ଭୁବନେଶ୍ବର: ବିଭିନ୍ନ ଦାବି ନେଇ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ଲୋୟର ପିଏମ୍ଜିରେ ଧାରଣା ଦିଆଯାଇଛି। ଏହି ଅବସରରେ ସେଠାରେ ଆୟୋଜିତ ଏକ ପ୍ରତିବାଦ ସଭାରେ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା ଦାବି କରିଛନ୍ତି, ଶିକ୍ଷକମାନଙ୍କର ଦରମାକୁ ସଂଶୋଧନ କରିବା ସହ ତୁରନ୍ତ କ୍ୟାଡର୍ ବିଜ୍ଞପ୍ତି ପ୍ରକାଶ କରିବା, କନିଷ୍ଠ ଶିକ୍ଷକମାନଙ୍କର ମୂଳ ଦରମାର ୨୫ ଶତକଡ଼ା ବୃଦ୍ଧି, ନୂତନ ପେନସନ୍ ବ୍ୟବସ୍ଥା ଲାଗୁ, ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରଖାଯାଉ। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ଶିକ୍ଷକମାନେ ଉଚିତ ଜବାବ ଦେବେ ବୋଲି ସମ୍ପାଦକ ବିଭୁ ପ୍ରସାଦ ସାହୁ କହିଛନ୍ତି। ଧାରଣାର ନେତୃତ୍ବ ନେଇଥିଲେ, ଶିକ୍ଷକ ନେତା ସୁରେନ୍ଦ୍ର ଜେନା, ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ମାନବାଧିକାର କର୍ମୀ ପ୍ରଦୀପ୍ତ କୁମାର ନାୟକ ଗୋପାଳ ସେନ ସୁରେନ୍ଦ୍ର ରାଉତ ପ୍ରମୁଖ।
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର: ବେସରକାରୀ କଲେଜଗୁଡ଼ିକ କ୍ଷେତ୍ରରେ ସପ୍ତମ ବେତନ କମିସନ ଲାଗୁ ପାଇଁ ପ୍ରକାଶିତ ନିର୍ଦେଶନାମାରେ ବ୍ୟାପକ ଅସଙ୍ଗତି ଥିବାରୁ ଅଧ୍ୟାପକ ଓ କର୍ମଚାରୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବେସରକାରୀ ସାହାଯ୍ୟପ୍ରାପ୍ତ କଲେଜରେ କାର୍ଯ୍ୟରତ ୧୫ ହଜାର ଅଧ୍ୟାପକ ଓ କର୍ମଚାରୀଙ୍କୁ ସପ୍ତମ ବେତନ କମିସନ ଅନୁଯାୟୀ ୨୦୧୬ ଜାନୁଆରିରୁ ଦରମା ଦେବା ପରିବର୍ତ୍ତେ ଏହାକୁ ବିନା ବକେୟା ଦରମାରେ ୨୦୧୭ ଅକ୍ଟୋବରରୁ ନଗଦ ଆକାରରେ ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଫଳରେ ସେମାନେ ୨୧ ମାସର ବକେୟା ଦରମା ପାଇବେ ନାହିଁ। ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ସପ୍ତମ ବେତନ କମିସନ ଅନୁଯାୟୀ ୨୦୧୬ ଜାନୁଆରି ୧ରୁ ବକେୟା ଦରମା ସହ ବର୍ଦ୍ଧିତ ବେତନ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ବେସରକାରୀ କଲେଜ ପାଇଁ ଭିନ୍ନ ମାପଦଣ୍ଡ ଗ୍ରହଣ କରିବା ଦୁର୍ଭାଗ୍ୟଜନକ ବୋଲି ଅଲ୍ ଓଡ଼ିଶା ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ସେହିପରି ସରକାରୀ କଲେଜ ଅଧ୍ୟାପକଙ୍କ କ୍ଷେତ୍ରରେ ଗ୍ରାଚୁଇଟିର ସର୍ବୋଚ୍ଚ ସୀମା ୧୫ଲକ୍ଷ ଟଙ୍କା ଥିବା ବେଳେ ବେସରକାରୀ କଲେଜ କ୍ଷେତ୍ରରେ ତାହା ୫ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ସଙ୍ଗଠନ ପକ୍ଷରୁ ବାରମ୍ବାର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଦୁଃଖଦାୟକ ବୋଲି ସଙ୍ଗଠନର ସାଧାରଣ ସମ୍ପାଦକ ଚିତ୍ତ ମହାପାତ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି।
ଅଣନିଯୁକ୍ତ ବିଇଡି ଏବଂ ସିଟି ମହାସଂଘର ବିକ୍ଷୋଭ
ଭୁବନେଶ୍ବର: ରାଜ୍ୟ ଅଣନିଯୁକ୍ତ ବିଇଡି ଓ ସିଟି ମହାସଂଘ ଆଜି ଲୋୟର ପିଏମ୍ଜିରେ ଧାରଣା ଦେଇଛି। ଏହି ଅବସରରେ ଆୟୋଜିତ ପ୍ରତିବାଦ ସଭାରେ ସଭାପତି ଦୁର୍ଗାପ୍ରସାଦ ମହାପାତ୍ର ମହାସଂଘର ଦାବିଗୁଡ଼ିକ ପୂରଣ କରିବା ପାଇଁ ସରକାର ପ୍ରଯତ୍ନବାନ ହେବାକୁ କହିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଖାଲି ପଡ଼ିଥିବା ବିଦ୍ୟାଳୟମାନଙ୍କରେ ଯୋଗ୍ୟତା ଭିତ୍ତିରେ ଠିକା ଶିକ୍ଷକ ଓ କନିଷ୍ଠ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ କୌଣସି ସମୟ ବ୍ୟବଧାନ ନ ରଖି ଏକ ସମୟରେ ଉଭୟ ସଂରକ୍ଷିତ ଓ ସାଧାରଣବର୍ଗ ନିମନ୍ତେ ନିଯୁକ୍ତି ବିଜ୍ଞାପନ ପ୍ରକାଶ, ପୂର୍ବରୁ କନିଷ୍ଠ ଏବଂ ଠିକା ଶିକ୍ଷକ ପଦବିରେ ଅବସ୍ଥାପିତ ଶିକ୍ଷକମାନଙ୍କୁ ପୁନର୍ବାର ସେହି ସମାନ ପଦ ପାଇଁ ଏନଓସି ଅଧାରରେ ଆବେଦନ କରିବାକୁ ଅନୁମତି ନ ଦେବାକୁ ମହାସଂଘ ପକ୍ଷରୁ ଦାବି ହୋଇଛି। ଧାରଣାରେ ସାଧାରଣ ସମ୍ପାଦକ ସମୀର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।