ବେଙ୍ଗାଲୁରୁ ଇଂରାଜି ମାଧ୍ୟମ ସ୍କୁଲ୍‌ରେ ପଢ଼ାହେବ ଓଡ଼ିଆ

ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରୁ ବେଙ୍ଗାଲୁରୁର ଗଡ଼େଓ୍ଵନ୍‌ ପବ୍ଲିକ୍‌ ସ୍କୁଲ୍‌ରେ ଓଡ଼ିଆ ପାଠ୍ୟକ୍ରମ ଆରମ୍ଭ ହେବ। ଏପରି ହେଲେ ଦକ୍ଷିଣ ଭାରତରେ ପ୍ରଥମ କରି କୌଣସି ଏକ ଇଂରାଜି ମାଧ୍ୟମ ସ୍କୁଲ୍‌ରେ ଓଡ଼ିଆ ପାଠ ପଢ଼ାଯିବ। ଏ ନେଇ ସୋମବାର ଗଡେଓ୍ଵନ୍‌ ପବ୍ଲିକ୍‌ ସ୍କୁଲ୍‌ର ଅଧ୍ୟକ୍ଷ ଜଗଦୀଶ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏବଂ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ଭେଟି ଆଲୋଚନା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତ ପ୍ରକାର ପାଠ୍ୟ ପୁସ୍ତକ ତଥା ଅନ୍ୟ ସବୁ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଶିକ୍ଷମନ୍ତ୍ରୀ ଶ୍ରୀ ପାତ୍ର ତାଙ୍କୁ ସମସ୍ତ ସହାୟତା କରିବା ସହିତ ଆଉକିଛି ଆବଶ୍ୟକତା ଥିଲେ ଲିଖିତ ଆକାରରେ ଜଣାଇବାକୁ କହିଥିଲେ। ଏହି ପରିପ୍ରେକ୍ଷରୀରେ ଗଡେଓ୍ଵନ୍‌ ସ୍କୁଲ୍‌ର ବାର୍ଷିକ ଉତ୍ସବ ଡିସେମ୍ବର ୩୦ ତାରିଖରେ ପାଳନ କରାଯାଉଥିବାରୁ ଶିକ୍ଷାମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ। ଶ୍ରୀ କୁମାର କହିଥିଲେ, ବେଙ୍ଗାଲୁରୁର ପ୍ରଥମ ଓଡ଼ିଆ ଏନ୍‌ଜିଓ କଳିଙ୍ଗ-ବେଙ୍ଗାଲୁରୁ ଫାଉଣ୍ଡେସନ୍‌ ସହଯୋଗରେ ଓଡ଼ିଆ ପାଠ୍ୟକ୍ରମ ଲାଗୁ ହେବା ସମ୍ଭବ ହୋଇଛି। ଶ୍ରୀ କୁମାରଙ୍କ ସହିତ ବେଙ୍ଗାଲୁରୁରେ ରହୁଥିବା ରଂଜନ ଆଚାର୍ଯ୍ୟ, ଫାଉଣ୍ଡେସନ୍‌ର ଓଡ଼ିଶା ଶାଖା ମୁଖ୍ୟ ତଥା ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକ ଏବଂ ଓଡ଼ିଶା ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ।

ସମ୍ବନ୍ଧିତ ଖବର