ନିଶାମଣି ଷଡ଼ଙ୍ଗୀଙ୍କ ‘ଓଡ଼ିଶାରେ ଶିକ୍ଷା ଓ ବିକାଶଧାରା’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ଶିକ୍ଷାକୁ ବାଦ୍‌ ଦେଇ କୌଣସି ରାଷ୍ଟ୍ର, ଜାତି ବା ସଭ୍ୟତାର ବିକାଶ ପରିକଳ୍ପନା କରାଯାଇ ନପାରେ। ଶିକ୍ଷାର ବିକାଶ ହିଁ ପ୍ରଗତିର ପ୍ରମୁଖ ମାଧ୍ୟମ। ଆଜି ଶିକ୍ଷାବିତ୍‌ ନିଶାମଣି ଷଡ଼ଙ୍ଗୀଙ୍କ ‘‘ଓଡ଼ିଶାରେ ଶିକ୍ଷା ଓ ବିକାଶଧାରା’’ ପୁସ୍ତକ ଉନ୍ମୋଚନ କରି ଅତିଥିମାନେ ଏଭଳି ମତ ଦେଇଛନ୍ତି। ସ୍ଥାନୀୟ ହୋଟେଲ ନ୍ୟୁ ମାରିଅନ୍‌ଠାରେ ରାଜ୍ୟର ପ୍ରମୁଖ ପ୍ରକାଶନ ସଂସ୍ଥା ପେନ୍-ଇନ୍‌-ବୁକ୍ସ ପକ୍ଷରୁ ଆୟୋଜିତ ଏହି ପୁସ୍ତକ ଉନ୍ମୋଚନ ସଭାରେ ପ୍ରସିଦ୍ଧ କବି ଓ ଚିନ୍ତକ ହରପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଓଡ଼ିଶାରେ ଏ ପୁସ୍ତକ ପ୍ରଥମ ପଦକ୍ଷେପ। ଶିକ୍ଷାର ଇତିହାସ ରଚନା ଦିଗରେ ଏ ପ୍ରଥମ ପଦପାତ ଆଗକୁ ଆମ ପାଇଁ ଅନେକ ନୂଆରାସ୍ତା ଖୋଲିବ ବୋଲି ସେ ଆଶା କରିଥିଲେ।

ଅନ୍ୟତମ ଅତିଥି ପ୍ରଫେସର ଡ. ଯତୀନ୍ଦ୍ର କୁମାର ନାୟକ କହିଥିଲେ ଯେ ଆମ ଦେଶରେ ବିଶ୍ୱସ୍ତରର ଯେଉଁ ଶିକ୍ଷାଦାନର ସ୍ୱପ୍ନ ବୁଣାଯାଉଛି, ତାହା ବିଫଳ ହେଉଛି। ଯେପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ନ ହୋଇଛି, ସେ ପର୍ଯ୍ୟନ୍ତ ଶିକ୍ଷାର ବିକାଶ ସମ୍ଭବ ନୁହେଁ ବୋଲି ସେ କହିଥିଲେ। ୟୁରୋପ ଓ ଚୀନ୍‌ରେ ଶିକ୍ଷାନୀତିର ଉଦାହରଣ ଦେଇ ସେ ଆମର ତ୍ରୁଟିପୂର୍ଣ୍ଣ ଶିକ୍ଷା ପଦ୍ଧତି ବାବଦରେ ମତ ରଖିଥିଲେ ଓ ଏହାର କିଭଳି ସୁଧାର କରାଯିବ, ଆଲୋଚନା କରିଥିଲେ।

ପୁସ୍ତକର ସମୀକ୍ଷା କରି ଅନ୍ୟତମ ଅତିଥି କବି ଓ ଭାଷାବିତ୍‌ ଡ. ଦେବାଶିଷ ମହାପାତ୍ର କହିଥିଲେ ଯେ ଏ ବହିଟି ଓଡ଼ିଶାରେ ଶିକ୍ଷାର ବିକାଶ ସହ ସାମାଜିକ ଓ ସାଂସ୍କୃତିକ ବିକାଶର ମଧ୍ୟ ବର୍ଣ୍ଣନା କରିଛି। ଓଡ଼ିଶାର ସମୃଦ୍ଧ ଶିକ୍ଷା ଇତିହାସ ଉପରେ ସେ ଆଲୋକପାତ କରିଥିଲେ। ପେନ୍ ଇନ୍ ବୁକ୍ସର ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଲେଖକ ଶ୍ରୀ ଷଡ଼ଙ୍ଗୀଙ୍କ ପତ୍ନୀ ତଥା ଶିକ୍ଷାବିତ୍‌ ଡ. ପ୍ରତିମାରାଣୀ ଷଡ଼ଙ୍ଗୀ ଲେଖକଙ୍କ ଦୀର୍ଘ ୭ ବର୍ଷର ଗବେଷଣା ଓ ପରିଶ୍ରମ ବାବଦରେ ବଖାଣିଥିଲେ। ଲେଖକୀୟ ବକ୍ତବ୍ୟ ରଖି ବହିର ଲେଖକ ବିଶିଷ୍ଟ ଗଣିତଜ୍ଞ ଓ ସୈନିକ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଷଡ଼ଙ୍ଗୀ ପୁସ୍ତକ ପ୍ରଣୟନର ପୀଡ଼ା ଓ ଉଲ୍ଲାସ ଉପସ୍ଥାପନା କରିଥିଲେ। କବି ଗିରୀଶ ରଂଜନ ସ୍ୱାଗତ ଭାଷଣ ଦେଇଥିବା ବେଳେ କବି ଡ. କୁଳାଙ୍ଗାର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର