ୍ଧି ବର୍ଷକୁ ଥରେ ଗୋଟିଏ ଅଣ୍ଡାଦାନ କରନ୍ତି। ୫୦ରୁ ୫୫ ଦିନ ମଧ୍ୟରେ ଅଣ୍ତାରୁ ଛୁଆ ବାହରନ୍ତି।

ସମ୍ବନ୍ଧିତ ଖବର