ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି କରିବାକୁ ପଡ଼ିବ

ରମାଦେବୀରେ ବାୟୋ-ଟେକ୍ନୋଲୋଜି ଜାତୀୟ କର୍ମଶାଳା ଉଦ୍‌ଯାପିତ

ଭୁବନେଶ୍ୱର : ଦେଶର ଜନସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେହି ଅନୁଯାୟୀ ଖାଦ୍ୟଶସ୍ୟର ଚାହିଦା ବି ବଢ଼ୁଛି। କିନ୍ତୁ ଚାଷ ଜମି ସଂଖ୍ୟା ହ୍ରାସ ପାଉଛି। ଗତ ଦୁଇ ଦଶନ୍ଧି ହେଲା ଜମି ପରିମାଣ ହ୍ରାସ ପାଇଥିବାରୁ ଖାଦ୍ୟ ଚାହିଦା ମେଣ୍ଟାଇବା କଷ୍ଟକର ହୋଇପଡ଼ୁଛି। ତାହାକୁ ଦୃଷ୍ଟିରେ ରଖି ଜିନ୍‌ରେ ପରିବର୍ତନ କରି ଚାଷ କରିବାର ଆବଶ୍ୟକତା ରହିଛି। ଫଳରେ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ପାଇବ ବୋଲି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ବାୟୋ-ଟେକ୍ନୋଲୋଜି ବିଭାଗ ଓ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ମିଳିତ ସହାୟତାରେ ଚାଲିଥିବା ଦୁଇ ଦିନିଆ କର୍ମଶାଳାରେ ଯୋଗଦେଇ ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡ. ତ୍ରିଲୋଚନ ମହାପାତ୍ର କହିଛନ୍ତି।

ସଂଯୋଜିକା ଡ. ପୁଷ୍ପାଞ୍ଜଳି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାର ଉଦଯାପନୀ ଉତ୍ସବରେ କୁଳପତି ପ୍ରଫେସର ପଦ୍ମଜା ମିଶ୍ର, ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶିବପ୍ରସାଦ ଅଧିକାରୀ, ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ ନିର୍ଦ୍ଦେଶକ ପଦ୍ମଶ୍ରୀ ଡ. ଅଜୟ କୁମାର ପରିଡ଼ା ପ୍ରମୁଖ ଯୋଗଦେଇ କୃଷି ଜନିତ ବୈଷୟିକ ଉନ୍ନତି ବିଷୟରେ ଆଲୋଚନା କରିଥିଲେ। ଡ. ବିଦ୍ୟୁତପ୍ରଭା ଦାଶ, ଡ. ସୁଜାତା ମହାପାତ୍ର ପ୍ରମୁଖ ବିଭିନ୍ନ ବୈଷୟିକ ଅଧିବେଶନକୁ ପରିଚାଳନା କରିଥିଲେ। ପରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର