ପୁଣି ଚର୍ଚ୍ଚାରେ ଏସ୍‌ଏସ୍‌ବି କନେଷ୍ଟବଳ, ଯୁବତୀଙ୍କ ହାତ ଧରି ଛେଚା ଖା‌ଇଲେ

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ଏସ୍‌ଏସ୍‌ବି (ସଶସ୍ତ୍ର ସୀମା ବଳ)ର ଜଣେ କନେଷ୍ଟବଳ। ଛକ ଉପରେ ଯୁବତୀଙ୍କ ହାତ ଧରି ଛେଚା ଖାଇଛନ୍ତି। ଯୁବତୀଜଣକ ଚାପୁଡ଼ା, ବିଧା ମାରିବା ସହ ଚପଲରେ ପିଟିଛନ୍ତି। ରାସ୍ତାରେ ଲୋକେ ବି ଛାଡ଼ି ନାହାନ୍ତି। ‘ଆଉ କାହା ହାତ ଧରିବିନି’ କହି କନେଷ୍ଟବଳ ଜଣକ କେତେବେଳେ ଯୁବତୀଙ୍କ ଗୋଡ଼ ଆଉ କେତେବେଳେ ଦେଖଣାହାରୀଙ୍କ ଗୋଡ଼ ଧରି ଭୁଲ୍‌ ମାଗିଛନ୍ତି। ଏହା କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ବରଂ ସ୍ପଷ୍ଟ ଦିବାଲୋକରେ ଜନଗହଳିପୂର୍ଣ୍ଣ କଳ୍ପନା ଛକରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି କନେଷ୍ଟବଳକୁ ଉଦ୍ଧାର କରିଥିଲା। ତେବେ ଯୁବତୀଜଣକ ଏତଲା ଦେଇ ନଥିବାରୁ ରାତି ସୁଦ୍ଧା ମାମଲା ରୁଜୁ ହୋଇନାହିଁ। ଅଟକ ଏସ୍‌ଏସ୍‌ବି କନେଷ୍ଟବଳ ହେଉଛନ୍ତି ପ୍ରମୋଦ ବେହେରା। ଅନ୍ୟପଟେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯିବା ସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଘଟଣା ବଡ଼ଗଡ଼ ଥାନା ଅଞ୍ଚଳରେ ଘଟିଥିବା ବେଳେ କ୍ୟାପିଟାଲ ଥାନା ପୁଲିସ ସମ୍ପୃକ୍ତ କନେଷ୍ଟବଳକୁ ଅଟକ ରଖିଛି। ପ୍ରବଳ ମାଡ଼ରେ ସେ ଆହତ ହୋଇଥିବାରୁ ତାଙ୍କର ଚିକିତ୍ସା କରାଯାଇଛି।

ସୂଚନା ମୁତାବକ, ପ୍ରମୋଦ ଭୁବନେଶ୍ବର ସଶସ୍ତ୍ର ସୀମାବଳରେ କନେଷ୍ଟବଳ ଭାବରେ କାମ କରନ୍ତି। ଆଜି ସକାଳେ ଜଣେ ଯୁବତୀ କଳ୍ପନାରୁ ରାଜମହଲ ଯିବା ପାଇଁ ଅଗ୍ରସର ହେବା ବେଳେ ପୂର୍ବରୁ ତାଙ୍କୁ ପିଛା କରୁଥିବା ପ୍ରମୋଦ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଯୁବତୀ ଜଣକ କୌଣସି ପ୍ରତିକ୍ରିୟା ନ ଦେଇ ଚାଲି ଯିବାରୁ ସେ ତାଙ୍କ ହାତ ଧରି ପକାଇଥିଲା। ଏଥିରେ ଯୁବତୀ ଜଣକ ଚିତ୍କାର କରିବା ସହ ରାଗି ଯାଇ ପ୍ରମୋଦକୁ ପିଟିଥିଲେ। କ୍ୟାପିଟାଲ ଥାନା ପୁଲିସ ପହଞ୍ଚି ପ୍ରମୋଦକୁ ଉଦ୍ଧାର କରିଥିଲା। ତେବେ ନିଶାରେ ଏଭଳି କରିଥିବା ପ୍ରମୋଦ କହିଛନ୍ତି। ସୂଚନାଯୋଗ୍ୟ, ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ ରଖି ଜଣେ ଯୁବତୀଙ୍କୁ ଧୋକା ଦେବା ଅଭିଯୋଗରେ ଗତ ୪ ତାରିଖ ଦିନ ଏସ୍‌ଏସ୍‌ବି କନେଷ୍ଟବଳ ରାଜେଶ ଦାସକୁ ମହିଳା ଥାନା ପୁଲିସ ଗିରଫ କରିଥିଲା। ଅନୁରୂପ ଅଭିଯୋଗରେ ସିଆରପିଏଫ୍‌ର ସିଗ୍‌ନାଲ ଏସ୍‌ଆଇ ଭୂପିନ୍ଦର ସିଂହକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର