‘ୱାନ୍‌ ଲାଇଫ୍‌’ ଉଦ୍‌ଘାଟିତ, ଚାପମୁକ୍ତ ରହିବା ପାଇଁ କାଉନ୍‌ସେଲିଂ ଆବଶ୍ୟକ

ଭୁବନେଶ୍ବର: ଚାପ ଓ ଚିନ୍ତା ମଣିଷର ପରମ ଶତ୍ରୁ। ଏହାର ବଶବର୍ତ୍ତୀ ହେଲେ ଜୀବନରେ ଆଗକୁ ବଢ଼ିବା କଷ୍ଟକର ହୋଇପଡ଼େ। ସୁସ୍ଥ ଜୀବନଯାପନ ପାଇଁ ଆମକୁ ନକାରତ୍ମକ ଭାବନାକୁ ଛାଡ଼ି ସକରାତ୍ମକ ଜୀବନ ଆପଣାଇବାକୁ ପଡ଼ିବ। ଇଡ୍‌କଲ୍‌ ଅଡିଟୋରିୟମରେ ଆୟୋଜିତ କାଉନ୍‌ସେଲିଂ ଅନୁଷ୍ଠାନ ‘ୱାନ୍‌ ଲାଇଫ୍‌’ର ଉଦ୍‌ଘାଟନୀ ଉତ୍ସବରେ ଅତିଥିମାନେ ଏଭଳି ମତ ପ୍ରକାଶ କରିଛନ୍ତି।

ଅନୁଷ୍ଠାନର ପ୍ରତିଷ୍ଠାତା ସମନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘ମୋ’ କଲେଜ୍‌’ର ଅଧ୍ୟକ୍ଷ ତଥା ଅଭିନେତା ଆକାଶ ଦାସନାୟକ, ଅଭିନେତ୍ରୀ ଅନୁ ଚୌଧୁରୀ, ଡ. ଏସ୍‌.ପି ସ୍ବାଇଁ ଓ ଏସ୍‌ଏମ୍‌ଇର ଉପଦେଷ୍ଟା ନିବେଦିତା ଜେନା ଯୋଗଦେଇ ବକ୍ତବ୍ୟ ରଖି କହିଲେ ଯେ, ଆଜିର ବ୍ୟସ୍ତବହୁଳ ଜୀବନରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବରି‌ଷ୍ଠ ନାଗରିକ ପର୍ଯ୍ୟନ୍ତ ଚାପର ସମ୍ମୁଖୀନ ହେଉଛନ୍ତି।‌ ପାଠପଢ଼ାରୁ ଆରମ୍ଭ କରି ଚାକିରି, ବିବାହ, ପ୍ରେମ, ସମ୍ପର୍କ, ପାରିବାରିକ ସମସ୍ୟା, ନିଜର ଲକ୍ଷ୍ୟ ହାସଲ ଆଦିକୁ ନେଇ ଆମେ ଚାପରେ ରହୁ। ଫଳରେ ମନ ଭିତରେ ବାରମ୍ବାର ନକରାତ୍ମକ ଚିନ୍ତା ଆସେ। ଏଭଳି ଅନୁଭବକୁ ଅଧିକାଂଶ ଲୋକ ପରିପ୍ରକାଶ କରିପାରନ୍ତି ନାହିଁ। ସମସ୍ୟାକୁ ନିଜ ଭିତରେ ଚାପି ରଖି ନିରବ ରୁହନ୍ତି। ଯାହାର ପରିଣାମ ଭୟଙ୍କର ହୋଇଥାଏ। ଏହାଦ୍ବାରା ଆମେ ଚିନ୍ତାଗ୍ରସ୍ତ ହୋଇ ପଡ଼ୁ। ମାନସିକ ସନ୍ତୁଳନ ହରାଇବସୁ। ଚିଡ଼୍‌ଚିଡ଼ା ସ୍ବଭାବ ବଢ଼ିଯାଏ। ଅନେକ ଚାପ ସହିନପାରି ହତାଶ ହୋଇ ଆତ୍ମହତ୍ୟାକୁ ଆପଣାଇ ନିଅନ୍ତି। ପରିସଂଖ୍ୟାନ ମୁତାବକ, ଚାପର ବଶବର୍ତ୍ତୀ ହୋଇ ବିଶ୍ବରେ ବର୍ଷକୁ ପାଖାପାଖି ୮ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି। ସାରା ବିଶ୍ବରେ ୫୦-୬୦ ପ୍ରତିଶତ ଲୋକ ଏଭଳି ମାନସିକ ଭାରାକ୍ରାନ୍ତ ରହିବା ସହ ରୋଗଗ୍ରସ୍ତ ହେଉଛନ୍ତି। ତେବେ ଏସବୁର ସମାଧାନ ମଧ୍ୟ ସମ୍ଭବ। ଏଥପାଇଁ ଲୋକମାନଙ୍କୁ କାଉନ୍‌ସେଲିଂର ଆବଶ୍ୟକତା ରହିଛି। ସଚେତନ ପୂର୍ବକ ଲୋକଙ୍କୁ କାଉନ୍‌ସେଲିଂ ପାଇଁ ପଠାଇବା ଆବଶ୍ୟକ। ‘ୱାନ୍‌ ଲାଇଫ୍‌’ର କାଉନ୍‌ସେଲର ବିଶେଷଜ୍ଞଙ୍କ ଦ୍ବାରା ଏସବୁ ସମସ୍ୟାର ସମାଧାନ ସହଜରେ ହୋଇପାରିବ ବୋଲି ପ୍ରତିଷ୍ଠାତା ଶ୍ରୀ ପାତ୍ର କହିଛନ୍ତି। ଉତ୍ସବରେ ଅନ୍ୟତମ ପ୍ରତିଷ୍ଠାତା ଜାହିଦ୍‌ ଅଖତାର୍‌ ଓ ସାଧନା ସୁଦର୍ଶନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଶାଶ୍ବତୀ କର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର