ପତ୍ନୀକୁ ଦେଖା କରିବାକୁ ଯାଇ ପତି ହଟହଟା, ଥାନାରେ ପଶିଲେ

ଭୁବନେଶ୍ବର: ପତ୍ନୀକୁ ଦେଖା କରିବାକୁ ଆସି ବେଶ ହଟହଟା ହେଲେ ପତି। ନୂଆପଲ୍ଲୀ ଥାନାରେ ଅଣ୍ଡରଟେକିଂ ଲେଖି ଥାନାରୁ ମୁକୁଳିଛନ୍ତି। ଆଉ କେବେ ବି ପତ୍ନୀଙ୍କ ଘର ପାଖକୁ ଆସିବି ନାହିଁ ବୋଲି କହିଛନ୍ତି। କିନ୍ତୁ ପତ୍ନୀକୁ ପାଇବା ପାଇଁ କୋର୍ଟ ଯିବେ ବୋଲି ପତି ରାକେଶ ବାରିକ କହିଛନ୍ତି। କୋର୍ଟରେ ବିବାହ ସତ୍ତ୍ବେ ପତ୍ନୀକୁ ତା’ର ବାପଘର ଲୋକ ଅନ୍ୟତ୍ର ବିବାହ କରାଉଥିବା ଜାଣି ମେହେନ୍ଦି ଦିନ ନୟାପଲ୍ଲୀସ୍ଥିତ ପତ୍ନୀ ଘରକୁ ଆସିଥିଲେ ପତି ରାକେଶ। ପରିସ୍ଥିତି ଏପରି ହେଲା ଯେ ପତ୍ନୀଙ୍କୁ ଅନ୍ୟତ୍ର ବିବାହ କରାଇବା ଉଦ୍ୟମ ଫସର୍‌ ଫାଟିଥିଲା ଓ ବିବାହ ଭାଙ୍ଗି ଯାଇଥିଲା।

ଆଜି ପୁଣି ଥରେ ରାକେଶ, ପତ୍ନୀକୁ ଦେଖା କରିବାକୁ ତାଙ୍କ ଘର ପାଖକୁ ଯାଇଥିଲେ। ରାକେଶ କହିଛନ୍ତି ଯେ ମୋ ପତ୍ନୀ ମତେ ବହୁତ ଭଲପାଏ। ସେ ନିଶ୍ଚିତ ମୋ ପାଖକୁ ଫେରି ଆସିବ। ଅନ୍ୟପଟେ ରାକେଶ ପତ୍ନୀଙ୍କ ଘର ପାଖକୁ ଆସିବା ଦେଖି ପତ୍ନୀଙ୍କ ବାପ ଘରର ଲୋକଙ୍କ ମଧ୍ୟରେ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ପରିବାର ଲୋକମାନେ ରାକେଶ ଆମ ଘରକୁ ଆସି ଧମକ ଦେଉଥିବା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଫଳରେ ନୂଆପଲ୍ଲୀ ପୁଲିସ ରାକେଶକୁ ଥାନାକୁ ଧରି ଆଣିଥିଲା। ତେବେ ଏହି ଘଟଣାରେ ଝିଅର ପରିବାର ଲୋକଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର