ଜମିଜମାର ଡାଟାବେସ୍‌ ପ୍ରସ୍ତୁତ ହେଲେ ଲୋକଙ୍କ ସମସ୍ୟା ସୁଧୁରିବ

ଓଡ଼ିଶା ରାଜସ୍ୱ ସେବା ସଂଘର ତୃତୀୟ ସାଧାରଣ ପରିଷଦ ବୈଠକ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଶାସନ ପରିଚାଳନାରେ ରାଜସ୍ୱ ସେବା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଶେଷକରି ଜମିଜମା ସମ୍ବନ୍ଧୀୟ ବିବାଦ ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଉଭା ହେଉଛି। ଏହାର ସମାଧାନ ଦିଗରେ ସ୍ୱଚ୍ଛତା ଓ ସହାନୁଭୂତି ପ୍ରଦର୍ଶନ କରିବା ଆବଶ୍ୟକ। ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଓ ଜମିଜମାର ଡାଟା ବେସ୍‌ ପ୍ରସ୍ତୁତ ହୋଇପାରିଲେ ଲୋକଙ୍କ ଅଧିକାଂଶ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ଓୟୁଏଟି ପରିସରରେ ଓଡ଼ିଶା ରାଜସ୍ୱ ସେବା ସଂଘର ତୃତୀୟ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜସ୍ୱ ବିଭାଗର କର୍ମଚାରୀମାନେ ଆଇନ ଶୃଙ୍ଖଳା ବଜାୟ ରଖିବା ଓ ରିଲିଫ୍‌ କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି। ରାଜ୍ୟ ସରକାର ଥ୍ରିଟି ଉପରେ ଗୁରୁତ୍ୱ ଦେଉଛନ୍ତି। ତେଣୁ ବିଭାଗର ସମସ୍ତ ଅଧିକାରୀ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱର ସହ କାର୍ଯ୍ୟ କରିବା ଜରୁରୀ। ସଂଘର ରହିଥିବା ବିଭିନ୍ନ ଦାବି ସଂପର୍କରେ ସରକାର ଅବଗତ ଅଛନ୍ତି। ଏହା ଉପରେ ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ବିଭାଗର ପ୍ରମୁଖ ସଚିବ ଚନ୍ଦ୍ରଶେଖର କୁମାର କହିଲେ, ରାଜସ୍ୱ ବିଭାଗର ଅଧିକାରୀମାନେ ତହସିଲ, ସବ ରେଜିଷ୍ଟ୍ରାର ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟ ସଂପାଦନ କରିଆସୁଛନ୍ତି। ବର୍ଷକୁ ଜମିଜମା ଭଳି ବିଭିନ୍ନ କ୍ଷେତ୍ରରେ ୪୦ଲକ୍ଷ ସାର୍ଟିଫିକେଟ୍‌ ବଣ୍ଟନ କରାଯାଉଛି। ରାଜ୍ୟ ସରକାର ଥ୍ରିଟିକୁ ଗୁରୁତ୍ୱ ଦେଉଥିବା ବେଳେ ରାଜସ୍ୱ ବିଭାଗର ଅଧିକାରୀମାନେ ଏ ଦିଗରେ ଯତ୍ନବାନ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ କୁମାର ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଘର ସଭାପତି ରବି ନାରାୟଣ ବାରିକ ଉପସ୍ଥିତ ଥିଲେ।

ପ୍ରାରମ୍ଭରେ ସଂଘର ସାଧାରଣ ସଂପାଦକ ରାଜେନ୍ଦ୍ର ଆଚାର୍ଯ୍ୟ ସଂପାଦକୀୟ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ରାଜସ୍ୱ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର