୧୯ରୁ ପ୍ରବଳ ବର୍ଷା: ବର୍ଷା ଆଣିପାରେ ବିପର୍ଯ୍ୟୟ; ଗଞ୍ଜାମ, ଗଜପତିରେ ବନ୍ୟା ଓ ଅତଡ଼ା ଧସିବା ଆଶଙ୍କା

ତିତ୍‌ଲି ଭଳି ସ୍ଥିତି ଉପୁଜିପାରେ
ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି
କର୍ମଚାରୀଙ୍କୁ ହେଡ୍‌କ୍ବାର୍ଟର ଛାଡ଼ିବା ମନା

ଛତ୍ରପୁର : ଲଘୁଚାପ ପ୍ରଭାବରେ ୫ ଦିନ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମର ସମସ୍ତ ନଦୀ, ଡ୍ୟାମ୍‌ ଜଳସ୍ତର ଫୁଲି ରହିଛି। ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୧୯ ତାରିଖରୁ ୩ଦିନ ଧରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବଡ଼ ବର୍ଷା ସମ୍ଭାବନା ରହିଛି। ପ୍ରବଳ ବର୍ଷା ଯୋଗୁଁ ନିଶ୍ଚିତ ରୂପେ ବନ୍ୟା ଓ ପାହାଡ଼ ଅତଡ଼ା ଖସି ଅନେକ କ୍ଷୟକ୍ଷତି ଆଶଙ୍କା ରହିଛି। ତିତ୍‌ଲି ସମୟରେ ଯେଉଁ ପରିସ୍ଥିତି ଦେଖାଦେଇଥିଲା, ତାହାର ପୁନରାବୃତ୍ତି ହେବାର ଆଶଙ୍କା ଏଡ଼ାଇ ଦିଆଯାଇ ନ ପାରେ। ପବନର ଭୟ ନାହିଁ; କିନ୍ତୁ ବନ୍ୟା ଆଶଙ୍କା ରହିଛି। ତେଣୁ ସମ୍ଭାବ୍ୟ ସ୍ଥିତିର ମୁକାବିଲା ଲାଗି ଆଜିଠାରୁ ଅଣ୍ଟା ଭିଡ଼ିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଆଜି ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବର୍ଷା ଓ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ବିଭାଗକୁ ପ୍ରସ୍ତୁତ ହୋଇ ରହିବାକୁ କୁହାଯାଇଛି। ଚଳିତ ମାସ ଶେଷ ପର୍ଯ୍ୟନ୍ତ ଜିଲ୍ଲାର କୌଣସି ଅଧିକାରୀ ଓ କର୍ମଚାରୀ ହେଡକ୍ବାର୍ଟର ଛାଡ଼ିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏହି ସମ୍ଭାବ୍ୟ ବର୍ଷା ଓ ବନ୍ୟାରେ ‌ଯେଭଳି ସମସ୍ତେ ସୁରକ୍ଷିତ ରହିବେ ଏବଂ କେହି ମୃତାହତ ହେବେ ନାହିଁ(ଜିରୋ କାଜୁଏଲଟି) ସେ ଦିଗରେ ପ୍ରସ୍ତୁତ ରହିବାକୁ ସମସ୍ତ ବିଭାଗକୁ କୁହାଯାଇଛି।

ଖାଲୁଆ ଅଞ୍ଚଳରେ, କଚ୍ଚା ଘରେ, ବହୁ ପୁରାତନ କୋଠା ଘରେ ବିପଦ ସଙ୍କୁଳ ସ୍ଥିତିରେ ଥିବା ଘରେ ରହୁଥିବା ପରିବାରଙ୍କୁ ସ୍ଥାନାନ୍ତର କରି ଉଚ୍ଚ ସ୍ଥାନ, ବାତ୍ୟା ଆଶ୍ରୟ ସ୍ଥଳ, ସୁରକ୍ଷିତ ସ୍କୁଲ ଗୃହ ଇତ୍ୟାଦିରେ ରଖାଯିବାକୁ ଏବଂ ଆଜିଠାରୁ ମାଇକ୍‌ ଘୋଷଣା କରି ସଚେତନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଆଶ୍ରୟ ସ୍ଥଳରେ କୋଭିଡ୍ ନିୟମ ପାଳନ ପ୍ରତି ଗୁରୁତ୍ବ ଦେବାକୁ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। ରନ୍ଧା, ଶୁଖିଲା ଖାଦ୍ୟ, ପାନୀୟ ଜଳ ବ୍ୟବସ୍ଥା କରିବାକୁ କୁହାଯାଇଛି। ଯୋଗାଯୋଗ ବିଚ୍ଛିନ୍ନ ଆଶଙ୍କା ଥିବା ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଗର୍ଭବତୀଙ୍କୁ ଚିହ୍ନଟ କରି ଏହି ତିନିଦିନ ସକାଶେ ନିକଟସ୍ଥ ଚିକିତ୍ସାଳୟରେ ରଖାଯିବ। ଆବଶ୍ୟକ ପଡ଼ିଲେ ନୌସେନା ସହଯୋଗରେ ହେଲିକପଟର୍ ଦ୍ବାରା ଉଦ୍ଧାର କାର୍ଯ୍ୟ ନିମନ୍ତେ ଆଗୁଆ ପ୍ରସ୍ତୁତି ହୋଇଛି। ଉପଜିଲ୍ଲାପାଳମାନେ ସରପଞ୍ଚଙ୍କ ସହିତ ଆଲୋଚନା କରି ଗ୍ରାମାଞ୍ଚଳରେ ପୂର୍ବ ପ୍ରସ୍ତୁତି ନିଶ୍ଚିତ କରିବାକୁ କୁହାଯାଇଛି। ସ୍ବୟଂସିଦ୍ଧା, କୋଭିଡ୍ ମନିଟର୍, କୋଭିଡ୍‌ ସଖୀ, ଯୁବଗୋଷ୍ଠୀ, ସ୍ବେଚ୍ଛାସେବୀ ଏବଂ ଭଲ ପହଁରି ପାରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ପ୍ରସ୍ତୁତ ରଖିବାକୁ ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର