ଓଡ଼ିଶୀ, ଆଧୁନିକ ନୃତ୍ୟ ଓ ଫେସନ୍‌ ସୋ’ ପ୍ରତିଯୋଗିତା: ‘ଆଇ ଲଭ୍‌ ଟୁ… ଡ୍ୟାନ୍ସ’

ଭୁବନେଶ୍ୱର : ସାରା ଦିନ ଭଞ୍ଜକଳା ମଣ୍ଡପ ପ୍ରେକ୍ଷାଳୟରୁ ଭାସି ଆସୁଥିଲା ଆଧୁନିକ ଓ ପାରମ୍ପରିକ ମ୍ୟୁଜିକ୍‌ର ଧୁନ୍‌। ନିଜକୁ ଶ୍ରେଷ୍ଠ ପ୍ରମାଣିତ କରିବାକୁ ପ୍ରତିଯୋଗୀଙ୍କ ମଧ୍ୟରେ ଚାଲିଥିଲା କଡ଼ା ଟକ୍କର। ଅବସର ଥିଲା ‘ପାନାସିଆ ଚାରିଟେବଲ୍‌ ଟ୍ରଷ୍ଟ୍‍’ ପକ୍ଷରୁ ଆୟୋଜିତ ଓଡ଼ିଶୀ, ଆଧୁନିକ ନୃତ୍ୟ ଓ ଫେସନ୍‌ ସୋ’ ପ୍ରତିଯୋଗିତା ‘ଆଇ ଲଭ୍‌ ଟୁ…. ଡ୍ୟାନ୍ସ’ର। ଏହି ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀମାନେ ଆସି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ ଓଡ଼ିଶୀ ଏକକ ନୃତ୍ୟରେ ୪୫ ଜଣ, ଆଧୁନିକ ଏକକ ନୃତ୍ୟରେ ୮୦ ଜଣ, ଆଧୁନିକ ଦ୍ୱୈତ ନୃତ୍ୟରେ ୩୦ ଯୋଡ଼ି, ମା’ମାନଙ୍କ ମଧ୍ୟରେ ଆଧୁନିକ ନୃତ୍ୟରେ ୧୦ ଜଣ, ଦଳଗତ ଆଧୁନିକ ନୃତ୍ୟରେ ୩୦ଟି ଦଳ ଓ ଫେସନ୍‌ ସୋ’ରେ ୮୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଟ୍ରଷ୍ଟ୍‍ର ଅଧ୍ୟକ୍ଷ ବିଶ୍ୱରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ସମ୍ପାଦିକା ସସ୍ମିତା ରାଉତ, ସଦସ୍ୟ ରଶ୍ମିରଞ୍ଜନ କର, ଲିଙ୍ଗରାଜ ମହାନ୍ତି, ସୁଚିତ୍ରା କର, ଅସିତ କୁମାର ମହାନ୍ତି, ସୁଭଶ୍ରୀ ଦାସ ଓ ସୌମ୍ୟାପ୍ରିୟଦର୍ଶୀ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ବିକାଶ ନାୟକ ଓ ସବିତା ସାହୁ ବିଚାରକ ଭାବେ ଯୋଗ ଦେଇଥିଲେ। ଆସନ୍ତା ମେ’ ୧୦ ତାରିଖ ଦିନ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର