କ୍ରୀଡ଼ା ହାଲଚାଲ: କ୍ବାର୍ଟର ଖୁସି ଅପେକ୍ଷା ବଡ଼ ଦଳଙ୍କ ବିପକ୍ଷରେ ଦକ୍ଷତା ଦେଖାଇବାକୁ ହେବ

ତିନିବର୍ଷ ପରେ ଓଡ଼ିଶା ରଣଜୀ ଟ୍ରଫିର କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛି। ଏହା କ୍ରୀଡ଼ାପ୍ରେମୀଙ୍କ ପାଇଁ ଯେତେ ଖୁସି ଖବର ଓଡ଼ିଶା ଖେଳାଳିଙ୍କ ପାଇଁ ମଧ୍ୟ ବଡ଼ ଆହ୍ବାନ। ଯଦିଓ ଲିଗ୍‌ ପର୍ଯ୍ୟାୟରେ ଓଡ଼ିଶା ଭଲ ଖେଳିଛି କିନ୍ତୁ ବଡ଼ ଦଳମାନଙ୍କ ସହ ଖେଳିଲେ ଖେଳାଳିଙ୍କ ଦକ୍ଷତା ମାପି ହେବ। ବେଙ୍ଗଲ ଦଳ ପ୍ରଥମ ପ୍ରତିବନ୍ଧକ ଭାବେ ଓଡ଼ିଶା ଆଗରେ ରହିବ। ଡ୍ରିମ୍ସରେ ଏହି ମ୍ୟାଚ ଖେଳାଯିବାକୁ ଥିବାରୁ ଓଡ଼ିଶା ଦୁଇ ପାଦ ଆଗରେ ରହିବ। ଡ୍ରିମ୍ସ ପଡ଼ିଆ ଓଡ଼ିଶା ପାଇଁ ଶୁଭ ସାବ୍ୟସ୍ତ ହେଉଥିବାରୁ ଏଥିପାଇଁ କ୍ବାର୍ଟର ମୁକାବିଲା ପାଇଁ ଏହି ପଡ଼ିଆକୁ ବଛାଯାଇଛି। ତଥାପି ବ୍ୟାଟ୍ସ୍‌ମ୍ୟାନଙ୍କୁ ଅଧିକ କସରତ କରିବାକୁ ହେବ। ରଣଜୀ ଋତୁ ଆରମ୍ଭରୁ ବ୍ୟାଟ୍ସମ୍ୟାନ ସ୍ଥିର ପ୍ରଦର୍ଶନ ଦେବାରେ ବିଫଳ ହୋଇ ଆସୁଛନ୍ତି। ତେବେ ଶେଷ ଆଡ଼କୁ ସମସ୍ତେ ମିଳିତ ଭାବେ ପ୍ରଦର୍ଶନ ଦେବାରୁ ଓଡ଼ିଶା କ୍ବାର୍ଟର ପର୍ଯ୍ୟନ୍ତ ପହଞ୍ଚି ପାରିଛି। ସବୁଠୁ ବଡ଼ କଥା ହେଉଛି ଶୁଭ୍ରା˚ଶୁ ସେନାପତି ଝାଡ଼ଖଣ୍ତ ବିପକ୍ଷରେ ଶତକ ମାରି ଲୟକୁ ଫେରିଛନ୍ତି। ଦେବାଶିଷ ସାମନ୍ତରାୟ, ଶାନ୍ତନୁ ମିଶ୍ର, ବିପ୍ଲବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର ବେଙ୍ଗଲର ପ୍ରଥମ ଆକ୍ରମଣକୁ ସାମ୍ନା କରିବେ। ବୋଲି˚କ୍ରମରେ ରାଜେଶ ମହାନ୍ତିଙ୍କ ଅନୁପସ୍ଥିତିରେ ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ ଓ ଦେବବ୍ରତ ପ୍ରଧାନଙ୍କ ଉପରେ ବଡ଼ ଦାୟିତ୍ବ ରହିବ। ଡ୍ରିମ୍ସ ପିଚ୍‌ ବୋଲରଙ୍କ ସପକ୍ଷରେ ସବୁବେଳେ ଯାଉଥିବାରୁ ଏହି ତିନିଜଣଙ୍କ ଉପରେ ଦଳ ଅଧିକ ନିର୍ଭର କରିବ। ଅନ୍ୟପକ୍ଷରେ ଵିକେଟ ପଛରେ ଓଡ଼ିଶାକୁ ଅଧିକ ଯତ୍ନବାନ ହେବାକୁ ପଡ଼ିବ। ଝାଡ଼ଖଣ୍ତ ବିପକ୍ଷରେ ଵିକେଟ ପଛରେ ଏକାଧିକ ସୁଯୋଗ ହାତଛଡ଼ା ହୋଇଥିଲା। ତେଣୁ, ସୁଜିତ ଲେଙ୍କା ଓ ରାଜେଶ ଧୂପରଙ୍କ ମଧ୍ୟରୁ କିଏ ବେଙ୍ଗଲ ବିପକ୍ଷରେ ଖେଳିବ ତାହାକୁ ଅପେକ୍ଷା କରିବାକୁ ହେବ।

ଚଳିତବର୍ଷ ବ୍ୟାଟ୍ସମ୍ୟାନଙ୍କ ଅପେକ୍ଷା ବୋଲର୍‌ ଅଧିକ ସଫଳ ହୋଇଛନ୍ତି। ଯେଉଁଥିପାଇଁ ଆମେ ମୂଳପୋଛ ବିଜୟ ସହ ଭଲ ପଏଣ୍ଟ୍‌ ପାଇପାରିଲୁ। କିନ୍ତୁ କ୍ବାର୍ଟରରେ ଜିତିବାକୁ ହେଲେ ସମସ୍ତଙ୍କୁ ଭଲ ଖେଳିବାକୁ ପଡ଼ିବ। ଆମ ଦଳ ଯେତିକି ବି ବୋନସ ପଏଣ୍ଟ ପାଇଛି ସେଥିରେ ଅଧିକ ଖୁସି ହେବା ଠିକ୍‌ ନୁହେଁ। କାରଣ ବମ୍ବେ, କର୍ଣ୍ଣାଟକ, ୟୁପି ଭଳି ଦଳଙ୍କ ବିପକ୍ଷରେ ଆମେ ଖେଳିନୁ। ଗୁଣାତ୍ମକ ବୋଲର୍‌ ଏବ˚ ବ୍ୟାଟ୍ସମ୍ୟାନଙ୍କୁ ସାମ୍ନା କରିନୁ। ଏମାନଙ୍କ ବିପକ୍ଷରେ କ୍ଷେତ୍ରରକ୍ଷଣରେ ଅଧିକ ଉନ୍ନତି ଆଣିବାକୁ ପଡ଼ିବ। ରନ୍‌ଆଉଟ, କ୍ୟାଚ ଯେପରି ହାତଛଡ଼ା ନହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ହେବ। ନଚେତ୍‌ ଦଳକୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ। ବେଙ୍ଗଲର ମନୋଜ ତିଵାରୀ ଓ ସାହାବାଜଙ୍କ ଵିକେଟ ଓଡ଼ିଶା ପାଇଁ ବହୁତ ଜରୁରୀ। ଦଳରେ ମାତ୍ର ଦୁଇ/ତିନିଜଣ ଓଡ଼ିଶାକୁ ସମସ୍ୟା କରିପାରିବେ। ଏମାନଙ୍କ ବିରୋଧରେ ଭଲ ରଣନୀତି ପ୍ରସ୍ତୁତ କଲେ ଆମର ବିଜୟ ନିଶ୍ଚିତ।

ସମ୍ବନ୍ଧିତ ଖବର