କାଟୁ କରୁନି ଜିଲ୍ଲାପାଳଙ୍କ ନିର୍ଦେଶ, ୩ ପୂଜା ବୈଠକ ପରେ ବି ଫରକ ପଡ଼ୁନି

ଭୁବନେଶ୍ବର: ତିନି ଥର ବୈଠକ ବସି ସାରିଲାଣି। ସବୁ ପୂଜା ମଣ୍ଡପକୁ ଡାକି ଜିଲ୍ଲାପାଳ ସମସ୍ୟା ବୁଝି ସମାଧାନ କରିବାକୁ ନିର୍ଦେଶ ଦେଲେଣି। ଅଥଚ କର୍ତୃପକ୍ଷଙ୍କ ଉପରେ ଯେତିକି ପ୍ରଭାବ ପଡ଼ିବା କଥା ପଡ଼ି ପାରିନାହିଁ। ଖୋଳା ହୋଇଥିବା ରାସ୍ତାକୁ ପୋତି ସମତୁଲ କରିବାକୁ ନିର୍ଦେଶ ଦିଆଯାଇଥିଲା। ଆଉ ରାସ୍ତା ନଖୋଳିବାକୁ ବି ନିର୍ଦେଶ ଦିଆଯାଇଥିଲା। ଏ ନିର୍ଦେଶକୁ କିନ୍ତୁ ଫୁ କରି ଉଡ଼େଇ ଦେଇଛି ଓପିଟିସିଏଲ୍‌। ନୂଆପଲ୍ଲୀ ନୂଆସାହିରେ ଓପିଟିସିଏଲ୍‌ ପକ୍ଷରୁ ପୁଣି ରାସ୍ତା ଖୋଳା ଆରମ୍ଭ ହୋଇଯାଇଥିବା ବେଳେ ରାଜଧାନୀର ଅନ୍ୟ ସ୍ଥାନରେ ଏତାଦୃଶ ସମସ୍ୟା ଉପୁଜିଛି। ଖାଲି ସେତିକି ନୁହେଁ, ଡିଷ୍ଟ୍ରିକ୍ଟ ସେଣ୍ଟର ଭଳି ବାଣିଜ୍ୟିକ ଅଞ୍ଚଳର ପୂଜାସ୍ଥଳକୁ ଯାଇଥିବା ରାସ୍ତାର ସମସ୍ୟା ଏତେ କଦର୍ଯ୍ୟ ଯେ, ଗାଡ଼ି ମୋଟର ଯିବା କାଠିକର ହୋଇପଡ଼ୁଛି। ଏନେଇ ଡିଷ୍ଟ୍ରିକ୍ଟ ସେଣ୍ଟର ଦୁର୍ଗାପୂଜା ସମିତି ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ମଧ୍ୟ ତୁରନ୍ତ ଏହାର ସମାଧାନ କରିବା ପାଇଁ ବିଏମ୍‌ସି ଅଧିକାରୀଙ୍କୁ ନିର୍ଦେଶ ଦେଲେ। ମାତ୍ର ଏଠାରେ ରାସ୍ତା କାମ ଇଞ୍ଚେ ବି ଆଗେଇ ପାରିଲା ନାହିଁ। ଅବସ୍ଥା ଯଥା ପୂର୍ବଂ ତଥା ପର ଅବସ୍ଥା ଯୋଗୁଁ ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ସମିତିର ସାଧାରଣ ସମ୍ପାଦକ ସରୋଜକାନ୍ତ ମଲ୍ଲିକ। କହିଛନ୍ତି ଜିଲ୍ଲାପାଳ ବୈଠକ ଡାକି ସମସ୍ୟାର ସମାଧାନ ପାଇଁ ତ୍ବରିତ ପଦକ୍ଷେପ ନେବାକୁ ସେହି ବୈଠକ ସ୍ଥଳରୁ ନିର୍ଦେଶ ଦେଲେ। କିନ୍ତୁ ସମସ୍ୟା ସମାଧାନ ସହ ସଂଶ୍ଳିଷ୍ଟ ଅଧିକାରୀ ବୈଠକରେ ଯେମିତି ହଁ ମାରିଲେ ସେଇ ଅନୁପାତରେ କାମ କଲେ ନାହିଁ। ଷ୍ଟେସନ୍‌ ବଜାର ପୂଜା କମିଟିର ମଧ୍ୟ ସମାନ ଅଭିଯୋଗ। ପୂଜା ପାଇଁ ବଜାର ଚଳଚଞ୍ଚଳ ହେଲାଣି। ତେଣୁ ବିକଳ୍ପ ରାସ୍ତା ଫିଟାଇବା ପାଇଁ ପୁରୁଣା ଷ୍ଟେସନ୍‌ ପ୍ଲାଟ୍‌ଫର୍ମ ସମ୍ମୁଖରେ ଲୁହା ରେଲିଂ ପକାଇ ବନ୍ଦ କରାଯାଇଥିବା ବାଟ ଖୋଲିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଏନେଇ ପୂର୍ତ ବିଭାଗ ଡିଭିଜନ୍‌ ୧ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରେଲ୍‌ୱେ ବିଭାଗ ସହ ଯୋଗାଯୋଗ କରି ବାଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ତାହା ପାଳନ କରାଯାଇ ନାହିଁ। ପୂଜା ମଣ୍ଡପର କର୍ମକର୍ତାଙ୍କ ସହ ଯୋଗାଯୋଗରେ ରହି ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଥିଲା। ମାତ୍ର ପୂଜା କମିଟି ପକ୍ଷରୁ ସଂପୃକ୍ତ ଯନ୍ତ୍ରୀଙ୍କୁ ଫୋନ୍‌ରେ ଯୋଗାଯୋଗ କଲେ ମଧ୍ୟ ସମାଧାନ ତ ଦୂରେ ଥାଉ ଯୋଗାଯୋଗ ବି ହୋଇପାରି ନାହିଁ ବୋଲି ଷ୍ଟେସନ୍‌ ବଜାର ପୂଜା କମିଟିର ସାଧାରଣ ସମ୍ପାଦକ ଦୀପକ ଜେନା କହିଛନ୍ତି।

ଦୁର୍ଗାପୂଜାକୁ ବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ରେ ଏପର୍ଯ୍ୟନ୍ତ ୩ଥର ବୈଠକ ଡାକିସାରିଲେଣି। ସହର ସହ ସମ୍ପୃକ୍ତ ସବୁ ବିଭାଗର ଅଧିକାରୀଙ୍କୁ ଡାକି ସମସ୍ୟାର ତର୍ଜମା କରିବା ସହ ସମାଧାନ ପାଇଁ ନିର୍ଦେଶ ଦେଲା ପରେ ବି ସମସ୍ୟାର ସମାଧାନ ନହେବା ଭାରି ବାଧୁଛି ବୋଲି ପୂଜା ମଣ୍ଡପର କର୍ମକର୍ତା ଅଭିଯୋଗ କରିଛନ୍ତି। ଏନେଇ ନୂଆସାହି ମହାବୀର ପୂଜା କମିଟିର ଉପସଭାପତି ମିଲନ ପାଇକରାୟ କହିଛନ୍ତି ପୂର୍ବରୁ ପୂଜାକୁ ଏତେ ଗମ୍ଭୀର ଭାବେ‌ ନେଇ କୌଣସି ଜିଲ୍ଲାପାଳ ଏଭଳି ବାରମ୍ବାର ବୈଠକ ଡାକି ନଥିଲେ। ବୈଠକ ପରେ ଆମ ପୂଜା ଅଞ୍ଚଳରେ ରାସ୍ତା ମଝିରେ ଥିବା ଲୁହା ବିଦ୍ୟୁତ ଖୁଣ୍ଟି ଉଠିପାରିଛି। ୪ ବର୍ଷ ହେଲା ଯେଉଁ ସମସ୍ୟା ପାଇଁ ଆମେ ଚିନ୍ତିତ ଥିଲୁ ସେ ସମସ୍ୟା ଦୂର ହୋଇଛି। ମାତ୍ର ପୁଣି ଓପିଟିସିଏଲ୍‌ ପକ୍ଷରୁ ଖୋଳା ଆରମ୍ଭ ହୋଇଯାଇଛି। ଖୋଳିବାକୁ କଡ଼ା ନିର୍ଦେଶ ଥିଲେ ସୁଦ୍ଧା ଏହାକୁ ମାନିନାହାନ୍ତି। ଏକଥା ନୁହେଁ ଯେ କାମ ହୋଇନାହିଁ, କିନ୍ତୁ ଯେତିକି ଢଙ୍ଗରେ ହେବା କଥା ହୋଇନାହିଁ। ଶ୍ରୀ ମିଶ୍ରଙ୍କ ନିର୍ଦେଶ ପରେ ଖୋଳା ଯାଇଥିବା ମୁଖ୍ୟ ରାସ୍ତା ପୋତା ହୋଇଛି। ଅନେକ ସ୍ଥାନରେ ଭସାଣରେ ବାଧକ ସାଜୁଥିବା ଗଛ କଟାଯାଇଛି। ବାଧକ ସାଜୁଥିବା ଟ୍ରାନ୍ସଫର୍ମର ହଟାଇବା କାମ ଚାଲିଛି। ପିଇବା ପାଣି ବ୍ୟବସ୍ଥାର ସମାଧାନ ସହ ପୂଜା ସମୟରେ ପରିଚ୍ଛନ୍ନତା ପାଇଁ କେତେକ ସ୍ଥାନରେ କାମ ଚାଲିଛି। ତେବେ ଆଗକୁ ଯଦି ଶେଷ ବୈଠକ ହୁଏ ସେଥିରେ କିିଛି ପୂଜା ମଣ୍ଡପ ନିଜର ଅଭିଯୋଗ ବାଢ଼ିବା ପାଇଁ ଅପେକ୍ଷା କରିଛନ୍ତି ବୋଲି କ୍ଷୋଭର ସହ କହିଛନ୍ତି।

ସମ୍ବନ୍ଧିତ ଖବର