କିଏ ସଜାଡ଼ିବ ନିହାରିକାଙ୍କ ଉଜୁଡ଼ା ସଂସାର, ଘରେ ପକ୍ଷାଘାତ ବାପାକୁ ରୋଗିଣା ମାଆ

ଭୁବନେଶ୍ବର/ବାଲିଅନ୍ତା : ବାଲିଅନ୍ତା ଥାନା ଅଧୀନ ଭିଙ୍ଗାରପୁର ଗ୍ରାମର ଗଗନ ପାତ୍ରଙ୍କ ଏକମାତ୍ର ଝିଅ ନିହାରିକା ପାତ୍ର (୨୪)। ନିହାରିକାଙ୍କ ବାପା ଗଗନ ଦୀର୍ଘ ଦିନ ହେବ ପକ୍ଷାଘାତ ରୋଗରେ ଆକ୍ରାନ୍ତ। ହୃଦଘାତରେ ବି ପୀଡ଼ିତ। ମାଆ ପ୍ରତିମା ପାତ୍ରଙ୍କ ଶରୀର ମଧ୍ୟ ଅସୁସ୍ଥ। ଝିଅ ମୃତ୍ୟୁର ଖବର ପାଇବା ପରଠୁ ପ୍ରତିମା ପୂରା ଶଯ୍ୟାଶାୟୀ ହୋଇପଡ଼ିଛନ୍ତି।

ଅଭାବ ଅନଟନ ଭିତରେ ନିହାରିକା ମାମୁଘର ବିରିଡ଼ିରେ ରହି ନର୍ସିଂ ଟ୍ରେନିଂ ଯାଇଥିଲେ । ଟ୍ରେନିଂ ଶେଷ ହେବା ପରେ କଟକ ଲିଙ୍କରୋଡ୍‌ସ୍ଥିତ ଏମଏମ ନର୍ସିଂ ମେଡିକେୟାରରେ ଚାକିରି କରିଥିଲେ। ସେଠାରେ ରହି ଯାହା କିଛି ଟଙ୍କା ରୋଜଗାର କରୁଥିଲେ, ସେଥିରେ ଦୁଃଖେକଷ୍ଟେ ସେମାନେ ଚଳି ଯାଉଥିଲେ। ରୁଗ୍‌ଣ ବାପା ମାଆଙ୍କ ଚିକିତ୍ସା ଖର୍ଚ୍ଚ ସହିତ ନିଜର କଲେଜ ପଢ଼ୁଆ ସାନଭାଇ ରାକେଶର ବୋଝ ବି ମୁଣ୍ଡାଇଥିଲେ ସେ। ହେଲେ ନିହାରିକାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପୂରା ଭାଙ୍ଗି ପଡ଼ିଛି। ରୋଜଗାରର ଅନ୍ୟ କିଛି ଉପାୟ ନଥିବା ବେଳେ ଘରର ଏକମାତ୍ର ରୋଜଗାରିଆ ଝିଅକୁ ହରେଇ ପରିବାର ଏବେ ସର୍ବସ୍ବାନ୍ତ ହୋଇଯାଇଛି।

ନିହାରିକାଙ୍କ ମୃତ୍ୟୁ ଖବର ପାଇ ଗତକାଲିଠାରୁ ବିଜେପି, କଂଗ୍ରେସ ଓ ବିଜେଡ଼ି ଏବଂ ବିଭିନ୍ନ ସାମାଜିକ ସଂଗଠନ କର୍ମୀମାନେ ଘରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ପୂର୍ବାହ୍ନ ୧୧ଟାରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଦଳୀୟ ନେତୃବୃନ୍ଦଙ୍କ ସହ ପହଞ୍ଚି ନିହାରିକାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ସହ ଆର୍ଥିକ ସହାୟତା ପ୍ରଦାନ ନେଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି କହିଥିଲେ। ସେହିପରି ସ୍ଥାନୀୟ ବିଧାୟକ ଡ . ଅରବିନ୍ଦ ଢାଲିଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟା ଓ ସ୍ଥାନୀୟ ସରପଞ୍ଚ ଜୟଶ୍ରୀ ନାୟକ ପ୍ରମୁଖ ପହଞ୍ଚି ଅନୁରୂପ ଭାବେ ସମବେଦନା ଜଣାଇବା ସହିତ ହତ୍ୟାକାରୀକୁ ତୁରନ୍ତ ଗିରଫ କରିବା ନେଇ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ନିକଟରେ ଦାବି କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସ୍ବତନ୍ତ୍ର ରିଲିଫ ଫଣ୍ଡରୁ ଅର୍ଥ ମଂଜୁର ନେଇ ତ୍ବରିତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ। ସୂଚନାଯୋଗ୍ୟ, ବିରିଡ଼ିରେ ମାମୁଁ ଘରେ ରହିବା ସମୟରେ ଅଭିଯୁକ୍ତ ବିରିଡ଼ି ଥାନା ଅଧୀନ ହାଜିପୁରର କିଶୋର ଚନ୍ଦ୍ର ଆଞ୍ଚଲ ଓରଫ ରାଜା ନାମକ ଜଣେ ଯୁବକ ସହିତ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲ। ଗତ ୮ ତାରିଖ ଅପରାହ୍ନରେ ପ୍ରେମିକ ତାଙ୍କୁ ନର୍ସିଂ ହୋମରୁ ନେଇଯାଇଥିଲା। ପରଦିନ ପୂର୍ବାହ୍ନରେ ବିଲୁଆଖାଇ ନଦୀରୁ ଅଖାରେ ଭର୍ତି ହୋଇଥିବା ତାଙ୍କ ଶବକୁ ପୁଲିସ ଜବତ କରିଥିଲା।

ସମ୍ବନ୍ଧିତ ଖବର