ସ୍ବାଭାବିକ ହେଉଛି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର; ଯେତିକି ଆସୁଛନ୍ତି, ଦୁଇଗୁଣା ଯାଉଛନ୍ତି

ସେପ୍ଟେମ୍ବରରେ ଏକ ଲକ୍ଷ ଟପି‌ଲେ ବିମାନ ଯାତ୍ରୀ, ମେ’ରେ ୯୭ ବିମାନ ଉଡ଼ିଥିଲା, ଅଗଷ୍ଟରେ ୮୩୭

ଭୁବନେଶ୍ବର, ୨୪।୯(ଇମିସ): କରୋନା ସଂକ୍ରମଣ କମିନି। ଦେଶ ଓ ରାଜ୍ୟରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତା’ପରେ ବି ଲୋକେ ନିଜ ନିଜ କର୍ମକ୍ଷେତ୍ରକୁ ଫେରିବାକୁ ଲାଗିଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ଓଡ଼ିଶାକୁ ଫେରିଥିବା ଅଧିକାଂଶ ପ୍ରବାସୀ ଟ୍ରେନ୍‌ ଯୋଗେ କର୍ମସ୍ଥଳୀକୁ ଫେରୁଛନ୍ତି। ଆଉ କିଛି କୋଭିଡ୍‌-୧୯ ସୁରକ୍ଷା ଓ ସମୟ ବଞ୍ଚାଇବା ଲାଗି ବିମାନ ଯାତ୍ରାକୁ ପ୍ରାଥମିକତା ଦେଉଛନ୍ତି। ଯେଉଁଥିପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ସେବା ଧୀରେ ଧୀରେ ସ୍ବାଭାବିକ ଆଡ଼କୁ ଗତି କରୁଛି। ଲକ୍‌ଡାଉନ୍‌ ଉପରେ ଦେଢ଼ ମାସ ଯାଏ ବିମାନ ସେବା ବନ୍ଦ ରହିଥିଲା। ମେ’ ମାସଠାରୁ ବିମାନ ସେବା ଆରମ୍ଭ ହେବା ପରେ ଯାତ୍ରୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଚଳିତ ମାସ ଆଜି ପର୍ଯ୍ୟନ୍ତ ରେକର୍ଡ ସଂଖ୍ୟକ ଲକ୍ଷାଧିକ ଯାତ୍ରୀ ଯାତ୍ରା କରିଛନ୍ତି। ବିମାନ ସଂଖ୍ୟା ବି ପ୍ରତି ମାସରେ ବଢ଼ୁଛି। ଯାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କୋଭିଡ୍‌-୧୯ ନିର୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା ସହ ବିମାନବନ୍ଦର କର୍ତୃପକ୍ଷ ନୂଆ ବ୍ୟବସ୍ଥା ଆପଣାଉଛନ୍ତି।

ବିମାନବନ୍ଦର କର୍ତୃପକ୍ଷଙ୍କଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ମେ’ ମାସରେ ୯୭ଟି ବିମାନ ଚଳାଚଳ କରିଥିଲା। ଅନ୍‌ଲକ୍‌-୧ ତଥା ଜୁନ୍‌ ମାସରେ ସ୍ଥିତି ସାମାନ୍ୟ ସ୍ବାଭାବିକ ହୋଇଥିଲା। କେବଳ ଜୁନ୍‌ ମାସରେ ୬୩୩ଟି ବିମାନ ଚଳାଚଳ କରିଥିବା ବେଳେ ଜୁଲାଇରେ ୬୬୫ ଓ ଅଗଷ୍ଟରେ ୮୩୭ଟି ବିମାନ ଚଳାଚଳ କରିଥିଲା। ସେପ୍ଟେମ୍ବରରେ ଏହି ସଂଖ୍ୟା ୯୦୦ ଟପିବ ବୋଲି କର୍ତୃପକ୍ଷ ଆଶାବ୍ୟକ୍ତ କରିଛନ୍ତି। ଯାତ୍ରୀଙ୍କ ସଂଖ୍ୟାକୁ ହିସାବ କଲେ ଏପ୍ରିଲ୍‌ ମାସରେ ମାତ୍ର ୧୨୮ ଜଣ ଯାତ୍ରୀ ବିମାନରେ ଯାତ୍ରା କରିଥିଲେ। ମେ’ ମାସରେ ଯାତ୍ରୀଙ୍କ ସଂଖ୍ୟା ୯୭୨୧ରେ ପହଞ୍ଚିଥିବା ବେଳେ ଜୁନ୍‌ରେ ୫୮ ହଜାର ୯୫୩, ଜୁଲାଇରେ ୬୫ ହଜାର ୧୩୭ ଓ ଅଗଷ୍ଟ ମାସରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇ ୯୫ ହଜାର ୫୬୭ରେ ପହଞ୍ଚିଥିଲା। ସେପ୍ଟେମ୍ବରର ପ୍ରଥମ ୧୯ ଦିନ ତଥା ଗତ ୧୯ ତାରିଖ ସୁଦ୍ଧା ୮୫ ହଜାର ୪୧୭ ଯାତ୍ରୀ ବିମାନରେ ଯାତ୍ରା କରିଥିଲେ। ୨୦ ତାରିଖ ଦିନ ୨୨ଟି ବିମାନ ଯିବା ଆସିବା କରିଥିଲା। ଏଥିରେ ୩୩୮୨ ଜଣ ଯାତ୍ରୀ ଉଡ଼‌ାଣ କରିଥିବା ବେଳେ ୨୧୬୦ ଜଣ ବିମାନବନ୍ଦରକୁ ଆସିଥିଲେ। ୨୧ ତାରିଖରେ ୨୬ଟି ଲେଖାଏଁ ବିମାନ ଉଡ଼ାଣ ଓ ଅବତରଣ କରିଥିଲେ।

୧୮୦୭ଜଣ ଯାତ୍ରୀ ଆସିଥିବା ବେଳେ ୪୦୩୮ଜଣ ବିମାନରେ ଯାତ୍ରା କରିଥିଲେ। ୨୨ ତାରିଖରେ ବିମାନବନ୍ଦରକୁ ୨୪ଟି ବିମାନ ଆସିଥିବା ବେଳେ ଏଠାରୁ ସମାନ ସଂଖ୍ୟକ ବିମାନ ଉଡ଼‌ାଣ ଭରିଥିଲା। ୧୫୧୧ ଜଣ ଯାତ୍ରୀ ଆସିଥିଲେ। ୩୪୦୬ ଜଣ ବିମାନରେ ଯାତ୍ରା କରିଥିଲେ। ୨୩ ତାରିଖରେ ବିମାନ ବନ୍ଦରକୁ ୨୭ଟି ବିମାନ ଆସିଥିବା ବେଳେ ସମାନ ସଂଖ୍ୟକ ବିମାନ ଉଡ଼ାଣ ଭରିଥିଲା। ୧୫୮୮ ଯାତ୍ରୀ ଆସିଥିବା ବେଳେ ୩୮୭୧ ଜଣ ଯାତ୍ରା କରିଥିଲେ। ଅର୍ଥାତ୍‌ ୨୩ ତାରିଖ ସୁଦ୍ଧା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରେ ୧ ଲକ୍ଷ ୭ ହଜାର ୧୮୦ ଯାତ୍ରୀ ଯିବା ଆସିବା କହିଛନ୍ତି।

ଅଧିକ ଡିସ୍‌ପ୍ଲେ’ ବୋର୍ଡ
ଯାତ୍ରୀଙ୍କ ସୁବିଧା ପାଇଁ ବିମାନବନ୍ଦରର ବିଭିନ୍ନ ସ୍ଥାନରେ ବିମାନ ଉଡ଼ାଣ ସମ୍ପର୍କିତ ବଡ଼ ଡିସ୍‌ପ୍ଲେ’ ବୋର୍ଡ ଲଗା ଯାଇଛି। ପୂର୍ବରୁ ଗୋଟିଏ ଦୁଇଟି ସ୍ଥାନରେ ବୋର୍ଡ ଲଗା ଯାଇଥିବାରୁ ସେଠାରେ ଯାତ୍ରୀଙ୍କ ଭିଡ଼ ହେଉଥିଲା। ତାହାକୁ ଦୂର କରିବା ସହ ସାମାଜିକ ଦୂରତା ରକ୍ଷା କରିବା ଲାଗି ଅଧିକ ଡିସ୍‌‌‌ପ୍ଲେ’ ବୋର୍ଡ ଲଗା ଯାଇଛି। ବିମାନବନ୍ଦରର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ସମ୍ମୁଖ ଭାଗରେ କାନୋପି ଲଗାଯିବା ସହ ସବୁଜ ବଗିଚା ସୃଷ୍ଟି କରାଯାଇଛି। କୋଭିଡ୍‌-୧୯ ସଂକ୍ରମଣ ରୋକିବା ଲାଗି ବିମାନବନ୍ଦରକୁ ନିୟମିତ ବିଶୋଧାନ କରାଯିବା ସହ ଶୌଚାଳୟଗୁଡ଼ିକୁ ନୂଆ ରୂପ ଦିଆଯାଇଛି।
ଖୋଲିଲାଣି ଦୋକାନ
ଟର୍ମିନାଲ ଭିତରେ ବନ୍ଦ ହୋଇ ରହିଥିବା ଦୋକାନଗୁଡ଼ିକୁ ଖୋଲିଛି। କୋଭିଡ୍‌-୧୯ ନିର୍ଦେଶାବଳୀ ପାଳନ କରି ପର୍ଯ୍ୟାୟକ୍ରମେ ଖୋଲିବାକୁ ଅନୁମତି ଦିଆଯାଇଛି। ଯାତ୍ରୀଙ୍କ ସୁବିଧା ଲାଗି ପ୍ରବେଶ ପଥ ଓ ଟର୍ମିନାଲ ଭିତରେ ‘ମେ ଆଇ ହେଲ୍‌ପ ୟୁ’(ମୁଁ ଆପଣଙ୍କର ସହାୟତା କରିପାରେ କି) ଡେକ୍ସ ଖୋଲିଛି। ଏଥିରେ କର୍ମଚାରୀ ଉପସ୍ଥିତ ରହି ଯାତ୍ରୀଙ୍କ ଟିକିନିଖି ଦ୍ବନ୍ଦ୍ବ ଦୂର କରୁଛନ୍ତି।

ସମ୍ବନ୍ଧିତ ଖବର