ଜୁଲାଇରେ ଉଦ୍‌ଘାଟନ ହେବ ନୂଆ ନ’ତାଲା, ୧୫ ବିଭାଗ କହୁଛନ୍ତି ଆମକୁ ଦିଅ

ଭୁବନେଶ୍ୱର: ନିର୍ମାଣ ସୌଧ ସମ୍ମୁଖରେ ନିର୍ମାଣ ହେଉଥିବା ନୂଆ ନ’ତାଲା ବିଲ୍‌ଡିଂକୁ ଆସିବା ପାଇଁ ଏବେ ବିଭିନ୍ନ ବିଭାଗ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ପୁରୁଣା ୯ତାଲାରେ ପ୍ରାୟ ୧୨ଟି ବିଭାଗର ବିଭାଗୀୟ ମୁଖ୍ୟ ଦପ୍ତର କାର୍ଯ୍ୟ କରୁଥିବାବେଳେ ସଚିବାଳୟ ଏବଂ ରାଜଧାନୀର ବିଭିନ୍ନ ସ୍ଥାନରେ ୨୭ଟି ବିଭାଗ କାର୍ଯ୍ୟ କରୁଛି। ଏଥିରୁ ପ୍ରାୟ ୧୫ଟି ବିଭାଗ ଏବେ ନୂଆ ନ’ତାଲାକୁ ଆସିବାକୁ ଅଣ୍ଟା ଭିଡ଼ିଲେଣି। ପୁରୁଣା ନ’ତାଲାରେ ଅଫିସ କାର୍ଯ୍ୟ କରିବା ସମ୍ଭବ ହେଉନି, ଯେଉଁଠି ଅଫିସ୍‌ ଅଛି ସେଠାରେ ଆବଶ୍ୟକୀୟ ଭିତ୍ତିଭୂମି ନାହିଁ କହି ବିଭିନ୍ନ ବିଭାଗ ନୂଆ ନ’ତାଲାକୁ ଆସିବାକୁ ଅଣ୍ଟା ଭିଡ଼ିଲେଣି। ଏନେଇ ସାଧାରଣ ପ୍ରଶାସନ ବିଭାଗକୁ ନିୟମିତ ବ୍ୟବଧାନରେ ବି ଚିଠି ଲେଖି ଅନୁରୋଧ ବି କରୁଛନ୍ତି। କିନ୍ତୁ ପୁରୁଣା ନ’ତାଲାରେ ଚାଲୁଥିବା ପ୍ରାୟ ୧୨ଟି ବିଭାଗର କୌଣସି ଦପ୍ତର ସ୍ଥାନାନ୍ତର ହେବନି ବୋଲି ଆପାତତଃ ନିଷ୍ପତ୍ତି ହୋଇସାରିଲାଣି।

ରାଜଧାନୀରେ ସରକାରୀ କାର୍ଯ୍ୟାଳୟ ପାଇଁ ଭିତ୍ତିଭୂମି ଅଭାବରୁ, ସଚିବାଳୟରେ ବିଭାଗ ସଂଖ୍ୟା ବଢ଼ିଯିବାରୁ, ପୁରୁଣା ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ରହିଥିଲେ ହେଁ ସ୍ଥାନ ଅଭାବରୁ ଏହାର ବିଭିନ୍ନ ଶାଖା କାର୍ଯ୍ୟାଳୟ ରାଜଧାନୀର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଛି। ଏହାକୁ ନଜରରେ ରଖି ୨୦୧୪ରେ ନୂଆ ନ’ତାଲାର ଯୋଜନା ପ୍ରସ୍ତୁତ ହୋଇଥିଲା। ଏଥିପାଇଁ ନିର୍ମାଣ ସୌଧ ସମ୍ମୁଖରେ ତିନି ଏକର ଜମିରେ ନୂଆ ନ’ତାଲା ନିର୍ମାଣ ହେବ ବୋଲି ସ୍ଥିର ହୋଇଥିଲା। ଏହାର ଟେଣ୍ଡର ପ୍ରକ୍ରିୟାକୁ ନେଇ ବହୁ ବାଦବିବାଦ ପରେ ଏଲ୍‌ଆଣ୍ଡ୍‌ଟି ୧୨୪କୋଟି ଟଙ୍କାରେ ଏହାକୁ ନିର୍ମାଣ କରିବ ବୋଲି ନିଷ୍ପତ୍ତି ହୋଇଥିଲା। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ୨୦୧୬ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ଏପ୍ରିଲ ୨୦୧୮ରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ନିଷ୍ପତ୍ତି ହୋଇଥିଲେ ହେଁ ଏହା ସରିପାରିନି। ନୂଆ ନ’ତାଲା ଉଦ୍‌ଘାଟନ ହେବା ପାଇଁ ଆଉ ଦୁଇ ମାସ ଲାଗିବ। ଜୁନ୍‌ ଶେଷ ସପ୍ତାହ କିମ୍ବା ଜୁଲାଇ ମାସରେ ନୂଆ ନ’ତାଲା ବିଲ୍‌ଡିଂ ଉଦ୍‌ଘାଟନ ହେବ ବୋଲି ପୂର୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନୂଆ ନ’ତାଲାକୁ ଅଫିସ ସ୍ଥାନାନ୍ତର ପାଇଁ ପ୍ରାୟ ୧୫ଟି ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଅନୁରୋଧ କରାଯାଇଛି। ଦିନକୁ ଦିନ ଆବେଦନ ସଂଖ୍ୟା ବଢ଼ୁଥିବାରୁ କେଉଁ ବିଭାଗ ସ୍ଥାନାନ୍ତର ହେବ ସେନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଆପାତତଃ ନିଷ୍ପତ୍ତି ନିଆଯାଇଛି। ଏଥିରେ ପୁରୁଣା ନ’ତାଲାରେ ଥିବା କୌଣସି କାର୍ଯ୍ୟାଳୟ କି ରାଜଧାନୀ ଭିତରେ ସରକାରୀ ଭିତ୍ତିଭୂମିରେ ସମସ୍ତ ଶାଖା କାର୍ଯ୍ୟାଳୟକୁ ନେଇ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଉଥିବା ଅଫିସ ନୂଆ ନ’ତାଲାକୁ ସ୍ଥାନାନ୍ତର ହେବନି ବୋଲି ନିଷ୍ପତ୍ତି ହୋଇଛି। ବରଂ ସଚିବାଳୟ ଭିତରେ ଯେଉଁ ବିଭାଗଗୁଡ଼ିକ ଭିତ୍ତିଭୂମି ଅଭାବରୁ ଠିକ୍‌ ଭାବେ କାର୍ଯ୍ୟ କରିପାରୁନି, ବିଭିନ୍ନ ବିଲ୍‌ଡିଂରେ ବିକ୍ଷିପ୍ତ ହୋଇ କାର୍ଯ୍ୟ କରୁଛି, ବିଭାଗୀୟ ଅଧିକାରୀ କାର୍ଯ୍ୟ କରିବାକୁ ଆବଶ୍ୟକୀୟ ସ୍ଥାନ ପାଉନାହାନ୍ତି ସେଗୁଡ଼ିକୁ ନୂଆ ନ’ତାଲାକୁ ସ୍ଥାନାନ୍ତର କରାଯିବ।

ସଚିବାଳୟରୁ ୭ ବିଭାଗ ଆସିବ!
ଏହା ଦ୍ୱିତୀୟ ସଚିବାଳୟ ଭଳି କାର୍ଯ୍ୟ କରିବ
ନ’ତାଲାରୁ କୌଣସି କାର୍ଯ୍ୟାଳୟ ସ୍ଥାନାନ୍ତର ହେବନି
ଦ୍ୱିତୀୟ ପର୍ଯ୍ୟାୟରେ ଆଉ ଦୁଇଟି ନ’ତାଲା ନିର୍ମାଣ ହେବ

ଯେଉଁ ବିଭାଗ ସ୍ଥାନାନ୍ତର ହେବ ସେହି ବିଭାଗର ସଚିବଙ୍କଠାରୁ ଆରମ୍ଭ କରି ସମସ୍ତ ଶାଖା କାର୍ଯ୍ୟାଳୟ, ସମସ୍ତ କର୍ମଚାରୀ ଏଠାରେ କାର୍ଯ୍ୟ କରିବେ। ଯଦି ବଡ଼ ବିଭାଗ ସ୍ଥାନାନ୍ତର ହୁଏ ତେବେ ୭ଟି ବିଭାଗ ସଚିବାଳୟରୁ ସଂପୂର୍ଣ୍ଣ ସ୍ଥାନାନ୍ତର ହେବ। ଯଦି ଛୋଟ ବିଭାଗଗୁଡ଼ିକୁ ସ୍ଥାନାନ୍ତର କରାଯାଏ ତେବେ ୧୪ଟି ବିଭାଗ ସ୍ଥାନାନ୍ତର ହେବ ବୋଲି ଜଣାପଡ଼ିଛି। ଅତି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେତେକ ସଚିବ ତାଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ହେଉଥିବା ଜାଣିବା ପରେ ସଚିବାଳୟରେ ହିଁ ରହିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଲବି କରିବା ଆରମ୍ଭ କରିଦେଇଛନ୍ତି। ଆଉ କେତେକ ବିଭାଗ ସଚିବାଳୟ ବାହାରକୁ ଯିବାକୁ ଚାହୁଁଥିଲେ ହେଁ ସେମାନଙ୍କୁ ସୁଯୋଗ ମିଳି ନଥିବାରୁ କୌଣସି ମତେ ସ୍ଥାନାନ୍ତର କରିବାକୁ ଲବି କରିବା ଆରମ୍ଭ କରିଛନ୍ତି। ତେଣୁ ଚୂଡ଼ାନ୍ତ ବୈଠକ ପରେ ବି କେଉଁ ୭ଟି ବା ୧୪ଟି ବିଭାଗ ସ୍ଥାନାନ୍ତର ହେବ ତାହା ଉପରେ ଚୂଡ଼ାନ୍ତ ମୋହର ବାଜିପାରିନି। ସେହିପରି ବର୍ତମାନ ସୁଦ୍ଧା ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ସାଧାରଣ ପ୍ରଶାସନ ବିଭାଗର ଶାଖା ବିଭାଗ ଭାବେ କାର୍ଯ୍ୟ କରୁଥିବା ବେସାମରିକ ବିମାନ ବିଭାଗ ସଂପୂର୍ଣ୍ଣ ଭାବେ ସ୍ଥାନାନ୍ତର ହୋଇପାରେ। ଏହାବାଦ୍‌ ସଂସ୍କୃତି ବିଭାଗ କିମ୍ବା ନଗର ଉନ୍ନୟନ ବିଭାଗ ସ୍ଥାନାନ୍ତର ହେବ। କେଉଁ କେଉଁ ବିଭାଗ ନୂଆ ନ’ତାଲାକୁ ସ୍ଥାନାନ୍ତର ହେବେ ସେନେଇ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ଯେ, ପ୍ରାୟ ତିନି ଏକର ଜମିରେ ଏହି ବିଲ୍‌ଡିଂ ନିର୍ମାଣ ହୋଇଥିବାବେଳେ ଦୁଇ ମାସ ମଧ୍ୟରେ ନିର୍ମାଣ ସରିବ। ବର୍ତମାନ ଇଣ୍ଟେରିୟର୍‌ ଡିଜାଇନ୍‌ ଏବଂ ଚୂଡ଼ାନ୍ତ ରୂପ ଦେବା କାର୍ଯ୍ୟ ହେଉଛି। ଏଠାରେ ବେସ୍‌ମେଣ୍ଟ, ଗ୍ରାଉଣ୍ଡ ଫ୍ଲୋର୍‌ ଓ ୮ ମହଲା ବିଲ୍‌ଡିଂ ନିର୍ମାଣ ହୋଇଛି। ବେସ୍‌ମେଣ୍ଟ ଓ ଗ୍ରାଉଣ୍ଡ ଫ୍ଲୋର୍‌ ପାର୍କିଂ ପାଇଁ ରହିଛି। ବାକି ୮ଟି ମହଲାରେ ବିଭିନ୍ନ ସରକାରୀ କାର୍ଯ୍ୟ ହେବ। ପ୍ରତି ଫ୍ଲୋର୍‌ରେ ୩୩୦୦ ବର୍ଗଫୁଟ ଅଞ୍ଚଳ ରହିଛି। ଏହିପରି ମୋଟ୍‌ ୩୦ ହଜାର ବର୍ଗଫୁଟ୍‌ରେ ଏହି ନୂଆ ବିଲ୍‌ଡିଂ ନିର୍ମାଣ ହୋଇଛି। ପ୍ରତି ଫ୍ଲୋର୍‌ରେ ବଡ଼ ଓ ଛୋଟ୍‌ ହଲ୍‌ ରହିଛି। ପୁରୁଣା ନ’ତାଲା ଭଳି ଏହାର ଡିଜାଇନ୍‌ ପ୍ରାୟ ସମାନ ରହିଛି। ପ୍ରତି ଫ୍ଲୋର୍‌ରେ ସମ୍ମିଳନୀ କକ୍ଷ ରହିଛି। ସେହିଭଳି ପାର୍କିଂ ପାଇଁ ସଂରକ୍ଷିତ ସ୍ଥାନରେ ୩୦୦ କାର୍‌ ଏବଂ ପ୍ରାୟ ୧ହଜାର ବାଇକ୍‌ ପାର୍କିଂ ହୋଇପାରିବ। ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା, ଭୂମିକମ୍ପ ପ୍ରତିରୋଧକ ବ୍ୟବସ୍ଥା, ଭବିଷ୍ୟତରେ ସୌର ଶକ୍ତି ବ୍ୟବହାର ବ୍ୟବସ୍ଥା ହୋଇପାରିବ ଭଳି ଯୋଜନା ହୋଇଛି। ସେହିପରି ଏହି ବଲ୍‌ଡିଂ ନିର୍ମାଣ ସରିଲେ ଏହା ନିକଟରେ ଆଉ ଦୁଇଟି ନ’ତାଲା ବିଲ୍‌ଡିଂ ନିର୍ମାଣ ହେବ। ତିନିଟି ଯାକ ନ’ତାଲା ବିଲଡିଂକୁ ନେଇ ଏକ କମ୍ପ୍ଲେକ୍ସ ହେବ। ମୋଟ୍‌ ୮.୩ ଏକର ଜମିେରେ ଏହାର ନିର୍ମାଣ କାର୍ଯ୍ୟ ହେବ। ମୋଟ୍‌ ୧ଲକ୍ଷ ବର୍ଗଫୁଟ ଅଞ୍ଚଳରେ ତିନିଟି ଯାକ ନ’ତାଲା ନିର୍ମାଣ ହେବ। ତିନିଟି ଯାକ ବିଲ୍‌ଡିଂ ନିର୍ମାଣ ଶେଷ ହେବା ପରେ ରାଜଧାନୀର ସମସ୍ତ ସରକାରୀ କାର୍ଯ୍ୟାଳୟ ଏହିଠାରୁ ହିଁ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ହେଲେ ବର୍ତମାନ ନିର୍ମାଣ ହେଉଥିବା ନ’ତାଲା ବିଲ୍‌ଡିଂ କାର୍ଯ୍ୟକ୍ଷମ ହେବା ପରେ ଓପନ୍‌ ଟେଣ୍ଡର କରାଯାଇ ବାକି ଦୁଇଟି ବିଲ୍‌ଡିଂ ନିର୍ମାଣ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର