ଶୈଳପୁତ୍ରୀ ଉପାସନାରୁ ଆରମ୍ଭ ହେଲା ନବରାତ୍ରି ପୂଜା

ଅଷ୍ଟମୀ ଦିନ ପୋଡ଼ାମାଛ ବଳି

​ମା’ଙ୍କ ନଗର ପରିକ୍ରମା
ଆଜିଠୁ ଶ୍ରୀଲିଙ୍ଗରାଜ ମନ୍ଦିରରୁ ମା’ ଦୁର୍ଗାଙ୍କ ନଗର ପରିକ୍ରମା ବିଧି ଆରମ୍ଭ ହୋଇ ନବରାତ୍ରି ପୂଜା ଆରମ୍ଭ ହୋଇଛି। ନଗର ପରିକ୍ରମାରେ ଶ୍ରଦ୍ଧାଳୁମାନେ ଦେବୀଙ୍କ ଦର୍ଶନ ପାଇଛନ୍ତି। ସନ୍ଧ୍ୟାରେ ପାଲିଙ୍କିରେ ମା’ ବିରାଜମାନ କରି ସେବାୟତଙ୍କ ଗହଣରେ ବୈତାଳ ମନ୍ଦିରକୁ ଯାତ୍ରା କରିଥିଲେ। ସେଠାରେ ମା’ଙ୍କୁ ମୁଆଁ ଭୋଗ କରାଯାଇଥିଲା। ଆଳତି ଶେଷ ହେବା ପରେ ଆଜ୍ଞା ପ୍ରସାଦ ଓ ଚନ୍ଦନକୁ ପୂଜାପଣ୍ଡା ସେବାୟତ ମା’ଙ୍କ ମୁଣ୍ଡରେ ଲଗାଇବା ପରେ ଭେଟ ଆଳତି କରାଯାଇଥିଲା। ମା’ ଦକ୍ଷିଣୀ ଘରକୁ ଯିବା ପରେ ନୀତି ସମ୍ପନ୍ନ ହୋଇଥିଲା। ତ୍ରାସ, ଛତା, କାହାଳି ଓ ଘଣ୍ଟୁଆ ସେବାୟତମାନଙ୍କ ଗହଣରେ ସନ୍ଧ୍ୟା ପରିକ୍ରମା ଯାତ୍ରା ଆୟୋଜନ କରାଯାଇଛି। ସକାଳ ନୀତିରେ ମହାପ୍ରଭୁ ​ଶ୍ରୀଲିଙ୍ଗରାଜଙ୍କ ସକାଳ ଧୂପ ବେଳେ ମା’ ଦୁର୍ଗା ଆଡ଼ କାଠ ନିକଟକୁ ଆସି ଖଟୁଲି ଉପରେ ବସିବା ପରେ ଭୋଗଲାଗି କରାଯାଇଥିଲା।

ହୀରାପୁରସ୍ଥିତ ଚଉଷଠି ଯୋଗିନୀ ପୀଠରେ ଦ୍ବିତୀୟ ପର୍ଯ୍ୟାୟ ଷୋଳପୂଜା କରାଯାଇଛି। ଦ୍ବିତୀୟା ଓଷା ଦିନ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ଷୋଳପୂଜା‌ ଗତମାସରେ ୮ ଦିନ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ୮ ଦିନ ଅର୍ଥାତ୍ ଆଜିଠାରୁ ଷୋଳପୂଜା ଆରମ୍ଭ ହୋଇ ସପ୍ତମୀ ପର୍ଯ୍ୟନ୍ତ ଚାଲିବ ବୋଲି ମୁଖ୍ୟ ପୂଜକ ଭୀମସେନ ପାଢ଼ୀ କହିଛନ୍ତି। ଶ୍ରଦ୍ଧାଳୁଙ୍କ ପାଇଁ ହାକେରା ହାଣ୍ଡି ପ୍ରସାଦ ଟ୍ରଷ୍ଟ୍‌ର ପୂଜାରୀମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଥାଏ। ଏହି ହାକେରା ହାଣ୍ଡି ପ୍ରସାଦକୁ ସ୍ଥାନୀୟ ବାସିନ୍ଦା ଚାହିଁ ବସିଥାଆନ୍ତି। ସନ୍ଧ୍ୟାରେ ମାଟି ହାଣ୍ଡିରେ ଖେଚୁଡ଼ି, ଖିରି ଓ ପୁର ଏଣ୍ଡୁରି ପିଠା ନୈବେଦ୍ୟ ଭାବେ ଦେବୀଙ୍କୁ ଅର୍ପଣ କରାଯାଏ। ଏହାକୁ ପାଇବା ପାଇଁ ଶ୍ରଦ୍ଧାଳୁମାନେ ଉତ୍କଣ୍ଠାରେ ଚାହିଁ ବସିଥାନ୍ତି। ତେବେ ପ୍ରଥମ ପର୍ଯ୍ୟାୟ ଷୋଳପୂଜାରେ ହାକେରା ହାଣ୍ଡି ପ୍ରସାଦ ବଣ୍ଟନ ବେଳେ ପରିଚାଳକମାନେ ଶ୍ରଦ୍ଧାଳୁଙ୍କ ପ୍ରତି ପାତର ଅନ୍ତର କରିଥିଲେ। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ମାତ୍ର ଏହାକୁ ମନ୍ଦିର ପ୍ରଶାସନ ଖଣ୍ଡନ କରିବା ସହିତ ପୂର୍ବଭଳି ଏହି ପରମ୍ପରା ସଠିକ୍ ଭାବେ ଚାଲିଥିବା କହିଛନ୍ତି।

ଆଜି ପ୍ରତ୍ୟୁଷରେ ମା’ଙ୍କର ମାର୍ଜନା, ସୁଗନ୍ଧିତ ଜଳରେ ମହାସ୍ନାନ ଓ ନବ ପାଟବସ୍ତ୍ର ପରିଧାନ ନୀତି ସଂପନ୍ନ ହୋଇଥିଲା। ଏହାପରେ ଆଳତି ଓ ବାଳଭୋଗ ନୈବେଦ୍ୟ ହୋଇଥିଲା। ମଧ୍ୟାହ୍ନରେ ଶଙ୍ଖୁଡ଼ି ଧୂପ ହୋଇ ନବରାତ୍ରି ପୂଜା ଆରମ୍ଭ ହୋଇଛି। ଅଷ୍ଟମୀ ଦିନ ବିଳମ୍ବିତ ରାତିରେ ମା’ଙ୍କୁ ପୋଡ଼ାମାଛ ବଳି ପୀଠର ମୁଖ୍ୟ ପରମ୍ପରା ବୋଲି ବରିଷ୍ଠ ସେବାୟତ ରଘୁନାଥ ମହାପାତ୍ର କହିଛନ୍ତି। ଅଷ୍ଟମୀ ପର୍ଯ୍ୟନ୍ତ ପ୍ରତ୍ୟୁଷରେ ଓ ଅପରାହ୍‌ଣରେ ଦେବୀଙ୍କ ସ୍ନାନ ନୀତି ସଂପନ୍ନ ହେବ। ଦେବୀଙ୍କୁ ବିଭିନ୍ନ ପୁଷ୍ପରେ ସଜ୍ଜିତ କରାଯାଇ ମୁଖା, ଚକ୍ଷୁ, କିରୀଟ, ଚୁଡ଼ି, ମଥାମଣି, ଘାଗରା ଆଦି ସୁନା ଓ ରୁପା ଅଳଙ୍କାରରେ ଆଭୂଷଣ କରାଯାଇଛି।
ସେହିଭଳି ବାଲିଅନ୍ତା ପଞ୍ଚାୟତର ମା’ ଉତ୍ତରମୁଖୀ ପୀଠ, ବାଳକାଟି ସ୍ଥିତ ଦୁଲ୍ଲାଦେବୀ ମନ୍ଦିର, ଟଙ୍କପାଣି ଠାକୁରାଣୀ ଓ ସରକଣାସ୍ଥିତ ଭଗବତୀଙ୍କ ପୀଠରେ ଅନୁରୂପ ଭାବେ ଷୋଳପୂଜା ଚାଲିଛି। ମାତ୍ର ସରକାରଙ୍କ କରୋନା କଟକଣା ଯୋଗୁଁ ଭକ୍ତମାନଙ୍କୁ ମନ୍ଦିର ପ୍ରବେଶ ଅନୁମତି ମିଳିନାହିଁ। ଏ ଯାଏ ମନ୍ଦିର ଖୋଲିବାକୁ ନେଇ ସରକାରୀସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଭକ୍ତଙ୍କ ଦାନ ଦକ୍ଷିଣାରେ ଚଳୁଥିବା ସେବାୟତ, ପୁରୋହିତ, ପଣ୍ଡା ପରିବାର ହଇରାଣ ହେଉଛନ୍ତି। ତେଣୁ ସରକାର ଏନେଇ ଉଚିତ୍‌ ପଦକ୍ଷେପ ଗ୍ରହଣ କରିବାକୁ ସେବାୟତମାନେ ନିବେଦନ କରିଛନ୍ତି।

ଦହି ପଖାଳ, କାକରା ଭୋଗ
ଶ୍ରୀଲିଙ୍ଗରାଜ ମନ୍ଦିର ମଧ୍ୟରେ ମା’ ପାର୍ବତୀଙ୍କ ନବଦିନାତ୍ମକ ପୂଜା ଆରମ୍ଭ ହୋଇଛି। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସକାଳ ଧୂପ, ଦ୍ବିପହର ଧୂପ ଓ ସନ୍ଧ୍ୟା ଧୂପ ସରିବା ପରେ ମା’ ପାର୍ବତୀଙ୍କ ପାଖରେ ସକାଳ ଧୂପ, ଦ୍ବିପହର ଧୂପ ଓ ସନ୍ଧ୍ୟା ଧୂପ କରାଯାଇଛି। ଏହାପରେ ଶ୍ରୀଜିଉଙ୍କ ସମର୍ପଣ ଭୋଗକୁ ମା’ଙ୍କ ପାଖରେ ଅର୍ପଣ କରାଯାଇଥିଲା। ପ୍ରତ୍ୟହ ସକାଳ ଧୂପରେ ଫଳ ଭୋଗ କରାଯିବ, ଦ୍ବିପ୍ରହରରେ ଖେଚୁଡ଼ି, ଡାଲମା, ଦହି ପଖାଳ, କାକରା, ଖଟା, ଖିରି ଓ ସନ୍ଧ୍ୟାରେ ଛେନା, କଦଳୀ ଓ ମୁଆଁ ଭୋଗ ଲାଗି କରାଯାଇଛି।

ସମ୍ବନ୍ଧିତ ଖବର